ନୂଆଦିଲ୍ଲୀ: ପୁଣି ଥରେ ଫେରିଲା କରୋନା ଭୟ ! ପ୍ରାୟ ୬ ବର୍ଷ ପୂର୍ବେ ସାରା ବିଶ୍ୱକୁ ଥରହର କରିଥିବା କରୋନା ଭାଇରସ୍ ଏବେ ପୁଣି ଥରେ ଚିନ୍ତା ବଢ଼ାଇଛି। ବିଶ୍ୱବ୍ୟାପୀ ସଂକ୍ରମଣ କମିବା ପରେ ଏବେ ସିଙ୍ଗାପୁରରେ କରୋନାର କାୟା ବିସ୍ତାର ଦେଖିବାକୁ ମିଳିଛି, ଯାହା ସାରା ବିଶ୍ୱ ପାଇଁ ଏକ ସତର୍କ ଘଣ୍ଟି।
ମାତ୍ର ଗୋଟିଏ ସପ୍ତାହରେ ୧୨ ହଜାର ୭୦୦ ନୂଆ ଆକ୍ରାନ୍ତ ଦେଖାଯାଇଛି।
ସିଙ୍ଗାପୁରରେ ସଂକ୍ରମଣର ଗ୍ରାଫ୍ ହଠାତ୍ ରକେଟ୍ ଗତିରେ ଉପରକୁ ଉଠିଛି। ଚଳିତ ମାସ ୧୦ ରୁ ୧୬ ତାରିଖ ମଧ୍ୟରେ ସେଠାରେ ରେକର୍ଡ ୧୨ ହଜାର ୭୦୦ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଗତ ସପ୍ତାହ ତୁଳନାରେ ଏହା ପ୍ରାୟ ୫୮ ପ୍ରତିଶତ ଅଧିକ। ଏହି ଦ୍ରୁତ ସଂକ୍ରମଣ ପରେ ସେଠାକାର ସ୍ୱାସ୍ଥ୍ୟ ବିଭାଗ ଏବଂ ସାଧାରଣ ଜନତା ସମ୍ପୂର୍ଣ୍ଣ ଆଲର୍ଟ ମୋଡ୍କୁ ଚାଲିଆସିଛନ୍ତି।
ନୂଆ ଭେରିଏଣ୍ଟ 'NB.1.8.1' ର ଆତଙ୍କ । ଡାକ୍ତର ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ, ସିଙ୍ଗାପୁରରେ ଏହି ଆତଙ୍କ ପଛରେ ରହିଛି କରୋନାର ଏକ ନୂଆ ରୂପ, ଯାହାର ନାମ ହେଉଛି 'NB.1.8.1' ଭେରିଏଣ୍ଟ।
ତେବେ ଏହା ଭିତରେ ଏକ ଆଶ୍ୱସ୍ତିକର ଖବର ମଧ୍ୟ ସାମ୍ନାକୁ ଆସିଛି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ବର୍ତ୍ତମାନ ବଜାରରେ ଉପଲବ୍ଧ ଥିବା କରୋନା ଭ୍ୟାକ୍ସିନ୍ ଏହି ନୂଆ ଭେରିଏଣ୍ଟ ବିରୋଧରେ ସମ୍ପୂର୍ଣ୍ଣ ପ୍ରଭାବଶାଳୀ। ସବୁଠାରୁ ଭଲ କଥା ହେଉଛି, ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କାହାରି ମୃତ୍ୟୁ ହୋଇନାହିଁ।
ପରିସ୍ଥିତିକୁ ଦୃଷ୍ଟିରେ ରଖି ସିଙ୍ଗାପୁର ପ୍ରଶାସନ ଲୋକମାନଙ୍କୁ ସାବଧାନତା ଅବଲମ୍ବନ କରିବାକୁ ଏବଂ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ନିବେଦନ କରିଛି। ଯେପରିକି ମାସ୍କ ପିନ୍ଧିବା ଓ ସାନିଟାଇଜର ବ୍ୟବହାର କରିବାକୁ ନିବେଦନ କରାଯାଇଛି। ବିଦେଶରେ ସଂକ୍ରମଣ ବଢ଼ୁଥିବାରୁ ଆମକୁ ମଧ୍ୟ ସତର୍କ ରହିବାକୁ ହେବ।

