Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସବୁବେଳେ ମୋବାଇଲ୍‌ ଦେଖୁଥିଲେ ସାବଧାନ !

ସବୁବେଳେ ମୋବାଇଲ୍‌ ଦେଖୁଥିଲେ ସାବଧାନ !

ନୂଆଦିଲ୍ଲୀ: ଆପଣ ସ୍ମାର୍ଟଫୋନ୍ କିମ୍ବା ଲାପଟପ୍‌ର ଅଧିକ ବ୍ୟବହାର କରୁଛନ୍ତି କି ? ଯଦି ହଁ, ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଏହା କେବଳ ଆପଣଙ୍କ ଆଖି କିମ୍ବା ନିଦ ଖରାପ କରୁନାହିଁ, ବରଂ ଆପଣଙ୍କ ଚେହେରାର ସୌନ୍ଦର୍ଯ୍ୟକୁ ମଧ୍ୟ ଛଡ଼ାଇ ନେଉଛି। ଡାକ୍ତର ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏବେ ଏକ ନୂଆ ବିପଦକୁ ନେଇ ଚେତାବନୀ ଦେଇଛନ୍ତି, ଯାହାର ନାମ ହେଉଛି 'ଡିଜିଟାଲ୍ ସନ୍‌ବର୍ଣ୍ଣ' (Digital Sunburn)।

ସ୍କ୍ରିନ୍‌ରୁ ବାହାରୁଥିବା ନୀଳ ଆଲୋକ ବା 'ବ୍ଲୁ ଲାଇଟ୍' ଆପଣଙ୍କୁ ସମୟ ପୂର୍ବରୁ ବୁଢ଼ା କରିଦେଉଛି। ଆସନ୍ତୁ ଦେଖିବା ଆମର ଏହି ବିଶେଷ ରିପୋର୍ଟ।

ଆଜିକାଲିର ଡିଜିଟାଲ୍ ଦୁନିଆରେ ମୋବାଇଲ୍, ଲାପ୍‌ଟପ୍, ଟାବଲେଟ୍, କମ୍ଫ୍ଯୁଟର ଏବଂ ଟିଭି ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଯାଇଛି। କିନ୍ତୁ ଏହି ସ୍କ୍ରିନ୍‌ରୁ ବାହାରୁଥିବା 'ହାଇ ଏନର୍ଜି ଭିଜିବଲ୍ ଲାଇଟ୍' ବା ବ୍ଲୁ ଲାଇଟ୍ (Blue Light) ଆମ ତ୍ୱଚା ପାଇଁ ସବୁଠାରୁ ବଡ଼ ଶତ୍ରୁ ସାଜିଛି। ସୂର୍ଯ୍ୟ କିରଣ ପରି ଏହି ଆଲୋକ ମଧ୍ୟ ତ୍ୱଚାର ଗଭୀରତାକୁ ଯାଇ କୋଲାଜେନ୍ (Collagen) ପ୍ରୋଟିନ୍‌କୁ ନଷ୍ଟ କରିଦେଉଛି। ଯାହାଫଳରେ ଚେହେରାରେ କୁଞ୍ଚନ, ଫାଇନ୍ ଲାଇନ୍ସ ଏବଂ ଶିଥିଳତା ଦେଖାଦେଉଛି।

ଡିଜିଟାଲ୍ ସନ୍‌ବର୍ଣ୍ଣର ମୁଖ୍ୟ ଲକ୍ଷଣ ହେଉଛି, ତ୍ୱଚାରେ ପିଗ୍‌ମେଣ୍ଟେସନ୍ ଏବଂ କଳା ଦାଗ ହେବା, ଚେହେରାର ରଙ୍ଗ ଅସମାନ ଦେଖାଯିବା, ସ୍କ୍ରିନ୍ ଆଲୋକ ଯୋଗୁଁ ତ୍ୱଚା ଡିହାଇଡ୍ରେଟ୍ ବା ଶୁଷ୍କ ହୋଇଯିବା, ଚେହେରା ସଦାବେଳେ କ୍ଳାନ୍ତ ଏବଂ ନିଷ୍ପ୍ରଭ ଦେଖାଯିବା। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଯେଉଁମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମୋବାଇଲ୍ ବ୍ୟବହାର କରନ୍ତି କିମ୍ବା ଘଣ୍ଟା ଘଣ୍ଟା ଲାପଟପ୍‌ରେ କାମ କରନ୍ତି, ସେମାନଙ୍କଠାରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳୁଛି। ଏହା କେବଳ ତ୍ୱଚା ନୁହେଁ, ବରଂ ଆଖିରେ ପୋଡ଼ାଜଳା, ମୁଣ୍ଡବିନ୍ଧା ଏବଂ ଶରୀରର ଜୈବିକ ଘଡ଼ି, Biological Clockକୁ ମଧ୍ୟ ବିଗାଡ଼ି ଦେଉଛି।

ତେବେ ଏହି ଡିଜିଟାଲ୍ ସନ୍‌ବର୍ଣ୍ଣରୁ ନିଜକୁ ରକ୍ଷା କରିବେ କେମିତି ? ଡାକ୍ତରମାନେ ଏଥିପାଇଁ କିଛି ସହଜ ଉପାୟ ବତାଇଛନ୍ତି, ଯାହାକୁ ଆପଣେଇ ଆପଣ ନିଜ ତ୍ୱଚାକୁ ସୁରକ୍ଷିତ ରଖିପାରିବେ:

ପ୍ରତି ୨୦-୩୦ ମିନିଟ୍‌ରେ ସ୍କ୍ରିନ୍‌ରୁ ବ୍ରେକ୍ ନିଅନ୍ତୁ। ମୋବାଇଲ୍ ଏବଂ ଲାପଟପ୍‌ରେ ସବୁବେଳେ 'ବ୍ଲୁ ଲାଇଟ୍ ଫିଲ୍ଟର' କିମ୍ବା 'ଡାର୍କ ମୋଡ୍' ବ୍ୟବହାର କରନ୍ତୁ। ଘର ଭିତରେ ରହିଲେ ମଧ୍ୟ ନିୟମିତ ଭାବେ ସନ୍‌ସ୍କ୍ରିନ୍ (Sunscreen) ଲଗାନ୍ତୁ। ତ୍ୱଚାକୁ ହାଇଡ୍ରେଟ୍ ରଖିବା ପାଇଁ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ। ଖାଦ୍ୟରେ ଭିଟାମିନ୍ C ଏବଂ E ଭରପୂର ଆହାର ସାମିଲ କରନ୍ତୁ ଏବଂ ପର୍ଯ୍ୟାପ୍ତ ଶୁଅନ୍ତୁ। ଆପଣଙ୍କର ସତର୍କତା ହିଁ ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟର ଚାବିକାଠି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia