Dailyhunt
ମିଳିଲାନି ଛୁଟି, ସାଲାଇନ୍‌ ଲଗାଇ ବିଦ୍ୟାଳୟ ଆସିଲେ ଶିକ୍ଷକ

ମିଳିଲାନି ଛୁଟି, ସାଲାଇନ୍‌ ଲଗାଇ ବିଦ୍ୟାଳୟ ଆସିଲେ ଶିକ୍ଷକ

ODISHA NEWS 1 year ago

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ // 
ବଲାଙ୍ଗିର/ପାଟଣାଗଡ଼, (୦୭/୦୩) : ହାତରେ ଲାଗିଥିଲା ସାଲାଇନ୍‌। ସଂପର୍କୀୟ ଧରିଥିଲେ ସାଲାଇନ୍‌ ବୋତଲ୍‌ । ଏଭଳି ଅବସ୍ଥାରେ ସ୍କୁଲରେ ପହଞ୍ଚିଲେ ଶିକ୍ଷକ । 

ଅସୁସ୍ଥତା କାରଣରୁ ମାଗିଥିବା ଛୁଟିକୁ ଭାରପ୍ରାପ୍ତ ଅଧ୍ୟକ୍ଷା ମଞ୍ଜୁର ନ କରିବାରୁ ସଂପର୍କୀୟଙ୍କ ସହ ଏଭଳି ସ୍ଥିତିରେ ସ୍କୁଲକୁ ଆସିଥିବା ସଂପୃକ୍ତ ଶିକ୍ଷକ କହିଛନ୍ତି । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଭଇଁଷା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ସୂଚନା ଅନୁସାରେ, ଆଦର୍ଶ ବିଦ୍ୟାଳୟର ଗଣିତ ଶିକ୍ଷକ ପ୍ରକାଶ ଭୋଇଙ୍କ ଅଜାଙ୍କ ଗତକାଲି ସକାଳେ ପରଲୋକ ହୋଇଥିଲା। ଏହାକୁ ନେଇ ସେ ବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷା ବିଜୟଲକ୍ଷ୍ମୀ ପ୍ରଧାନଙ୍କୁ ଦିନଟିଏ ପାଇଁ ଛୁଟି ଦେବାକୁ ଆବେଦନ କରିଥିଲେ।

 ଭାରପ୍ରାପ୍ତ ଅଧ୍ୟକ୍ଷା ଛୁଟି ମଞ୍ଜୁର କରି ନଥିଲେ। ଅଜାଙ୍କ ଶବ ସତ୍କାର ପରେ ସେ ବିଦ୍ୟାଳୟରେ ପହଞ୍ଚିଥିଲେ। ବିଦ୍ୟାଳୟ କାମରେ ଅଧ୍ୟକ୍ଷାଙ୍କ ସହ ବଲାଙ୍ଗିର ସମଗ୍ର ଶିକ୍ଷା ଜିଲା ପ୍ରକଳ୍ପ ସଂଯୋଜକ(ଡିପିସି)ଙ୍କ କାର‌୍ୟ୍ୟାଳୟକୁ ଆସିଥିଲେ। ଡିପିସି କାର‌୍ୟ୍ୟାଳୟରେ ସେ ଅସୁସ୍ଥ ଅନୁଭବ କରିବାରୁ ଶ୍ରୀମତୀ ପ୍ରଧାନଙ୍କୁ ଜଣାଇଥିଲେ। ଦିନ ୨ଟା ମଧ୍ୟରେ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଆସିବାକୁ କହିଥିଲେ। ଡିପିସି କାର‌୍ୟ୍ୟାଳୟ ନିକଟରେ ଥିବା ଚିକିତ୍ସାଳୟ ବନ୍ଦ ହୋଇଥିବା ବେଳେ ୨ଟା ମଧ୍ୟରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଚିକିତ୍ସିତ ହୋଇ ଫେରିବା ସମ୍ଭବପର ନଥିବାରୁ ଶ୍ରୀ ଭୋଇ ଚିକିତ୍ସା କରାଇ ପାରିନଥିଲେ।

ଆଜି ସକାଳେ ତାଙ୍କୁ ଜ୍ବର ହେବା ସହ ଦୁର୍ବଳ ଅନୁଭବ କରୁଥିବା ନେଇ ଭାରପ୍ରାପ୍ତ ଅଧ୍ୟକ୍ଷାଙ୍କୁ ଜଣାଇଥିଲେ। ଚିକିତ୍ସିତ ହୋଇ ବିଦ୍ୟାଳୟକୁ ଆସିବାକୁ ଭାରପ୍ରାପ୍ତ ଅଧ୍ୟକ୍ଷା ଶ୍ରୀ ଭୋଇଙ୍କୁ କହିଥିଲେ। ଶ୍ରୀ ଭୋଇ ଜଣେ କମ୍ପାଉଣ୍ଡରଙ୍କ ନିକଟରୁ ସାଲାଇନ୍‌ ଲଗାଇ ସମ୍ପର୍କୀୟଙ୍କ ସହାୟତାରେ ବିଦ୍ୟାଳୟକୁ ଆସିଥିଲେ। ଜଣେ ଶିକ୍ଷକ ବିଦ୍ୟାଳୟକୁ ସାଲାଇନ୍‌ ଲଗାଇ ଆସିବା ଘଟଣା ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ କରିଛି। ଏନେଇ ଭଇଁଷା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନଙ୍କୁ ପଚରାଯିବାରୁ ଗତକାଲି ବଲାଙ୍ଗିର ଡିପିସି କାର୍ଯ୍ୟାଳୟରେ ବିଦ୍ୟାଳୟ ୬ଷ୍ଠ ଶ୍ରେଣୀ ନାମଲେଖା ପାଇଁ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଜିଲାସ୍ତରୀୟ ଯାଞ୍ଚ ପ୍ରକ୍ରିୟା ରହିଥିଲା। 

ଶ୍ରୀ ଭୋଇ ବିଦ୍ୟାଳୟ ନାମଲେଖା ଦାୟିତ୍ବରେ ରହିଛନ୍ତି। ତାଙ୍କ ଅନୁପସ୍ଥିତିରେ ଯାଞ୍ଚ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥାନ୍ତା। ତାଙ୍କ ବାପାଙ୍କ ମାମୁଁଙ୍କ ପରଲୋକ ହୋଇଥିବାରୁ ସେ ଛୁଟି ପାଇଁ ଆବେଦନ କରିଥିଲେ। ଜିଲାସ୍ତରୀୟ ଯାଞ୍ଚ ପ୍ରକ୍ରିୟା ବିଦ୍ୟାଳୟରେ ଥିବାରୁ ତାଙ୍କୁ ଛୁଟି ଦିଆଯାଇ ନଥିବା ଶ୍ରୀମତୀ ପ୍ରଧାନ କହିଛନ୍ତି। ଅନ୍ୟପଟେ ଘଟଣାର ତଦନ୍ତ ପରେ ପ୍ରକୃତ କଥା ଜଣାପଡ଼ିବ ବୋଲି ପାଟଣାଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶଙ୍କର ମାଝୀ ଓ ବଲାଙ୍ଗିର ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ କହିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS