Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Living Dinosaur Link! ଆଜି ବି ବଞ୍ଚିଛନ୍ତି ଡାଇନୋସର? ୧୪.୯ କୋଟି ବର୍ଷର ରହସ୍ୟ ଖୋଲିଲା ଚୀନ୍!

Living Dinosaur Link! ଆଜି ବି ବଞ୍ଚିଛନ୍ତି ଡାଇନୋସର? ୧୪.୯ କୋଟି ବର୍ଷର ରହସ୍ୟ ଖୋଲିଲା ଚୀନ୍!

ନୂଆଦିଲ୍ଲୀ: ଡାଇନୋସର ସତରେ ବିଲୁପ୍ତ ହୋଇଯାଇଛନ୍ତି କି? ନା ଆଜି ବି ସେମାନେ ଆମ ଚାରିପାଖରେ ବଞ୍ଚିଛନ୍ତି? ଚୀନରୁ ମିଳିଥିବା ୧୪.୯ କୋଟି ବର୍ଷ ପୁରୁଣା ଏକ କ୍ଷୁଦ୍ର ପକ୍ଷୀର ଜୀବାଶ୍ମ ପରେ ଏହି ପ୍ରଶ୍ନ ଏବେ ପୁଣି ଉଠିଛି ।

ପ୍ରାୟ ୧୪ କୋଟି ୯୦ ଲକ୍ଷ ବର୍ଷ ଧରି ପୃଥିବୀର ମାଟି ତଳେ ଲୁଚି ରହିଥିବା ଏକ କ୍ଷୁଦ୍ର ଜୀବାଶ୍ମ ଏବେ ବିଜ୍ଞାନ ଜଗତକୁ ଚମକାଇ ଦେଇଛି।

ଚୀନ୍‌ର ବୈଜ୍ଞାନିକମାନେ ବିଶ୍ୱର ସବୁଠାରୁ ଛୋଟ ଲମ୍ବା ଲାଞ୍ଜ ଥିବା ପ୍ରାଚୀନ ପକ୍ଷୀର ଜୀବାଶ୍ମ ଆବିଷ୍କାର କରିଛନ୍ତି। ଏହି ଜୀବାଶ୍ମ ପକ୍ଷୀମାନେ କିପରି ଡାଇନୋସରରୁ ଆଧୁନିକ ବା ବର୍ତ୍ତମାନର ପକ୍ଷୀରେ ପରିଣତ ହେଲେ, ସେହି ରହସ୍ୟର ଏକ ବଡ଼ ସୂଚନା ଦେଇଛି।

ଚୀନ୍‌ର ଫୁଜିଆନ୍ ପ୍ରଦେଶର ଜେଙ୍ଗହେ ଅଞ୍ଚଳରୁ ମିଳିଥିବା ଏହି ନୂଆ ପ୍ରଜାତିର ନାମ 'ବାମିନର୍ନିସ୍ ଜେଙ୍ଗହେନ୍ସିସ୍' (Baminornis zhenghensis) ରଖାଯାଇଛି। ଏହାର ଲମ୍ବ ମାତ୍ର ୧୫ ସେଣ୍ଟିମିଟର, ଅର୍ଥାତ୍ ସହଜରେ ଜଣେ ବ୍ୟକ୍ତିଙ୍କ ପାପୁଲିରେ ଧରି ହେବ। କିନ୍ତୁ ଏହାର ବୈଜ୍ଞାନିକ ଗୁରୁତ୍ୱ ଅତ୍ୟନ୍ତ ବିଶାଳ।

ସେହି ସମୟରେ ପୃଥିବୀରେ ଡାଇନୋସରଙ୍କ ରାଜ ଚାଲିଥିଲା। ପ୍ରାରମ୍ଭିକ ପକ୍ଷୀମାନଙ୍କର ଡାଇନୋସରଙ୍କ ପରି ଲମ୍ବା ହାଡ଼ର ଲାଞ୍ଜ ଥିଲା। ଆଜିର ପକ୍ଷୀମାନଙ୍କ ପରି ଛୋଟ ଲାଞ୍ଜ ଓ ଉଡ଼ାଣ ପାଇଁ ଉପଯୁକ୍ତ ଶରୀର ସେମାନଙ୍କର ନଥିଲା। ବୈଜ୍ଞାନିକମାନେ ଦୀର୍ଘଦିନ ଧରି ଜାଣିବାକୁ ଚେଷ୍ଟା କରୁଥିଲେ ଯେ, ଏହି ପରିବର୍ତ୍ତନ କିପରି ଘଟିଲା।

ନେଚର ଜର୍ଣ୍ଣାଲରେ ପ୍ରକାଶିତ ଏହି ଗବେଷଣା ଅନୁଯାୟୀ, ବାମିନର୍ନିସ୍‌ର ଶରୀରରେ ଏକାସାଙ୍ଗେ ଦୁଇ ପ୍ରକାରର ବୈଶିଷ୍ଟ୍ୟ ଦେଖିବାକୁ ମିଳିଛି। ଏହାର ଲମ୍ବା ଲାଞ୍ଜ ଡାଇନୋସରଙ୍କ ଶରୀର ଗଠନ ମନେ ପକାଉଥିବା ବେଳେ, କାନ୍ଧ, ଛାତି ଓ ଡେଣାର ଗଠନ ଆଧୁନିକ ପକ୍ଷୀମାନଙ୍କ ପରି ଉଡ଼ାଣ ପାଇଁ ବିକଶିତ ହେବା ଆରମ୍ଭ କରିଥିଲା।

ବୈଜ୍ଞାନିକମାନଙ୍କ କହିବା ଅନୁସାରେ, ବିକାଶ ପ୍ରକ୍ରିୟା କେବେ ବି ଏକାଥରେ ଘଟେନାହିଁ। ଶରୀରର ବିଭିନ୍ନ ଅଂଶ ଭିନ୍ନ ଭିନ୍ନ ସମୟରେ ବଦଳିଥାଏ। ବାମିନର୍ନିସ୍ ସେହି 'ମୋଜାଇକ୍ ଇଭୋଲ୍ୟୁସନ୍'ର ଏକ ଜୀବନ୍ତ ପ୍ରମାଣ, ଯେଉଁଠାରେ ଗୋଟିଏ ଜୀବରେ ଡାଇନୋସର ଓ ଆଧୁନିକ ପକ୍ଷୀ, ଉଭୟର ବୈଶିଷ୍ଟ୍ୟ ଏକାସାଙ୍ଗେ ରହିଛି।

ଏହି ଆବିଷ୍କାର ଆର୍କିଓପ୍ଟେରିକ୍ସ ପରି ପୁରୁଣା ଜୀବାଶ୍ମ ଉପରେ ଥିବା ବୈଜ୍ଞାନିକ ଧାରଣାକୁ ଆହୁରି ସ୍ପଷ୍ଟ କରିଛି। ଏହା ସୂଚାଉଛି ଯେ, ଲେଟ୍ ଜୁରାସିକ୍ ଯୁଗରେ ଛୋଟ ଆକାରର ପକ୍ଷୀମାନେ ପୂର୍ବରୁ ବି ବିଭିନ୍ନ ପ୍ରଜାତିରେ ବିକଶିତ ହୋଇସାରିଥିଲେ। ବିଶେଷଜ୍ଞମାନଙ୍କ ମତରେ, ଫୁଜିଆନ୍ ଅଞ୍ଚଳରୁ ଆଗାମୀ ଦିନରେ ଆହୁରି ଏଭଳି ଜୀବାଶ୍ମ ମିଳିପାରେ, ଯାହା ଡାଇନୋସରରୁ ଆକାଶର ରାଜା ପକ୍ଷୀ ପର୍ଯ୍ୟନ୍ତ ବିକାଶର କାହାଣୀକୁ ଆହୁରି ସ୍ପଷ୍ଟ କରିବ।

ମାତ୍ର ୧୫ ସେଣ୍ଟିମିଟରର ଏହି ଛୋଟ ଜୀବାଶ୍ମ ଆଜି ବିଜ୍ଞାନ ଜଗତ ପାଇଁ କୋଟି କୋଟି ବର୍ଷର ଏକ ବଡ଼ ରହସ୍ୟର ଦ୍ୱାର ଖୋଲିଦେଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia