Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସ୍କ୍ରବ୍ ଟାଇଫସକୁ ନେଇ ଏଭଳି କହିଲେ ସ୍ବାସ୍ଥ୍ୟ ମନ୍ତ୍ରୀ

ସ୍କ୍ରବ୍ ଟାଇଫସକୁ ନେଇ ଏଭଳି କହିଲେ ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର କିଛି ଅଞ୍ଚଳରେ ସ୍କ୍ରବ୍ ଟାଇଫସ୍ ଏବଂ ଝାଡ଼ାବାନ୍ତି ନେଇ ଚିନ୍ତା ପ୍ରକାଶ ପାଉଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରତିକ୍ରିୟା ରଖିଛନ୍ତି।

ଜନସାଧାରଣଙ୍କୁ ଆଶ୍ୱାସନା ଦେଇ ସେ କହିଛନ୍ତି ଯେ ଏଥିପାଇଁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ରାଜ୍ୟବ୍ୟାପୀ ସ୍କ୍ରବ୍ ଟାଇଫସ୍ ମାମଲାର ପ୍ରତିରୋଧ ଓ ପରିଚାଳନା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦିଷ୍ଟ ମାର୍ଗଦର୍ଶିକା ଜାରି କରାଯାଇଛି।

ମନ୍ତ୍ରୀ କହିଛନ୍ତି ଯେ ELISA ପରୀକ୍ଷା ବିନା ସ୍କ୍ରବ୍ ଟାଇଫସ୍ ସଂକ୍ରମଣକୁ ସ୍ପଷ୍ଟ କରାଯାଇପାରିବ ନାହିଁ। ତାଙ୍କ ଅନୁଯାୟୀ, ଜାନୁଆରୀ ମାସ ପରଠାରୁ କୌଣସି ନୂଆ ପଜିଟିଭ୍ ମାମଲା ଚିହ୍ନଟ ହୋଇନାହିଁ। ସୁନ୍ଦରଗଡ଼ରୁ ଆସିଥିବା ଅଭିଯୋଗଗୁଡ଼ିକ ପୁରୁଣା ମାମଲା ସହ ଜଡ଼ିତ ହୋଇପାରେ ଏବଂ ବର୍ତ୍ତମାନ ସେଗୁଡ଼ିକର ପୁନଃ ଯାଞ୍ଚ କରାଯାଉଛି।

କ୍ଷେତ୍ରସ୍ତରୀୟ ସ୍ଥିତିର ଅନୁଧ୍ୟାନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ଏକ ସ୍ୱତନ୍ତ୍ର ଦଳ ସୁନ୍ଦରଗଡ଼ ଏବଂ ପାଲଲହଡ଼ା ଗସ୍ତ କରିଛନ୍ତି। ବିଭାଗ ପକ୍ଷରୁ ସ୍ଥିତି ଉପରେ ସାପ୍ତାହିକ ନଜର ରଖାଯାଉଥିବା ବେଳେ ମନ୍ତ୍ରୀ ନିଜେ ମଧ୍ୟ ସମସ୍ତ ଘଟଣାକ୍ରମ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।

ଅନ୍ୟପକ୍ଷରେ ରାୟଗଡ଼ ଏବଂ ଏହାର ଆଖପାଖ ଅଞ୍ଚଳରେ ଝାଡ଼ାବାନ୍ତି ମାମଲା ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନଜର ରଖାଯାଇଛି। ଏକ ସ୍ୱତନ୍ତ୍ର ତଦାରଖକାରୀ ଦଳ ସ୍ଥିତି ଉପରେ ନଜର ରଖିବା ସହ ରୋଗର ପ୍ରସାର ସମ୍ପର୍କରେ ଆକଳନ କରୁଛନ୍ତି।

ସ୍ୱାସ୍ଥ୍ୟ ଅଧିକାରୀମାନେ ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ଓ ବିଶୋଧିତ ପାନୀୟ ଜଳ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। କାରଣ ଦୂଷିତ ଜଳ ଓ ଖାଦ୍ୟ ଝାଡ଼ାବାନ୍ତି ରୋଗର ଅନ୍ୟତମ ମୁଖ୍ୟ କାରଣ ହୋଇଥାଏ। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଆବଶ୍ୟକୀୟ ଔଷଧ ଓ ଚିକିତ୍ସା ସେବା ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି। ସନ୍ଦିଗ୍ଧ କିମ୍ବା ଦୂଷିତ ଖାଦ୍ୟର ବିକ୍ରି ଓ ବ୍ୟବହାରକୁ ରୋକିବା ପାଇଁ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ମଧ୍ୟ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia