Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପ୍ରଧାନମନ୍ତ୍ରୀଙ୍କ ଭିଡିଓ ହଟାଇବା ମେଟାକୁ ପଡ଼ିଲା ମହଙ୍ଗା: କ୍ଷମାପ୍ରାର୍ଥନା ଅଗ୍ରାହ୍ୟ କଲା ସଂସଦୀୟ କମିଟି, କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

ପ୍ରଧାନମନ୍ତ୍ରୀଙ୍କ ଭିଡିଓ ହଟାଇବା ମେଟାକୁ ପଡ଼ିଲା ମହଙ୍ଗା: କ୍ଷମାପ୍ରାର୍ଥନା ଅଗ୍ରାହ୍ୟ କଲା ସଂସଦୀୟ କମିଟି, କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ମନମାନି ଏବେ ଆଉ ବରଦାସ୍ତ କରାଯିବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଭିଡିଓ ଫେସବୁକରୁ ହଟାଯିବା ଘଟଣାକୁ ନେଇ କେନ୍ଦ୍ର ସରକାର ଓ ସଂସଦୀୟ କମିଟି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ପ୍ରସଙ୍ଗରେ ଫେସବୁକ୍ ଏବଂ ଇନଷ୍ଟାଗ୍ରାମର ମୂଳ କମ୍ପାନୀ 'ମେଟା' ପକ୍ଷରୁ କ୍ଷମାପ୍ରାର୍ଥନା କରାଯାଇଥିଲେ ମଧ୍ୟ ସୂଚନା ଓ ପ୍ରଯୁକ୍ତିବିଦ୍ୟା (ଆଇଟି) ସଂକ୍ରାନ୍ତୀୟ ସଂସଦୀୟ ସ୍ଥାୟୀ କମିଟି ଏହାକୁ ସିଧାସଳଖ ଅଗ୍ରାହ୍ୟ କରିଦେଇଛନ୍ତି।

'କେବଳ କ୍ଷମା ମାଗିଦେଲେ ଚଳିବ ନାହିଁ, ଏହି ତ୍ରୁଟି ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋधରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ' ବୋଲି କମିଟି ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅଧ୍ୟକ୍ଷତାରେ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ସଂସଦୀୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ତଥା ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସମେତ ମେଟା, ଗୁଗୁଲ୍, ୟୁଟ୍ୟୁବ୍, ଏକ୍ସ (ପୂର୍ବରୁ ଟ୍ୱିଟର) ଏବଂ ସ୍ନାପଚାଟ୍ ଭଳି ବଡ଼ ଟେକ୍ କମ୍ପାନୀର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏହି ଉଚ୍ଚସ୍ତରୀୟ ବୈଠକରେ ମେଟା ପ୍ଲାଟଫର୍ମରୁ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ହଟାଯିବା ପ୍ରସଙ୍ଗ ମୁଖ୍ୟ ଆଲୋଚନାର ବିଷୟ ପାଲଟିଥିଲା।

ସୂଚନାଯୋଗ୍ୟ ଯେ, ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ବିବାଦ ଏବଂ ଏନେଇ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ଏକ ଖାସ୍ ଭିଡିଓ ବାର୍ତ୍ତା ସେୟାର କରିଥିଲେ। ତେବେ ମେଟା ଏହି ଭିଡିଓଟିକୁ ହଟାଇ ଦେଇଥିଲା, ଯାହା ପରେ ବିବାଦ ତୀବ୍ର ହୋଇଥିଲା। ବୈଠକରେ ମେଟା ଅଧିକାରୀମାନେ ନିଜ ପକ୍ଷ ରଖି କହିଥିଲେ ଯେ ତାହା ଏକ ବୈଷୟିକ ତ୍ରୁଟି (ଟେକ୍ନିକାଲ୍ ଗ୍ଲିଚ୍) ଥିଲା ଏବଂ ଭୁଲବଶତଃ ଭିଡିଓଟି ଡିଲିଟ୍ ହୋଇଯାଇଥିଲା। ଏଥିପାଇଁ ସେମାନେ ଆନୁଷ୍ଠାନିକ ଭାବେ କ୍ଷମା ମଧ୍ୟ ମାଗିଥିଲେ ଏବଂ ଭିଡିଓଟିକୁ ପୁନଃ ରିଷ୍ଟୋର୍ (ବହାଲ) କରାଯାଇଥିବା ଦର୍ଶାଇଥିଲେ।

ତେବେ ସଂସଦୀୟ କମିଟିର ସଦସ୍ୟମାନେ କମ୍ପାନୀର ଏହି ଯୁକ୍ତିକୁ ଗ୍ରହଣ କରିନଥିଲେ। ସେମାନେ ତୀକ୍ଷ୍ଣ ସ୍ୱରରେ ପ୍ରଶ୍ନ କରିଥିଲେ ଯେ, 'ଯଦି ଦେଶର ପ୍ରଧାନମନ୍ତ୍ରୀଙ୍କ ବିଷୟବସ୍ତୁ ଏହି ପ୍ଲାଟଫର୍ମରେ ସୁରକ୍ଷିତ ନୁହେଁ, ତେବେ ଜଣେ ସାଧାରଣ ୟୁଜରଙ୍କ ତଥ୍ୟ ଏବଂ କଣ୍ଟେଣ୍ଟର ନିରାପତ୍ତା ନେଇ ଗ୍ୟାରେଣ୍ଟି କିଏ ଦେବ?' ସାଂସଦମାନଙ୍କ ମତରେ ଏହା କୌଣସି ସାଧାରଣ ବୈଷୟିକ ତ୍ରୁଟି ନୁହେଁ, ବରଂ ବଡ଼ ଡିଜିଟାଲ୍ କମ୍ପାନୀଗୁଡ଼ିକର ଉତ୍ତରଦାୟିତ୍ୱର ଅଭାବ । ଡିଜିଟାଲ୍ ସୁରକ୍ଷାକୁ ନେଇ ସରକାର କେତେ ଗମ୍ଭୀର ତାହା ଏହି ବୈଠକରୁ ସ୍ପଷ୍ଟ ହୋଇଛି। ଏହି ଘଟଣା ପାଇଁ ପ୍ରକୃତରେ ଯିଏ ବି ଦାୟୀ, ତାଙ୍କୁ ତୁରନ୍ତ ଚିହ୍ନଟ କରି କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିଟି ପକ୍ଷରୁ ମେଟାକୁ ନିର୍ଦ୍ଦେଶ ଦିଆଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia