Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଟଳିଲା ବନ୍ୟା ଆଶଙ୍କା, ରାଜ୍ୟରେ ଧୀରେ ଧୀରେ ଖସୁଛି ନଦୀର ଜଳସ୍ତର

ଟଳିଲା ବନ୍ୟା ଆଶଙ୍କା, ରାଜ୍ୟରେ ଧୀରେ ଧୀରେ ଖସୁଛି ନଦୀର ଜଳସ୍ତର

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର। ରାଜ୍ୟରେ ଏବେ ଆଉ ବନ୍ୟା ବିପଦ ନାହିଁ ଏବଂ ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର କ୍ରମାଗତ ଭାବେ ହ୍ରାସ ପାଉଛି ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ (ଇଆଇସି) ଦିଲୀପ ରାଉତ ସୂଚନା ଦେଇଛନ୍ତି। ସୋମବାର ସେ ଗଣମାଧ୍ୟମକୁ ବନ୍ୟା ସ୍ଥିତି ସମ୍ପର୍କରେ ସର୍ବଶେଷ ତଥ୍ୟ ପ୍ରଦାନ କରିଛନ୍ତି।

ଦିଲୀପ ରାଉତଙ୍କ କହିବା ଅନୁଯାୟୀ, ମହାନଦୀ ଅବବାହିକାର ଉପର ଏବଂ ତଳ ମୁଣ୍ଡରେ ବର୍ତ୍ତମାନ କୌଣସି ବର୍ଷା ନାହିଁ। ଫଳରେ ବନ୍ୟା ଆଶଙ୍କା ଏକପ୍ରକାର ଟଳିଯାଇଛି। ସୋମବାର ଦିନ ୧୨ଟା ସୁଦ୍ଧା ହୀରାକୁଦ ଡ୍ୟାମ୍‌ର ଜଳସ୍ତର ୬୨୦.୭୭ ଫୁଟ୍ ରହିଥିଲା। ତେବେ ବନ୍ୟା ପରିଚାଳନା ଦୃଷ୍ଟିକୋଣରୁ ମଙ୍ଗଳବାର ସୁଦ୍ଧା ଜଳାଶୟର ସ୍ତରକୁ ୬୧୮ ଫୁଟ୍ ଏବଂ ବୁଧବାର ସୁଦ୍ଧା ୬୧୫ ଫୁଟ୍‌କୁ କମାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ବର୍ତ୍ତମାନ ହୀରାକୁଦରୁ ପ୍ରାୟ ୩.୦୩ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିବା ବେଳେ ମୁଣ୍ଡଳୀଠାରେ ଏହା ୫.୮୨ ଲକ୍ଷ କ୍ୟୁସେକ ରହିଛି। ଏବେ ମହାନଦୀରେ କୌଣସି ବନ୍ୟା ବିପଦ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ବନ୍ୟା ଯୋଗୁଁ ନଷ୍ଟ ହୋଇଥିବା ନଦୀବନ୍ଧଗୁଡ଼ିକର ମରାମତିକୁ ବିଭାଗ ପକ୍ଷରୁ ପ୍ରାଥମିକତା ଦିଆଯାଉଛି। ବ୍ରାହ୍ମଣୀ ଏବଂ ବୈତରଣୀ ନଦୀବନ୍ଧରେ ଘାଇ ସୃଷ୍ଟି ହୋଇଥିବା ସ୍ଥାନଗୁଡ଼ିକର ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ଆରମ୍ଭ ହୋଇସାରିଛି ଏବଂ ଭିତ୍ତିଭୂମି ସୁଦୃଢ଼ କରିବା ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ଇଆଇସି କହିଛନ୍ତି।

ପାଣିପାଗ ସମ୍ପର୍କରେ ସୂଚନା ଦେଇ ଶ୍ରୀ ରାଉତ କହିଛନ୍ତି ଯେ, କିଛି ଆନ୍ତର୍ଜାତୀୟ ପାଣିପାଗ ମଡେଲ୍ ଅନୁଯାୟୀ ଆସନ୍ତା ଅଗଷ୍ଟ ୫ ତାରିଖ ପରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଏଯାଏଁ କୌଣସି ଆନୁଷ୍ଠାନିକ ପୂର୍ବାନୁମାନ କରାଯାଇନାହିଁ। ଯଦିଓ ବର୍ଷା ହୁଏ, ତଥାପି ବର୍ତ୍ତମାନର ବନ୍ୟା ସ୍ଥିତି ଉପରେ ଏହାର ବିଶେଷ ପ୍ରଭାବ ପଡ଼ିବ ନାହିଁ।

ଚଳିତ ବର୍ଷ ଏଲ୍-ନିନୋ ପ୍ରଭାବ ସତ୍ତ୍ୱେ ଜୁଲାଇ ମାସରେ ସ୍ୱାଭାବିକଠାରୁ ୩୮ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି। ପୂର୍ବରୁ ସ୍ୱାଭାବିକ ଠାରୁ କମ୍ ବର୍ଷା ହେବାର ପୂର୍ବାନୁମାନ ଥିଲେ ବି ମୌସୁମୀର ଏହି ଅସ୍ୱାଭାବିକ ଆଚରଣକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରାଯାଉଛି ବୋଲି ଇଆଇସି ପ୍ରକାଶ କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Sambad Odia