Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Repo Rate: ରେପୋ ରେଟ୍‌ରେ ନାହିଁ କୌଣସି ପରିବର୍ତ୍ତନ, ୫.୨୫%ରେ ସ୍ଥିର ରଖିଲା RBI, EMIରେ ମିଳିଲାନି ଆଶ୍ୱସ୍ତି

Repo Rate: ରେପୋ ରେଟ୍‌ରେ ନାହିଁ କୌଣସି ପରିବର୍ତ୍ତନ, ୫.୨୫%ରେ ସ୍ଥିର ରଖିଲା RBI, EMIରେ ମିଳିଲାନି ଆଶ୍ୱସ୍ତି

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପୁଣି ଥରେ ରେପୋ ରେଟ୍‌କୁ ୫.୨୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି। ସୋମବାରଠାରୁ ଆରମ୍ଭ ହୋଇଥିବା ମନିଟାରି ପଲିସି କମିଟି (MPC) ବୈଠକ ପରେ ବୁଧବାର RBI ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି। ଫଳରେ ଘର, ଗାଡ଼ି କିମ୍ବା ଅନ୍ୟ ଋଣ ନେଇଥିବା ଗ୍ରାହକଙ୍କ EMI ଓ ସୁଧ ହାରରେ ତୁରନ୍ତ କୌଣସି ଆଶ୍ବସ୍ତି ମିଳିବ ନାହିଁ।

ଚଳିତ ବର୍ଷ RBI ଏପର୍ଯ୍ୟନ୍ତ ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ କରିନାହିଁ। ଶେଷଥର ପାଇଁ ଡିସେମ୍ବର ୨୦୨୫ରେ ରେପୋ ରେଟ୍‌କୁ ୦.୨୫ ପ୍ରତିଶତ କମାଯାଇଥିଲା। ଏଥର ମଧ୍ୟ MPC ସୁଧ ହାର ସମ୍ପର୍କିତ ନିଜର 'ନିରପେକ୍ଷ (Neutral)' ଆଭିମୁଖ୍ୟକୁ ବଜାୟ ରଖିଛି। RBI ପ୍ରତି ଦୁଇ ମାସରେ ଥରେ ମନିଟାରି ପଲିସିର ସମୀକ୍ଷା କରି ଆର୍ଥିକ ସ୍ଥିତିକୁ ଆଧାର କରି ସୁଧ ହାରରେ ପରିବର୍ତ୍ତନ କରିଥାଏ। ଚଳିତ ବର୍ଷ ଫେବୃଆରୀ, ଏପ୍ରିଲ, ଜୁନ ଓ ଅଗଷ୍ଟରେ MPC ବୈଠକ ହୋଇଥିବା ବେଳେ ପରବର୍ତ୍ତୀ ବୈଠକ ଅକ୍ଟୋବରରେ ହେବ।

RBI ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା କହିଛନ୍ତି, ଦେଶର ଖୁଚୁରା ମୁଦ୍ରାସ୍ଫୀତି ଆକଳନଠାରୁ ଅଧିକ ରହିଛି। ବିଶେଷକରି ଖାଦ୍ୟ ସାମଗ୍ରୀ ଓ ଇନ୍ଧନ ଦର ବୃଦ୍ଧି ଏହାର ପ୍ରମୁଖ କାରଣ। ମୁଦ୍ରାସ୍ଫୀତି ଯୋଗୁଁ ଯୋଗାଣ ବ୍ୟବସ୍ଥା ଉପରେ ମଧ୍ୟ ଚାପ ସୃଷ୍ଟି ହେଉଛି। ସେହିପରି ମୌସୁମୀ ବର୍ଷାର ଅନିଶ୍ଚିତତା ଯୋଗୁଁ ଆଗାମୀ ସମୟର ଆର୍ଥିକ ସ୍ଥିତି ସମ୍ପର୍କରେ ଏବେଠାରୁ ସ୍ପଷ୍ଟ ଆକଳନ କରିବା କଷ୍ଟକର ବୋଲି ସେ କହିଛନ୍ତି।

ତେବେ ସେ କହିଛନ୍ତି, ଦେଶରେ ଶକ୍ତିଶାଳୀ ଚାହିଦା ରହିଥିବାରୁ ଆର୍ଥିକ ଅଭିବୃଦ୍ଧିକୁ ଲଗାତାର ସମର୍ଥନ ମିଳୁଛି। ବର୍ତ୍ତମାନର ଚ୍ୟାଲେଞ୍ଜ ସତ୍ତ୍ୱେ ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ଭାବେ ରହିଛି। ଅନ୍ୟପଟେ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ବିଶ୍ୱ ବାଣିଜ୍ୟିକ ମାର୍ଗକୁ ପ୍ରଭାବିତ କରୁଥିବାରୁ ଏହା ବିଶ୍ୱ ଅର୍ଥନୀତି ପାଇଁ ଚିନ୍ତାର ବିଷୟ ବୋଲି ଗଭର୍ଣ୍ଣର କହିଛନ୍ତି। ତାଙ୍କ ମତରେ, ନିକଟ ଭବିଷ୍ୟତରେ ମୁଦ୍ରାସ୍ଫୀତି କିଛିଟା ବଢ଼ିପାରେ, କିନ୍ତୁ ତୃତୀୟ ତ୍ରୟମାସିକରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିବା ପରେ ଏହା ହ୍ରାସ ପାଇବା ଆରମ୍ଭ କରିବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia