ବାରିପଦା, (୦୫/୦୬) : ଆପ୍ର. : ଗୋ ଚାଲାଣ ମାମଲାରେ ମୟୁରଭଞ୍ଜ ପୋଲିସକୁ ବଡ଼ ସଫଳତା ମିଳିଛି । ଗୁରୁବାର ଚାଲାଣ ପାଇଁ ରଖାଯାଇଥିବା ପ୍ରାୟ ୨୮୦ରୁ ଉର୍ଦ୍ଧ୍ୱ ବାଛୁରୀଙ୍କୁ ଉଦ୍ଧାର କରିଛି ପୋଲିସ । ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଦାହିବାଡ଼ି ଏବଂ ଗୋବିନ୍ଦରାୟପୁର ଗ୍ରାମରୁ ପୃଥକ ପୃଥକ ଚଢ଼ଉ କରି ବାଛୁରୀଙ୍କୁ ଉଦ୍ଧାର କରାଯାଇଛି । ମୟୁରଭଞ୍ଜ ଜିଲ୍ଲା ସୀମାବର୍ତ୍ତୀ ବୈଶିଙ୍ଗା ଥାନା ଅଧୀନ ଗୋବିନ୍ଦରାୟପୁର ଓ ଦାହିବାଡ଼ି ଗ୍ରାମରେ ବାଛୁରୀଙ୍କୁ ବେଆଇନ ଚାଲାଣ ପାଇଁ ରଖାଯାଇଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ଏସପି ବରୁଣ ଗୁଣ୍ଟୁପାଲିଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଏସପି ଦୀପକ କୁମାର ଗୋଛାୟତଙ୍କ ନେତୃତ୍ୱରେ ଏକ ଟିମ୍ ପ୍ରସ୍ତୁତ କରାଯାଇଥିଲା । ବୁଧବାର ଭୋର ୪ଟା ସମୟରେ ପୋଲିସ ଟିମ୍ ଗୋବିନ୍ଦରାୟପୁର ଓ ଦାହିବାଡ଼ି ଗ୍ରାମରେ ଏକକାଳୀନ ଚଢ଼ଉ କରିଥିଲା ।