Dailyhunt
ମହିଳା ସଂରକ୍ଷଣ ଉପରେ ରାଜନୀତି ସରଗରମ: ରାସ୍ତାକୁ ଓହ୍ଲାଇବ ବିଜେଡି, ୧୦ରୁ ଆରମ୍ଭ ହେବ 'ନାରୀ ଅଧିକାର ଅଭିଯାନ'

ମହିଳା ସଂରକ୍ଷଣ ଉପରେ ରାଜନୀତି ସରଗରମ: ରାସ୍ତାକୁ ଓହ୍ଲାଇବ ବିଜେଡି, ୧୦ରୁ ଆରମ୍ଭ ହେବ 'ନାରୀ ଅଧିକାର ଅଭିଯାନ'

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଏକଦିବସୀୟ ସ୍ୱତନ୍ତ୍ର ଅଧିବେଶନରେ 'ନାରୀଶକ୍ତି ବନ୍ଦନ ଅଧିନିୟମ' ଉପରେ ସଂକଳ୍ପ ପାରିତ ହେବା ପରେ ଏବେ ରାଜ୍ୟ ରାଜନୀତି ସରଗରମ ହୋଇପଡ଼ିଛି। ବିଧାନସଭା ଭିତରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଲାଗି ରହିଥିବା ମାରାଥନ୍ ଆଲୋଚନାର ପ୍ରଭାବ ଏବେ ରାଜରାସ୍ତାକୁ ଓହ୍ଲାଇଛି। ଏହି ପ୍ରସଙ୍ଗରେ ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପର ପର୍ବ ଜାରି ରହିଛି।

ବିଜେପି ନେତ୍ରୀ ତଥା ମହିଳା ମୋର୍ଚ୍ଚା ସଭାପତି ଐଶ୍ୱର୍ଯ୍ୟା ବିଶ୍ୱାଳ ବିରୋଧୀଙ୍କ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ନାରୀଶକ୍ତି ବନ୍ଦନ ଅଧିନିୟମ ଏବେ ଆଉ କେବଳ ଏକ ଆଇନ ହୋଇ ରହିନାହିଁ, ବରଂ ଏହା ସାଧାରଣ ମହିଳାଙ୍କ ଅଧିକାର ପାଇଁ ଏକ ଜନଆନ୍ଦୋଳନରେ ପରିଣତ ହେଲାଣି। ବିରୋଧୀଙ୍କ ଦ୍ୱୈତ ନୀତିକୁ ନେଇ ପ୍ରଶ୍ନ ଉଠାଇ ସେ କହିଛନ୍ତି, 'ବିରୋଧୀମାନେ ଏକ ବିଚିତ୍ର ସ୍ଥିତିରେ ଅଛନ୍ତି। ଗୋଟିଏ ପଟେ ସେମାନେ ମହିଳାଙ୍କ ପାଇଁ ୫୦% ସଂରକ୍ଷଣ ଦାବି କରୁଛନ୍ତି, ଅଥଚ ପ୍ରଥମେ ପ୍ରସ୍ତାବିତ ୩୩% ସଂରକ୍ଷଣକୁ ସମର୍ଥନ ଦେବାକୁ କୁଣ୍ଠାବୋଧ କରୁଛନ୍ତି।' କଂଗ୍ରେସକୁ ଟାର୍ଗେଟ୍ କରି ସେ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ ନିଜେ ଏହାକୁ ବିରୋଧ କରୁଛି ପୁଣି ନିଜେ ଆନ୍ଦୋଳନ ବି କରୁଛି। ନାରୀ ସଶକ୍ତୀକରଣକୁ ସମର୍ଥନ କରିବା ପରିବର୍ତ୍ତେ ଏଭଳି ରାଜନୀତି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ ମତ ରଖିଛନ୍ତି।

ସେପଟେ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବରିଷ୍ଠ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ବିଜେପିର ଦାବିକୁ ଖଣ୍ଡନ କରି କଡ଼ା ଜବାବ ଦେଇଛନ୍ତି। ଗତକାଲି ବିଧାନସଭାରେ ସରକାର ମିଛ କହି ଲୋକଙ୍କୁ ଭ୍ରମିତ କରିଥିବା ସେ ଅଭିଯୋଗ କରିଛନ୍ତି। ପ୍ରମିଳା ମଲ୍ଲିକ କହିଛନ୍ତି, 'ସରକାର ସଂରକ୍ଷଣ ନାଁରେ ମହିଳାମାନଙ୍କୁ କେବଳ ଭୁଆଁ ବୁଲାଉଛନ୍ତି। ୨୦୨୩ ମସିହାରେ କେନ୍ଦ୍ର ସରକାର ସଂରକ୍ଷଣ ବିଲ୍ ଆଣିଥିଲେ ଏବଂ ଏହାକୁ ସମସ୍ତେ ସମର୍ଥନ ମଧ୍ୟ କରିଥିଲେ। କିନ୍ତୁ ରାଷ୍ଟ୍ରପତିଙ୍କ ଅନୁମୋଦନର ଦୁଇ ବର୍ଷ ଦଶ ମାସ ବିତିଯାଇଥିଲେ ସୁଦ୍ଧା ଏହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ବିଜେପି ମହିଳାମାନଙ୍କୁ କେବଳ ଏକ ରାଜନୈତିକ ଅସ୍ତ୍ର ଭାବରେ ବ୍ୟବହାର କରୁଛି।'

ଏହାସହ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ଉପରେ ପ୍ରଶ୍ନ ଉଠାଇ ସେ ଅଭିଯୋଗ କରିଛନ୍ତି ଯେ, ମହିଳା ନିର୍ଯାତନା କ୍ଷେତ୍ରରେ ଏବେ ଦେଶରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି।

ବିଜେପି ସରକାରଙ୍କ ବିଫଳତା ଏବଂ ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ଭ୍ରମକୁ ଦୂର କରିବା ପାଇଁ ବିଜେଡି ଏକ ବଡ଼ ଧରଣର ଆନ୍ଦୋଳନ ପ୍ରସ୍ତୁତି କରୁଛି। ଆସନ୍ତା ୧୦ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଦଳ ପକ୍ଷରୁ 'ନାରୀ ଅଧିକାର ଅଭିଯାନ' ଆରମ୍ଭ କରାଯିବ। ମହିଳାମାନଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିବା ସହ ସମସ୍ତ ବିଡିଓ ଏବଂ ତହସିଲଦାରଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯିବ ବୋଲି ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି।

ମୋଟାମୋଟି ଭାବେ ଦେଖିବାକୁ ଗଲେ, ନାରୀଶକ୍ତି ବନ୍ଦନ ଅଧିନିୟମକୁ କେନ୍ଦ୍ର କରି ରାଜ୍ୟରେ ଏବେ ରାଜନୈତିକ ବାତାବରଣ ସମ୍ପୂର୍ଣ୍ଣ ଉଷ୍ମ ହୋଇଉଠିଛି ଏବଂ ଆଗାମୀ ଦିନରେ ଏହି ଲଢ଼େଇ ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia