Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
PM on Energy Crisis: 'ବିଶ୍ବର ବଡ ସଙ୍କଟକୁ ହରାଇଲା ଭାରତ.', ପ୍ରଧାନମନ୍ତ୍ରୀ ବଖାଣିଲେ ତେଲ ସଙ୍କଟର ଦେଶ କିପରି କଲା ସଫଳ ମୁକାବିଲା?

PM on Energy Crisis: 'ବିଶ୍ବର ବଡ ସଙ୍କଟକୁ ହରାଇଲା ଭାରତ.', ପ୍ରଧାନମନ୍ତ୍ରୀ ବଖାଣିଲେ ତେଲ ସଙ୍କଟର ଦେଶ କିପରି କଲା ସଫଳ ମୁକାବିଲା?

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ସ୍ଥିତି ଯୋଗୁଁ ବିଶ୍ବରେ ତେଲ ଏବଂ ଶକ୍ତି ସଙ୍କଟ ଦେଖାଦେଇଥିବା ବେଳେ ଏହାକୁ ନେଇ ଏକ ବଡ ଦାବି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜସ୍ଥାନରେ ବହୁ ପ୍ରତୀକ୍ଷିତ ରିଫାଇନେରୀ ପ୍ରକଳ୍ପର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ପଶ୍ଚିମ ଏସିଆରେ ଯୁଦ୍ଧ ଯୋଗୁଁ ସୃଷ୍ଟି ହୋଇଥିବା ୨୧ଶ ଶତାବ୍ଦୀର ସବୁଠାରୁ ବଡ଼ ଶକ୍ତି ସଙ୍କଟକୁ ଭାରତ ସଫଳତାର ସହ ମୁକାବିଲା କରିଛି।

ସେ କହିଛନ୍ତି, ସମୟୋପଯୋଗୀ ନିଷ୍ପତ୍ତି, ସଠିକ୍ ରଣନୀତି ଏବଂ ଭାରତର କୂଟନୀତିକ ଦକ୍ଷତା ଯୋଗୁଁ ଦେଶ ବଡ଼ ଇନ୍ଧନ ସଙ୍କଟରୁ ରକ୍ଷା ପାଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର ସଂଘର୍ଷ ଯୋଗୁଁ ବିଶ୍ୱର ଅନେକ ଦେଶ ଅଭୂତପୂର୍ବ ଇନ୍ଧନ ସଙ୍କଟର ସମ୍ମୁଖୀନ ହୋଇଥିଲେ। ବିଶେଷକରି ହର୍ମୁଜ୍ ପ୍ରଣାଳୀ ବନ୍ଦ ହେବାର ଆଶଙ୍କା ଭାରତ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା, କାରଣ ଦେଶର ପ୍ରାୟ ୬୦ ପ୍ରତିଶତ LPG ଆବଶ୍ୟକତା ଆମଦାନୀ ଉପରେ ନିର୍ଭରଶୀଳ। ତେବେ ଭାରତର କୂଟନୀତିକ ସମ୍ପର୍କ ଓ ପୂର୍ବ ପ୍ରସ୍ତୁତି ଯୋଗୁଁ ଏହି ସଙ୍କଟକୁ ଏଡ଼ାଇବା ସମ୍ଭବ ହୋଇଥିଲା।

ମୋଦି କହିଛନ୍ତି, ଯୁଦ୍ଧ ସମୟରେ ଭାରତ ପ୍ରାୟ ୪୦ଟି ଦେଶରୁ ଇନ୍ଧନ ଯୋଗାଡ଼ କରିଥିଲା। ବିଶ୍ୱ ସପ୍ଲାଇ ଚେନ୍ ପ୍ରଭାବିତ ହୋଇଥିଲେ ମଧ୍ୟ ଦେଶରେ LPG ଯୋଗାଣ ବାଧାପ୍ରାପ୍ତ ହୋଇନଥିଲା। ସେ କହିଛନ୍ତି, ସରକାର ମାତ୍ର ୭ ଦିନ ମଧ୍ୟରେ LPG ସଙ୍କଟକୁ ନିୟନ୍ତ୍ରଣ କରିଥିଲେ ଏବଂ ବ୍ୟବସାୟୀଙ୍କୁ ଆଶ୍ୱସ୍ତି ଦେବା ପାଇଁ ବାଣିଜ୍ୟିକ LPG ସିଲିଣ୍ଡର ଦର ମଧ୍ୟ କମାଯାଇଥିଲା।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଇନ୍ଧନ ଦର ବୃଦ୍ଧିର ସମ୍ପୂର୍ଣ୍ଣ ବୋଝ ସାଧାରଣ ଲୋକଙ୍କ ଉପରେ ନପଡ଼ିବା ପାଇଁ ସରକାରୀ ତୈଳ ବିପଣନ କମ୍ପାନୀମାନେ ୭୫ ହଜାର କୋଟି ଟଙ୍କାରୁ ଅଧିକ କ୍ଷତି ସହିଥିଲେ, ଯାହାର ଭାର ସରକାର ବହନ କରିଥିଲେ। ଏହି ଅବସରରେ ସେ ରାଜସ୍ଥାନ ରିଫାଇନେରୀକୁ ଭାରତର ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରତା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ବର୍ଣ୍ଣନା କରିଥିଲେ। ସେ ଜୋଧପୁର ବିମାନବନ୍ଦରର ନୂଆ ଟର୍ମିନାଲ୍ ଭବନର ମଧ୍ୟ ଉଦ୍ଘାଟନ କରିଥିଲେ।

ଏହାସହ କଂଗ୍ରେସକୁ ଟାର୍ଗେଟ୍ କରି ମୋଦି କହିଥିଲେ, ପୂର୍ବ ସରକାର ସମୟରେ ରିଫାଇନେରୀ ପ୍ରକଳ୍ପ ଅଟକି ରହିଥିଲା। ବିଜେପି ସରକାର ଆସିବା ପରେ 'ଡବଲ୍ ଇଞ୍ଜିନ୍ ସରକାର' ଯୋଗୁଁ ପ୍ରକଳ୍ପର କାମ ଦ୍ରୁତ ଗତିରେ ଆଗକୁ ବଢ଼ିଥିବା ସେ ଦାବି କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia