Saturday, 18 Jan, 1.01 am ଓଡିଶା ସମ୍ବାଦ

ହୋମ
ଦୁଷ୍କର୍ମ ଉଦ୍ୟମ କରି କଙ୍ଗାରୁ କୋର୍ଟରେ ତଣ୍ଡ ଗଣିଲେ ଯୁବକ

ଜଗତସିଂହପୁର : ( ମହେଶ୍ବର ତ୍ରିପାଠୀ ) ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ବେଳେ ଗ୍ରାମବାସୀଙ୍କ ହାତରେ ଧରାପଡିଲା ଅଭିଯୁକ୍ତ। ଗ୍ରାମବାସୀମାନେ ଅଭିଯୁକ୍ତକୁ ଧରିବା ପରେ ନିସ୍ତୁକ ମାଡ ମାରିବା ସହ କଙ୍ଗାରୁ କୋର୍ଟରେ ଜୋରିମାନା ଲଗାଯାଇଛି । ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓଟି ଭାଇରାଲ ହେବାରେ ଲାଗିଛି । ସୂଚନାଯୋଗ୍ୟ ଯେ, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳର ଥିବା ଏକ ରେଳଓ୍ବେ ଲେବଲକ୍ରସିଂ ନିକଟ ରାସ୍ତାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଟିଉସନ ଯାଉଥିଲେ । ହଠାତ୍ ଜଣେ ଯୁବକ ଆସି ନାବାଳିକାକୁ ଜୋରଜବରଦସ୍ତ ଅଟକାଇ ରେଳଲାଇନ କଡକୁ ଟାଣି ନେଇଯାଇଥିଲା । ଯାହାଫଳରେ ନାବାଳିକା ଛାତ୍ରୀ ଜଣଙ୍କ ବଡପାଟିରେ ଚିତ୍କାର କରିବା ଆରମ୍ଭ କରିଥିଲା । ନାବାଳିକାର ଚିତ୍କାର ଶୁଣି ରେଳଲାଇନ କଡରେ ଶୌଚ ପାଇଁ ଯାଇଥିବା ଜଣେ ସ୍ଥାନୀୟ ବ୍ୟକ୍ତି ଘଟଣାସ୍ଥଳକୁ ଦୌଡି ଆସି ଦୁଷ୍କର୍ମକାରୀକୁ ପ୍ରତିବାଦ କରିଥିଲା । ପ୍ରତିବାଦକାରୀକୁ ଧକ୍କା ମାରି ଖସିଯିବାକୁ ଉଦ୍ୟମ କରିଥିଲା ଯୁବକ ଜଣକ । କିନ୍ତୁ ଘଟଣାସ୍ଥଳରେ ପାଟିତୁଣ୍ଡ ଶୁଣି ସ୍ଥାନୀୟଲୋକ ରୁଣ୍ଡ ହୋଇ ଅଭିଯୁକ୍ତକୁ କାବୁ କରିନେଇଥିଲେ ।

ଯୁବକକୁ କାବୁ କରିବା ପରେ ନିସ୍ତୁକମାଡ ମାରିଥିଲେ। ପରେ ଯୁବକ ଜଣଙ୍କୁ ମୁର୍ମୂଷୁ ଅବସ୍ଥାରେ ଲେବଲକ୍ରସିଂ ପାଖ ଏକ ସାଇକେଲ ଷ୍ଟାଣ୍ଡ ଘରେ ଅଟକ ରଖାଯାଇଥିଲା। ଆହତ ନାବାଳିକାକୁ ଉଦ୍ଧାର କରି ତାର ପରିବାର ଲୋକଙ୍କ ଜିମା ଦିଆଯାଇଥିଲା। କିଛି ସମୟ ପରେ କିଛିଲୋକ ଏକାଠି ହୋଇ ଆରମ୍ଭ କରିଦେଇଥିଲେ କଙ୍ଗାରୁ କୋର୍ଟ। କାମାନ୍ଧ ଯୁବକ ଜଣଙ୍କ ତିର୍ତ୍ତୋଲ ଥାନା ଅଞ୍ଚଳର ବୋଲି ଜଣାପଡିଛି । ଯୁବକ ଜଣକ ବିବାହିତ ଓ ଦୁଇଟି ସନ୍ତାନର ବାପା । କଙ୍ଗାରୁ କୋର୍ଟ ସକାଳ ୯ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଚାଲିଥିଲା।

କଙ୍ଗାରୁ କୋର୍ଟରେ ଅଭିଯୁକ୍ତ ଉପରେ ପାଞ୍ଚଲକ୍ଷ ଟଙ୍କା ଜୋରିମାନା କରାଯାଇଥିଲା। ମାତ୍ର ଏକ ଲକ୍ଷ ଟଙ୍କା ଜୋରିମାନାରେ କଥା ଛିଣ୍ଡିଥିବା ଜଣାପଡିଛି । ତିର୍ତ୍ତୋଲ ଥାନା ଠାରୁ ମାତ୍ର ଦୁଇ କିଲୋମିଟର ଦୁର ଚଳଚଞ୍ଚଳ ମଣିଜଙ୍ଗା ଏରସମା ରାସ୍ତା କଡରେ ଶହଶହ ଲୋକଙ୍କ ଉପସ୍ଥିତିରେ କଙ୍ଗାରୁ କୋର୍ଟ ଚାଲିଥିବା ବେଳେ ପୋଲିସ ଘଟଣାସ୍ଥଳକୁ ନଆସିବା ରାଜନୈତିକ ଓ ମୁଷ୍ଟିମେୟଙ୍କ ପ୍ରଭାବ ବୋଲି କୁହାଯାଇଛି। ପୀଡିତା ନାବାଳିକାର ପରିବାର ଲୋକ ଲଜ୍ୟା ଓ ମୂଷ୍ଟିମେୟଙ୍କ ଭୟରେ ପୋଲିସରେ ଅଭିଯୋଗ କରିନଥିବା ଜଣାପଡିଛି ।

ପୋଲିସ ଘଟଣା ସମ୍ପର୍କରେ କିଛି ଜାଣିନଥିବା କିମ୍ବା କୌଣସି ଅଭିଯୋଗ ହୋଇନଥିବା କହିଛି। ମାତ୍ର ପୋଲିସ ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ଗ୍ରାମରେ ଗୃହରକ୍ଷୀ ଓ ଗ୍ରାମରକ୍ଷୀ କାର୍ଯ୍ୟ କରୁଥିବା ବେଳେ ଦୀର୍ଘ ଛଅ ଘଣ୍ଟା ଧରି କଙ୍ଗାରୁ କୋର୍ଟ ସଂପର୍କରେ କିଭଳି ଜାଣିପାରିଲେ ନାହିଁ ବୋଲି ପ୍ରଶ୍ନ ଉଠିଛି। ଘଟଣା ସମ୍ପର୍କରେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ସହ ସ୍ଥାନୀୟ ଅଞ୍ଚଳରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି । ପୋଲିସ ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ଏ ବାବଦରେ ପୋଲିସ କିଛି କହିବା ପାଇଁ ମନା କରିଦେଇଥିବା ବେଳେ ପୀଡିତାର ପରିବାର ମଧ୍ୟ କିଛି କହିବା ପାଇଁ ମନା କରିଦେଇଛନ୍ତି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Samvad
Top