Monday, 26 Jul, 8.00 am ଓଡିଶା ସମ୍ବାଦ

ଆଲେଖ
ସଦା ପ୍ରାସଙ୍ଗିକ ଗାନ୍ଧୀ ବିଚାର

ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ସତ୍ୟାଗ୍ରହ ସଂଗ୍ରାମର ଫଳ ସ୍ୱରୂପ ଭାରତରୁ ପ୍ରାୟ ୩୦୦ ବର୍ଷର ବ୍ରଟିଶ୍ ଶାସନର ଅନ୍ତ ଘଟିଲା ୧୯୪୭ ଅଗଷ୍ଟ ୧୫ରେ ଏବଂ ଆମ ଦେଶ ସ୍ୱାଧୀନ ହେଲା । ଏହି କଷ୍ଟଲବ୍ଧ ସ୍ୱାଧୀନତା ପାଇଁ ହଜାର ହଜାର ସଂଗ୍ରାମୀ ସହିଦ ହୋଇଛନ୍ତି ଓ ଲକ୍ଷାଧିକ ନିର୍ଯାତନା ଓ କାରାବରଣ କରିଛନ୍ତି । ଦେଶ ବିଭାଜନ ସହ ଭାଇ ରକ୍ତରେ ଭାଇର ହୋଲି ଖେଳ ଭିତରେ ଆସିଥିବା ଏହି ସ୍ୱାଧୀନତାରେ ଗାନ୍ଧୀ ଖୁସି ନ ଥିଲେ; ବରଂ ଗଭୀର ମନସ୍ତାପ, ମୌନ ଓ ଉପବାସ ଭିତରେ ଦଙ୍ଗା ଗ୍ରସ୍ତ କଲିକତାର ଏକ ଅନ୍ଧାରୀ ଘରେ ସେ ବିନିଦ୍ର ରଜନୀ କାଟୁଥିବା ବେଳେ ତାଙ୍କ ସହିତ ଥିଲେ ପ୍ରିୟ ଗୀତା ଓ ଚରଖା ।

ଜାତିର ଜନକଙ୍କୁ କୃତଜ୍ଞତା ଜଣାଇବା ପରିବର୍ତ୍ତେ କୃତଘ୍ନତାର ଶୀର୍ଷକୁ ଯାଇ ସ୍ୱାଧୀନତା ପ୍ରାପ୍ତିର ମାତ୍ର ୫ ମାସ ୧୬ ଦିନରେ ତାଙ୍କୁ ହତ୍ୟା କରାଗଲା । ସେତେବେଳକୁ ଗାନ୍ଧୀ ପାଲଟି ଯାଇଥିଲେ ବୁଦ୍ଧ ଓ ଯୀଶୁଙ୍କ ଭଳି ବିଚାରରେ । ତାଙ୍କ ମୃତ୍ୟୁ ପରେ କାମ ବି କଥା କହିବ ବୋଲି ଗାନ୍ଧୀଜୀ ଅବଶ୍ୟ ବାରମ୍ବାର କହି ଆସୁଥିଲେ । ତାଙ୍କ ଅବର୍ତ୍ତମାନର ଦୀର୍ଘ ବର୍ଷ ପରେ କିନ୍ତୁ ଏବେ ବି କେହି କେହି ଗାନ୍ଧୀ ବିଚାରର ପ୍ରାସଙ୍ଗିକତା ଘେନି ପ୍ରଶ୍ନ କରନ୍ତି ।

୧୯୬୯ରେ ଗାନ୍ଧୀଜୀଙ୍କ ଜନ୍ମ ଶତବାର୍ଷିକୀ ପାଳନବେଳେ ଗାନ୍ଧୀ ବିଚାରର ପ୍ରାସଙ୍ଗିକତା ଶୀର୍ଷକ ଜିଲ୍ଲାସ୍ତରୀୟ ପ୍ରବନ୍ଧ ଓ ବକୃତା ପ୍ରତିଯୋଗୀତାରେ ବିଦ୍ୟାଳୟ ଛାତ୍ର ହିସାବରେ ମୁଁ ପ୍ରଥମ ହୋଇଥଲ । ୧୯୯୪ରେ ଗାନ୍ଧୀ-କସ୍ତୁରବାଙ୍କ ୧୨୫ତମ ଜନ୍ମବାର୍ଷିକୀର ପ୍ରତିପାଳନ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ କରାଯାଉଥିଲା ଉତ୍କଳ ସର୍ବୋଦୟ ମଣ୍ଡଳ ଓ ଗାନ୍ଧୀ ସ୍ମାରକ ନିଧିର ମିଳିତ ପ୍ରଚେଷ୍ଟାରେ । ସେତେବେଳେ ଗାନ୍ଧୀ ନିଧି ଓ ସର୍ବୋଦୟ ରିଲିଫ୍ କମିଟିର ସଭାପତି ମନମୋହନ ଚୌଧୁରୀ ଥିବାବେଳେ ଏହାର ଅବୈତନିକ ସମ୍ପାଦକ ଭାବେ କାମ କରିବାର ସୁଯୋଗ ମୋତେ ଦିଆଯାଇଥିଲା । ସେ ସମୟରେ ବି ଗାନ୍ଧୀ ବିଚାରର ପ୍ରାସଙ୍ଗିକତା ଉପରେ ଚର୍ଚ୍ଚା ହେଉଥିଲା ।

୨୦୧୮-୨୦୨୦ ପର୍ଯ୍ୟନ୍ତ ଦୁଇ ବର୍ଷ ଧରି ଓଡିଶା ସମେତ ଦେଶ ବିଦେଶରେ ୧୫୦ତମ ଗାନ୍ଧୀ ଜନ୍ମବାର୍ଷିକୀ ପାଳିତ ହେଲା । ଏଥିପାଇଁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ରାଜ୍ୟ ସ୍ତରୀୟ କମିଟିରେ ରହଥିବାରୁ କାର୍ଯ୍ୟକ୍ରମକୁ ଆଗେଇ ନେବାରେ କିଛି ଦାୟିତ୍ୱ ମୋତେ ଦିଆଯାଇଥିଲା । ଏହି ଅବସରରେ ବ୍ୟକ୍ତିଗତ ଭାବେ ଅନ୍ୟୁନ ୧୫୦ଟି ଅନୁଷ୍ଠାନରେ ଗାନ୍ଧୀ କଥାରେ ଭାଗ ନେବା ଓ ପତ୍ର ପତ୍ରିକାରେ ଗାନ୍ଧୀ ବିଚାର ଆଧାରିତ ୧୫୦ଟି ସ୍ତମ୍ଭ / ନିବନ୍ଧ ଲେଖିବା ପାଇଁ ପ୍ରୟାସ କରିଥିଲି ।

ସେତେବେଳେ ବିଭିନ୍ନ ସ୍ଥାନରେ ଛାତ୍ର, ଯୁବକମାନଙ୍କୁ ଭେଟିବାବେଳେ ବି ଗାନ୍ଧୀ ବିଚାରର ପ୍ରାସଙ୍ଗିକତା କଥା ଉଠୁଥିଲା । ଓଡିଶାକୁ ଗାନ୍ଧୀଜୀଙ୍କ ପ୍ରଥମ ଗସ୍ତର ଶତବାର୍ଷିକୀ ସରକାରୀ ଓ ବେସରକାରୀ ସ୍ତରରେ ପାଳିତ ହେବାବେଳେ ବି ଅନୁରୂପ ପ୍ରସଙ୍ଗ ଉଠୁଛି ଏବଂ ଯେଉଁମାନେ ଏହା ଉଠାଉଛନ୍ତି ସେମାନେ ଗାନ୍ଧୀ ବିଚାର ଅନନ୍ତକାଳ ପାଇଁ ପ୍ରାସଙ୍ଗିକ ହୋଇ ରହିବବୋଲି ସ୍ୱୀକାର କରିବା ସଙ୍ଗେ ସଙ୍ଗେ ଏହାର ସମୟୋପଯୋଗୀ ସଂସ୍କାର ସହ ପ୍ରୟୋଗ ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି । ତେବେ ଯେଉଁ ବିକୃତ ବିଚାରର କୁତ୍ସିତ ଷଡଯନ୍ତ୍ରକ୍ରମେ ଗାନ୍ଧୀଜୀଙ୍କୁ ହତ୍ୟା କରାଗଲା ସେହ ବିଚାରର କିଛି ଉତ୍ତରାଧିକାରୀ ଗାନ୍ଧୀଙ୍କ ସହ ଗାନ୍ଧୀ ବିଚାର ଖତମ ହୋଇ ଯାଇଛି ବୋଲି ବିଳିବିଳଉଥିବା ବେଳେ ବାସ୍ତବରେ କିନ୍ତୁ ଏହି ଶାଶ୍ୱତ ବିଚାରର ଉପସ୍ଥିତିକୁ ଡରି ଗାନ୍ଧୀ ମୂର୍ତ୍ତୀ ନିକଟରେ ମଥାନତ ସହ ମାଲ୍ୟାର୍ପଣ କରିବାକୁ ବାଧ୍ୟ ହେଉଛନ୍ତି ।

କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ଏହି ଅମ୍ଲାନ ବିଚାର ବ୍ୟାପ୍ତ ହେବାରେ ଲାଗିଛି । ଜାତିସଙ୍ଘର ନିଷ୍ପତିକ୍ରମେ ସମଗ୍ର ବିଶ୍ୱ ଗାନ୍ଧୀ ଜନ୍ମ ଦିନକୁ ଆନ୍ତର୍ଜାତିକ ଅହିଂସା ଦିବସଭାବେ ପାଳନ କରୁଥିବାବେଳେ ତାଙ୍କ ମହାପ୍ରୟାଣ ଦିବସକୁ ଭାରତ ପାଳୁଛି ଶହୀଦ ଦିବସଭାବେ । ଏମିତିକି ବ୍ରିଟିଶ୍ ସରକାର ବି ତାଙ୍କ ପାର୍ଲିଆମେଣ୍ଟ ସମ୍ମୁଖରେ ଗାନ୍ଧୀଜୀଙ୍କ ବିଶାଳ ପ୍ରତିମୂର୍ତ୍ତୀ ରଖି ତାଙ୍କ ବ୍ୟକ୍ତିତ୍ୱ ଓ ବିଚାରକୁ ସମ୍ମାନ ଦେଉଛି । ଏହାକୁ ଆଖି ଆଗରେ ରଖି ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବା ଲାଗି ଓଡିଶା କେନ୍ଦ୍ରକୁ ପ୍ରସ୍ତାବ ଦେଇଛି ।

'ବିନା ଯୁଦ୍ଧେ ନ ଦେବି ମୁଁ ସୁଚ୍ୟାଗ୍ର ମେଦିନୀ'- ଦୁର୍ଯ୍ୟୋଧନଙ୍କ ଏହି ଘୋଷଣାରୁ ସୃଷ୍ଟି ହୋଇଥଲି । ମହାଭାରତ ଯୁଦ୍ଧ । ଏବେ ବି ଫୁଟେ ଦିଫୁଟ ଜମି ବିବାଦ ପାଇଁ ଅଦାଲତରେ ବିପୁଳ ଅର୍ଥ ଶ୍ରାଦ୍ଧ ସହ ଗଡୁଛି ହଜାର ହଜାର ମାମଲା । କିନ୍ତୁ ଗାନ୍ଧୀ ବିଚାରକୁ ପ୍ରୟୋଗ କରି ତାଙ୍କପଟ୍ଟଶିଷ୍ୟ ବିନୋବା ଭାବେ ୧୯୫୧ରେ ତେଲେଙ୍ଗାନାର ପୋଚମ୍‌ପଲ୍ଲୀ ଗାଁରେ ଗରୀବ ଲୋକଙ୍କ ପାଇଁ ରାମଚନ୍ଦ୍ର ରେଡ୍ଡିଙ୍କ ଠାରୁ ଯେଉଁ ଜମି ଦାନ ଗ୍ରହଣ କରିଥିଲେ ତାହା ଭୂଦାନ ଆନ୍ଦୋଳନରେ ପରିଣତ ହେଲା । ଏହି ଅଦ୍ଭୁତ ଭିକ୍ଷୁଙ୍କ ଝୁଲିରେ ୧୯୭୦ ସୁଦ୍ଧା ପଡିଥିଲା ପାଖାପାଖି ୪୨ ଲକ୍ଷ ଏକର ଭୂଦାନ ଜମି ବୋଲି ଟି.ପି.ସିଂହ ନାମକ ଜଣେ ଗବେଷକ ତାଙ୍କ ରଚିତ 'ଭୂଦାନ୍ ଆଣ୍ଡ୍ ଗ୍ରାମଦାନ୍ ଇନ୍ ଓଡିଶା' ପୁସ୍ତକରେ ଦର୍ଶାଇଛନ୍ତି । ଏଥିମଧ୍ୟରେ ଓଡିଶାରୁ ବି ସଂଗୃହୀତ ହୋଇଥିଲା ପ୍ରାୟ ଦୁଇ ଲକ୍ଷ ଏକର ଜମି । ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ ତାଙ୍କ ଆତ୍ମ ଜୀବନି 'ସ୍ମୃତି ଅନୁଭୂତି' ରେ ସ୍ୱୀକାର କରିଛନ୍ତି ଯେ ସରକାର ଭୂସଂସ୍କାର ଆଇନ ବଳରେ ଯେତେ ଜମି ପାଇ ନାହାନ୍ତି ତାହା ଠାରୁ ଅଧିକ ମିଳିଥିଲା ଏହି ଭୂ ସତ୍ୟାଗ୍ରହରେ । ଗାନ୍ଧୀ ବିଚାରର ସଫଳତାର ବହୁ ଉଦାହରଣ ମଧ୍ୟରୁ ଏହା ଗୋଟିଏ ।

ଚମ୍ବଲ୍ ଉପତ୍ୟକାର ଦୁର୍ଦ୍ଦାନ୍ତ ଦସ୍ୟୁମାନଙ୍କୁ ଦମନ କରିବାରେ ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ ଓ ରାଜସ୍ଥାନର ସଶସ୍ତ୍ର୍ର ପୋଲିସ ବଳ ସହିତ ସେନା ବାହିନୀ ବିଫଳ ହୋଇଥିଲା । କିନ୍ତୁ ୧୯୬୦ରେ ବିନୋବା ଭାବେ ଓ ୧୯୭୨ରେ ଜୟ ପ୍ରକାଶ ନାରାୟଣଙ୍କ ଭଳି ଗାନ୍ଧୀବାଦୀ ନେତାମାନଙ୍କ ଚରଣତଳେ ଶହ ଶହ ଡକାୟତ ଅସ୍ତ୍ର ଥୋଇ ଆତ୍ମ ସମର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶାର ସର୍ବୋଦୟ ନେତ୍ରୀ ଅନ୍ନପୂର୍ଣ୍ଣା ମହାରାଣା ଓ ବୈଦେହୀ ପଣ୍ଡାଙ୍କ ସମେତ ହେମଦେବ ଶର୍ମା, ନାରାୟଣ ଦେଶାଇ, ଦାଦା ଧର୍ମାଧିକାରୀ, ଏସ୍‌.ଏନ୍‌.ସୁବାରାଓଙ୍କ ଭଳି ଶାନ୍ତି ମିଶନ୍‌ର କର୍ମୀମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଦସ୍ୟୁ ହୃଦୟରେ ଦେବତା ଓ ଆଣ୍ଡ ଦେ ଗେଭ୍ ଅପ୍ ଡକାୟତି ଆଦି ପୁସ୍ତକ ଗୁଡିକରେ ଏହି ବିରଳ ଘଟଣାର ଲୋମ ଟାଙ୍କୁରା ବିବରଣୀ ରହିଛି । ଶୁଭ ସଙ୍କଳ୍ପର ପରିଣାମ ନିଶ୍ଚୟ ଶୁଭ ହୁଏ ବୋଲି ଗାନ୍ଧୀ ବିଚାରର ମୌଳିକ ତତ୍ୱକୁ ଏହି ସର୍ବୋଦୟ ସାଧକମାନେ ସାକାର କରିଥିବାର ପ୍ରମାଣ ହେଉଛି ଚମ୍ବଲ୍ ଉପତ୍ୟକା ।

୧୯୪୨ ଭାରତଛାଡ ଆନ୍ଦୋଳନବେଳେ ବୀରତ୍ୱର ପରାକାଷ୍ଠା ଦେଖାଇ ପୁରୀ ଜେଲ ଡେଇଁ ପଳାଇଥବି । ଅନ୍ୟତମ ସଂଗ୍ରାମୀ ଅଲେଖ ପାତ୍ର ଗାନ୍ଧୀ ବିଚାର ଜଣେ ଜାଗ୍ରତ ପ୍ରହରୀ । ୧୯୮୦ର ଛାତ୍ର ଆନ୍ଦୋଳନ ସମୟରେ ସେ ଯାଉଥିବା ଏକ ସରକାରୀ ଯାତ୍ରୀବାହୀ ବସ୍‌କୁ ଜାଳିଦେବା ପାଇଁ ଉଦ୍ୟମ ହୋଇଥିବାବେଳେ ଡ୍ରାଇଭର, କଣ୍ଡକ୍ଟରଙ୍କ ସମେତ ସହଯାତ୍ରୀମାନେ ଜୀବନ ବିକଳରେ ପଳାଇଲେ । କିନ୍ତୁ, ଏକା ଅଲେଖ ପାତ୍ର ବସ୍‌ରେ ବସି ରହି ତାଙ୍କ ସହ ସରକାରୀ ସମ୍ପତିକୁ ଜାଳିବା ପାଇଁ ଯେଉଁ ଆହ୍ୱାନ ଦେଲେ ସେଥିରେ ଉତ୍ୟକ୍ତ ଜନତାଙ୍କ ହାତରୁ ନିଆଁ ହୁଳା ଖସି ପଡିଲା । ଏଭଳି ଉଦାହରଣ ଅନେକ । ବାଲିଆପାଳ, ଚିଲିକା, ଗୋପାଳପୁର, ଗନ୍ଧମାର୍ଦନ, ନିୟମଗିରି, ପୋସ୍କୋ ଆଦି ଆନ୍ଦୋଳନରେ ସତ୍ୟାଗ୍ରହୀମାନେ ପ୍ରମାଣ କରିଯାଇଛନ୍ତି ଗାନ୍ଧୀ ବିଚାରର ସଫଳତାକୁ । ଅତୀତରେ ରାଉରକେଲା, କଟକ, ଭଦ୍ରକ, ବାଲେଶ୍ୱର ଆଦି ସ୍ଥାନରେ ସୃଷ୍ଟି କରାଯାଇଥିବା ସାମ୍ପ୍ରଦାୟିକ ସଙ୍ଘର୍ଷର ପ୍ରଶମନ କରାଯାଇଥିଲା ଗାନ୍ଧୀବାଦୀ ଉପଚାରରେ ।

ସତ୍ୟ, ଅହିଂସା, ଅସ୍ତେୟ, ବ୍ରହ୍ମଚର୍ଯ୍ୟ , ଅସଂଗ୍ରହ, ଶରୀରଶ୍ରମ, ଅସ୍ୱାଦ, ଭୟବର୍ଜନ, ସର୍ବଧର୍ମ ସମାନତା, ସ୍ୱଦେଶୀ, ଅସ୍ପୃଶ୍ୟତା ନିବାରଣଆଦି ବ୍ରତକୁ ନମ୍ରତାର ସହ ପାଳନ କରେ ଗାନ୍ଧୀ ଦର୍ଶନର ସତ୍ୟାଗ୍ରହୀ । ପୁଣି ଏହି ଦର୍ଶନ ନୀତି ବିହୀନ ରାଜନୀତି, ନୈତିକତା ବିହୀନ ବାଣିଜ୍ୟ ବ୍ୟବସାୟ, ଚରିତ୍ର ବିହୀନ ଶିକ୍ଷା, ଶ୍ରମ ବିହୀନ ସମ୍ପଦ, ବିବେକ ବିହୀନ ବିଳାସ, ମାନବିକତା ବିହୀନ ବିଜ୍ଞାନ ଓ ତ୍ୟାଗ ବିହୀନ ଉପାସନାକୁ ପାପ ବୋଲି ବିଚାରେ । ଗାନ୍ଧୀ ଦର୍ଶନ ସତ୍ୟ ଓ ଅହିଂସା ମାର୍ଗରେ ସର୍ବୋଦୟ ସମାଜ ଗଠନ ପାଇଁ ସାମାଜିକ, ଆର୍ଥିକ, ସାଂସ୍କୃତିକ, ଆଧ୍ୟାତ୍ମିକ, ନୈତିକ ଓ ଶିକ୍ଷା କ୍ଷେତ୍ରରେ କ୍ରାନ୍ତି ଉପରେ ଗୁରୁତ୍ୱ ଦିଏ ।

ଟ୍ରଷ୍ଟିସିପ୍ ମାଧ୍ୟମରେ ଥିଲାବାଲା ଲୋକେ ନଥିଲା ବାଲାଙ୍କ ଯତ୍ନ ନେବା ପାଇଁ ସୂଚାଏ । ଭୟ, ଘୃଣା, ପକ୍ଷପାତିତା ଓ ବ୍ୟକ୍ତିଗତ ସ୍ୱାର୍ଥସାଧନରୁ ଉର୍ଦ୍ଧ୍ୱରେ ରହି ସେବା, ସ୍ନେହ, ପ୍ରେମ, କରୁଣା ଓ ତ୍ୟାଗର ସଂଞୀବନୀ ସିଞ୍ଚନ କରେ ଗାନ୍ଧୀ ବିଚାର । ସମାଜର ତଳେ ପଡିଥିବା ବ୍ୟକ୍ତିକୁ ଉପରକୁ ଉଠାଇବା ପାଇଁ ଗ୍ରାମ ସ୍ୱରାଜ ମାଧ୍ୟମରେ କୃଷି, କୁଟୀର ଓ ଗ୍ରାମ୍ୟ ଶିଳ୍ପ, ପରିବେଶ ସୁରକ୍ଷା, ସ୍ୱଚ୍ଛତା, ଆର୍ଥିକ ସମତା, ସ୍ୱାସ୍ଥ୍ୟରକ୍ଷା, ପ୍ରାଦେଶିକ ଭାଷାର ସମୃଦ୍ଧି ସହିତ ରାଷ୍ଟ୍ର ଭାଷାର ବିକାଶ, ନିଶା ନିବାରଣ, ପ୍ରତି ହାତକୁ କାମ ଓ ପ୍ରତି କ୍ଷେତରେ ଫସଲ ଉପରେ ଗୁରୁତ୍ୱ ଦିଏ ଗାନ୍ଧୀ ବିଚାର । ସନ୍ଦେହ ଓ ସ୍ୱାର୍ଥ ଭାବନାରେ ଉବୁଟୁବୁ ବ୍ୟକ୍ତିର ମୁକ୍ତି ପାଇଁ ଗାନ୍ଧୀ ଦିଅନ୍ତି ତାରକମନ୍ତ୍ର । ନିଜେ ଦେଖିଥିବା ଦରିଦ୍ରତମ ଲୋକଟିର ଚେହେରାକୁ ମନେ ପକାଇ ସେ କରୁଥିବା କାମ ଏହି ଲୋକଟିର ଜୀବନ ଓ ଭାଗ୍ୟ ବଦଳାଇବାରେ ସହାୟକ ହେବ କି ନାହିଁ ବୋଲି ତଉଲିଲେ ସନ୍ଦେହ ଓ ସ୍ୱାର୍ଥ ଭାବନା ଉଭେଇଯିବ ବୋଲି ଏହି ତାରକମନ୍ତ୍ରରେ କୁହାଯାଇଛି । ସ୍ୱାଧୀନ ଭାରତର ଆଇନ ଶୃଙ୍ଖଳା ଏତେ ଉନ୍ନତ ହେବ ଯେ ରାତି ଅଧରେ ବି ଜଣେ ଯୁବତୀ କୌଣସି ସ୍ଥାନକୁ ଯାଇ ନିରାପଦରେ ଫେରି ଆସି ପାରିବ ।

ଦେଶର ସର୍ବୋଚ୍ଚ କର୍ତ୍ତା ଓ ସର୍ବନିମ୍ନ ଲୋକର ରୋଜଗାର ମଧ୍ୟରେ ଆକାଶ ପାତାଳ ତଫାତ ରହିବ ନାହିଁ । ମାଲି ମକଦ୍ଦମାରୁ ମୁକ୍ତ କରିବ ଗ୍ରାମ ପଞ୍ଚାୟତ । ପ୍ରତିଲୋକ ଦେଶକୁ ତାହାର ନିଜର ବୋଲି ଭାବିବ ଏବଂ ଦେଶ ଗଠନରେ ବି ଭୂମିକା ରଖିବ । ଗାନ୍ଧୀ ବିଚାରରେ ଦେଶର ପ୍ରତି ଗାଁ ହେବ ଗୋଟିଏ ଗୋଟିଏ ରିପବ୍ଲିକ୍ । ବର୍ତ୍ତମାନର ଶୋଷଣ ସର୍ବସ୍ୱ ବଜାରୀକରଣ ଅର୍ଥନୀତିର ସ୍ଥାନ ଗାନ୍ଧୀ ବିଚାରରେ ନାର୍ହି । ମିତବ୍ୟୟିତା ସହ ସତ୍ ଚିନ୍ତା,ସତ୍ କର୍ମ ଓ ସତ୍ ବଚନ ଉପରେ ଗାନ୍ଧୀ ଦର୍ଶନ ପ୍ରତିଷ୍ଠିତ । ବ୍ୟକ୍ତି, ସମାଜ ଓ ବ୍ୟବସ୍ଥାର ସମ୍ପୂର୍ଣ୍ଣ ପରିବର୍ତ୍ତନ ଉପରେ ଏହି ବିଚାର ଧ୍ୟାନ ଦେଇଥାଏ । କିଛି ସଙ୍କଳ୍ପବଦ୍ଧ ସାଧକ ଦୁଃସମୟ ସ୍ରୋତର ପ୍ରତିକୂଳରେ ସନ୍ତରଣ କରି କଷ୍ଟଲବ୍ଧ ସ୍ୱରାଜ୍ୟକୁ ସ୍ୱର୍ଗ ରାଜ୍ୟରେ ପରିଣତ କରିବା ପାଇଁ ଆଜି ବି ଅମ୍ଲାନ ଗାନ୍ଧୀ ବିଚାର ଡାକି ଡାକି କହୁଛି । ସେଇଥିପାଇଁ ତ ପାର୍ଲିଆମେଣ୍ଟ୍ ଓ ବିଧାନସଭା ପରିସରରେ ନିର୍ବାଚିତ ପ୍ରତିନିଧିମାନେ ସେମାନଙ୍କ ପ୍ରତିବାଦର ସ୍ୱର ଉଠାଇବା ପାଇଁ ଗାନ୍ଧୀ ମୂର୍ତ୍ତି ତଳେ ବସନ୍ତି ଏବଂ ନିଜ ଅଧିକାର ଓ ଦାବି ହାସଲ ଲାଗି ବିଭିନ୍ନ ବ୍ୟକ୍ତି ବିଶେଷ ଓ ସଙ୍ଗଠନ ରାଜରାସ୍ତାରେ ଗାନ୍ଧୀଙ୍କ ଫଟୋ ରଖି ଧାରଣା ଓ ଅନଶନ କରନ୍ତି । ଏ ପରିପ୍ରେକ୍ଷୀରେ ଗାନ୍ଧୀ ବିଚାର କେବଳ ଆଜି ପାଇଁ ନୁହେଁ, ସବୁକାଳ ପାଇଁ ପ୍ରଯୁଜ୍ୟ ।

ଦୂରଭାଷ : ୯୪୩୭୦୧୭୩୯୫

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Sambad Odia
Top