Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରାଜ୍ୟରେ ଲଗାଣ ବର୍ଷା ଓ ଜଳବନ୍ଦୀ ଆଶଙ୍କା: ହାଇଆଲର୍ଟରେ ସମସ୍ତ ପୌରାଞ୍ଚଳ, ଆକ୍ସନ ମୋଡ୍‌ରେ 'ରାପିଡ୍ ଆକ୍ସନ ଟିମ୍'

ରାଜ୍ୟରେ ଲଗାଣ ବର୍ଷା ଓ ଜଳବନ୍ଦୀ ଆଶଙ୍କା: ହାଇଆଲର୍ଟରେ ସମସ୍ତ ପୌରାଞ୍ଚଳ, ଆକ୍ସନ ମୋଡ୍‌ରେ 'ରାପିଡ୍ ଆକ୍ସନ ଟିମ୍'

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ସକ୍ରିୟ ଥିବାରୁ ଅଧିକାଂଶ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ବିଭିନ୍ନ ସହରାଞ୍ଚଳରେ ଜଳବନ୍ଦୀ ତଥା କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ଏହି ସମ୍ଭାବ୍ୟ ବିପଦର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ତତ୍ପରତା ଦେଖାଇବା ସହ ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲ୍‌ବି)କୁ ହାଇଆଲର୍ଟରେ ରଖିଛନ୍ତି।

ଯେକୌଣସି ଜରୁରୀକାଳୀନ ସ୍ଥିତିର ତୁରନ୍ତ ସମାଧାନ ପାଇଁ ପ୍ରସ୍ତୁତ ରହିବାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବର୍ଷା ଋତୁରେ ନାଗରିକମାନଙ୍କ ସୁରକ୍ଷା ନିଶ୍ଚିତ କରିବା ଏବଂ ସେମାନଙ୍କୁ ନିରବଚ୍ଛିନ୍ନ ନାଗରିକ ସେବା ଯୋଗାଇଦେବା ରାଜ୍ୟ ସରକାରଙ୍କ ପ୍ରମୁଖ ଲକ୍ଷ୍ୟ। ତେଣୁ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ମହାନଗର ନିଗମ, ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଗୁଡ଼ିକୁ ଏକ ସ୍ୱତନ୍ତ୍ର ଆଡଭାଇଜରି ଜାରି କରାଯାଇଛି। ବିଶେଷ କରି ତଳିଆ ଅଞ୍ଚଳ ଏବଂ ଜଳବନ୍ଦୀ ପାଇଁ ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ସ୍ଥାନଗୁଡ଼ିକ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ କୁହାଯାଇଛି।

ବର୍ଷା ଜନିତ ସମସ୍ୟାର ତୁରନ୍ତ ପ୍ରତିକାର ପାଇଁ ପ୍ରତି ୟୁଏଲ୍‌ବିରେ 'ରାପିଡ୍ ଆକ୍ସନ ଟିମ୍' ମୁତୟନ କରିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି। ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇ ସ୍ଥିତି ଉପରେ ନିରନ୍ତର ନଜର ରଖାଯିବ। ପୌରାଞ୍ଚଳର ଅଧିକାରୀ, ଇଞ୍ଜିନିୟର ଏବଂ ସଫେଇ କର୍ମଚାରୀମାନେ ନିୟମିତ ଭାବେ କ୍ଷେତ୍ର ପରିଦର୍ଶନ କରିବେ ଏବଂ ରାସ୍ତାରେ ପାଣି ଜମିବା, ଡ୍ରେନ୍ ଜାମ୍ ହେବା, ସ୍ୱେରେଜ୍ ଓଭରଫ୍ଲୋ ଏବଂ ଗଛ ଉପୁଡ଼ି ପଡ଼ିବା ଭଳି ସମସ୍ୟାର ତୁରନ୍ତ ସମାଧାନ କରିବେ। ଜଳ ନିଷ୍କାସନ ପାଇଁ ଆବଶ୍ୟକୀୟ ମୋଟର ପମ୍ପ, ମେସିନ ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି ସର୍ବଦା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ଜରୁରୀ ସମୟରେ ଲୋକଙ୍କ ସୁବିଧା ପାଇଁ ଏବଂ ସେମାନଙ୍କ ଅଭିଯୋଗର ଶୀଘ୍ର ଶୁଣାଣି କରିବା ଉଦ୍ଦେଶ୍ୟରେ ରାଜ୍ୟର ସହରାଞ୍ଚଳ ଅଭିଯୋଗ ଶୁଣାଣି ହେଲ୍ପଲାଇନ୍ ନମ୍ବର 'ସହର ସାଥୀ' (୧୯୨୯) କୁ ସମ୍ପୂର୍ଣ୍ଣ ରୂପେ ସକ୍ରିୟ କରାଯାଇଛି। ସହରବାସୀ ନିଜ ଅଞ୍ଚଳରେ ଥିବା ଜଳବନ୍ଦୀ ବା ଡ୍ରେନେଜ୍ ସମସ୍ୟା ସମ୍ପର୍କରେ ଏହି ନମ୍ବରରେ କଲ୍ କରି ସିଧାସଳଖ ଅଭିଯୋଗ କରିପାରିବେ, ଯାହାଦ୍ୱାରା ପ୍ରଶାସନ ପକ୍ଷରୁ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଇପାରିବ। ଜିଲ୍ଲା ପ୍ରଶାସନ ତଥା ବିପର୍ଯ୍ୟୟ ପରିଚାଳନା ବିଭାଗ ସହ ଉତ୍ତମ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ବିଭାଗ ପକ୍ଷରୁ ସମସ୍ତ ପୌରାଞ୍ଚଳକୁ ଆହ୍ୱାନ ଦିଆଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia