ଭୁବନେଶ୍ୱର, (୧୩/୦୭) : ଆପ୍ର. : ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ରୀକାନ୍ତ ଦାସଙ୍କ ପରଲୋକ । ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲା ବେଳେ ଗତକାଲି ରାତିରେ ତାଙ୍କ ଶେଖବଜାରସ୍ଥିତ ବାସଭବନରେ ପରଲୋକ ଘଟିଛି ।
ଶେଷଶଯ୍ୟା ନିକଟରେ ପୁଅ ଗୁରୁପଦ ଦାସ, ବୋହୂ ନିବେଦିତା ଦାସ, ଝିଅ ଭକ୍ତିଲତା ଦାସ, ଜ୍ୱାଇଁ ସାନସିନ୍ ରାଉଳ, ନାତି ଓ ନାତୁଣୀ ଉପସ୍ଥିତ ଥିଲେ । ଆଜି ସତୀଚଉରା ଠାରେ ତାଙ୍କର ଶେଷକୃତ୍ୟ ହେବ ବୋଲି ଜଣାପଡିଛି । ବାଟ ଛାଡ଼ ଆସୁଛି ଦଶ’ରା ବଜାର ମେଢ…, ଲେ ଲବିନା ଟିକେ ପଛକୁ ଅନା…, ଆକାଶର ବୁକୁଚି…, ଗାଡ଼ି ଗଡ଼ି ଗଡ଼ିଯା… ଘଟଗାଁକୁ, ଗୋଡ଼ ଯୋଡ଼ିକ ଥାଇ ବୋଇଲେ…ସତ ମୋ’ବଚନ, କଅଁଳ କଅଁଳ କଦଳୀ ପତର… ଭଳି ଲୋକପ୍ରିୟ ଗୀତ ଗାଇଥିଲେ ଶ୍ରୀକାନ୍ତ ଦାସ ।
ସୂଚନା ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ମାଟିଆ ଗ୍ରାମରେ ୧୯୪୬ ମସିହା ମେ ୧୬ତାରିଖରେ ପିତା ସ୍ୱର୍ଗତ ଚୈତନ୍ୟ ଦାସ ଓ ମାତା ସୁରୁଚି ସୁନ୍ଦରୀ ଦେବୀଙ୍କ କୋଳମଣ୍ଡନ କରିଥିଲେ ଶ୍ରୀକାନ୍ତ ସେ ରେଭେନ୍ସା କଲିଜିଏଟ୍ ସ୍କୁଲ୍ ଓ ଷ୍ଟିୱାର୍ଟ ସାଇନ୍ସ କଲେଜ, ଏମ୍ଏସ୍ ଲ’ କଲେଜରେ ଅଧ୍ୟୟନ କରିଥିଲେ ।

