Dailyhunt
'ମିଶନ ୨୪' ପାଇଁ ଚିନ୍ତା: ପାଓ୍ଵାର-ପ୍ରଶାନ୍ତ ଆଲୋଚନା!

'ମିଶନ ୨୪' ପାଇଁ ଚିନ୍ତା: ପାଓ୍ଵାର-ପ୍ରଶାନ୍ତ ଆଲୋଚନା!

ନୂଆଦିଲ୍ଲୀ: ଗୋଟିଏ ପଟେ ମନ୍ତ୍ରୀମଣ୍ଡଳରେ ପରିବର୍ତ୍ତନ ପାଇଁ ମୋଦୀ ବିଚାର କରୁଥିବା ବେଳେ ବିରୋଧୀ ଶିବିରରେ ମଧ୍ୟ ବଡ଼ ଯୋଜନା ଚାଲୁଥିବା ଚର୍ଚ୍ଚା ହେଉଛି। ପୋଲ୍ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର ଓ ଏନଏସପି ମୁଖ୍ୟ ଶରଦ ପାଓ୍ଵାରଙ୍କ ମଧ୍ୟରେ ଆଲୋଚନା ଏ ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି। ଗତ ୧୧ ତାରିଖରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏବେ ପୁଣି ଆଜି ଆଲୋଚନା ହୋଇଛି। ମାତ୍ର ୧୦ ଦିନ ଭିତରେ ଦୁଇଦୁଇଥର ଆଲୋଚନାର ଗୁରୁତ୍ଵ ରହିଛି ବୋଲି ଦିଲ୍ଲୀ ରାଜନୀତି ବିଶେଷଜ୍ଞମାନେ ମତ ରଖିଛନ୍ତି। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଶରଦ ଆସନ୍ତାକାଲି ବିରୋଧୀଦଳଗୁଡ଼ିକୁ ବୈଠକ ପାଇଁ ନିମନ୍ତ୍ରଣ କରିଛନ୍ତି। ସୂଚନା ଅନୁସାରେ ଆସନ୍ତାକାଲି ଅପରାହ୍ନ ୪ଟା ବେଳେ ଏ ବୈଠକ ହେବାର ଅଛି। ୧୫ରୁ ଅଧିକ ଦଳକୁ ଏ ବୈଠକରେ ଯୋଗଦେବା ପାଇଁ ପାଓ୍ଵାର ନିମନ୍ତ୍ରଣ କରିଛନ୍ତି।

ଜାତୀୟସ୍ତରର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁସାରେ ୨୦୨୪ରେ ମୋଦୀଙ୍କ ସହ ମୁକାବିଲା କରିବା ପାଇଁ ଏକ ମିଳିତ ସାମ୍ମୁଖ୍ୟ ଗଠନର ସପକ୍ଷରେ ଶରଦ ପାଓ୍ଵାର ଚାହୁଁଛନ୍ତି। ଏହି ତୃତୀୟ ସାମ୍ମୁଖ୍ୟରେ କଂଗ୍ରେସ ମଧ୍ୟ ରହି ନ ପାରେ। ଏହାଛଡ଼ା ମିଳିତ ସାମ୍ମୁଖ୍ୟ ବର୍ତ୍ତମାନ ପାଇଁ ବିରୋଧୀ ଦଳର ଦାୟିତ୍ଵ ତୁଲାଇବ। ସୂତ୍ର ଅନୁସାରେ ଏହି ମିଳିତ ସାମ୍ମୁଖ୍ୟରେ କିଛି ଆଞ୍ଚଳିକ ଦଳ ମଧ୍ୟ ସାମିଲ ହେବାକୁ ଗୁପ୍ତରେ ସମ୍ମତି ଜଣାଇଛନ୍ତି। ଶରଦଙ୍କ ମୁମ୍ବାଇ ବାସଭବନରେ ହୋଇଥିବା ଏହି ବୈଠକରେ ଅନ୍ୟ କିଏ ଉପସ୍ଥିତ ଥିଲେ ତାହା ଜଣାପଡ଼ିନାହିଁ।

ପ୍ରଶାନ୍ତ କିଶୋର ମମତାଙ୍କ ପାଇଁ ନିର୍ବାଚନ ପରିଚାଳନା କରୁଥିଲେ। ଏଥିରେ ମମତାଙ୍କ ଟିଏମସି ବିପୁଳ ବିଜୟ ହାସଲ କରିବା ପରେ ପ୍ରଶାନ୍ତ କିଶୋରଙ୍କ ଗୁରୁତ୍ଵ ଅଧିକ ବଢ଼ିଯାଇଛି। ବିଶେଷ କରି ନିର୍ବାଚନ ପରିଚାଳନା କ୍ଷେତ୍ରରେ ତାଙ୍କର ସଫଳତାକୁ ଦେଖି ଏ ବୈଠକକୁ ରାଜନୀତି ସମୀକ୍ଷକମାନେ ଅଧିକ ଗୁରୁତ୍ଵ ଦେଉଛନ୍ତି। ପୂର୍ବରୁ ଶିବସେନା ନେତା ସଞ୍ଜୟ ରାଉତ ମଧ୍ୟ ଜାତୀୟସ୍ତରରେ ବିରୋଧୀଦଳଙ୍କର ଏକ ସାମ୍ମୁଖ୍ୟ ରହିବା ଦରକାର ବୋଲି କହିଥିଲେ।

ପ୍ରଦର୍ଶନକୁ ନେଇ ଏକାଧିକ ବିରୋଧୀ ଦଳ କଂଗ୍ରେସର ନେତୃତ୍ଵ ଉପରେ ଭରସା କରିପାରୁନାହାନ୍ତି। ଗତ ପଶ୍ଚିମବଙ୍ଗ ନିର୍ବାଚନରେ ମଧ୍ୟ କଂଗ୍ରେସର ପ୍ରଦର୍ଶନ ଆଦୌ ପ୍ରଭାବୀ ନ ଥିଲା। ଏହା ସହିତ ଆସାମ ନିର୍ବାଚନରେ ମଧ୍ୟ କଂଗ୍ରେସ ବିଫଳ ହୋଇଥିଲା। ଆଗକୁ ଉତ୍ତରପ୍ରଦେଶ ନିର୍ବାଚନ ଥିବାରୁ ଏହା ପୂର୍ବରୁ ଶରଦ ପାଓ୍ଵାର ବିରୋଧୀ ଦଳର ନେତୃତ୍ଵ ନେବା ପାଇଁ ଯୋଜନା କରୁଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମଧ୍ୟ ମୋଦୀଙ୍କୁ ବିରୋଧ କରିବା ପାଇଁ ସମସ୍ତ ଆଞ୍ଚଳିକ ଦଳଗୁଡ଼ିକୁ ଆହ୍ଵାନ ଦେଇଥିଲେ।। ତେବେ ବିରୋଧୀ ସାମ୍ମୁଖ୍ୟରେ କିଏ କିଏ ସାମିଲ ହେବାକୁ ଚାହୁଁଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia