ସୁବର୍ଣ୍ଣପୁର, (୨୫/୦୩) : ଆ.ପ୍ର : ସ୍ବର୍ଣ୍ଣପ୍ରୟାଗ ରାମେଶ୍ୱରଠାରେ ସପ୍ତାହବ୍ୟାପୀ ଚାଲିଥିବା ଜଗନ୍ନାଥ ମହୋତ୍ସବ ଏକ ଭକ୍ତିମୟ ପରିବେଶରେ ଆଜି ମଧ୍ୟାହ୍ନରେ ଉଦଯାପିତ ହୋଇଯାଇଛି । ଜଗନ୍ନାଥ ସଂସ୍କୃତି ଓ ଚେତନାର ବିସ୍ତାର ଲକ୍ଷ୍ୟରେ ଶ୍ରୀଜଗନ୍ନାଥଙ୍କ ଦୁଲ୍ଲଭ ବତିଶ ବେଶ,ପଞ୍ଚକୁଣ୍ଡିୟ ଘୃତଯଜ୍ଞ ସହ ରାମେଶ୍ୱର ନିତ୍ୟକୁଞ୍ଜରେ ଚାଲିଥିବା ଚବିଶ ପ୍ରହରୀ ନାମଯଜ୍ଞର ପୂର୍ଣ୍ଣାହୁତି ପଡିଛି । ସାତଦିନ ଧରି ଅନୁଷ୍ଠିତ ଜଗନ୍ନାଥ ମହୋତ୍ସବରେ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିବାବେଳେ ଜଗନ୍ନାଥ ମଞ୍ଚର ତ୍ରିଆଳତୀ ପର୍ବ ସହ ପ୍ରବଚନ ଓ ଭଜନକୁ ଲୋକେ ବିଳମ୍ବିତ ରାତି ଯାଏଁ ଉପଭୋଗ କରିଛନ୍ତି । ସ୍ୱତନ୍ତ୍ର ବତିଶ ବେଶ ଆଗରେ ପ୍ରତିଦିନ ୩୨ଜଣ ଦମ୍ପତ୍ତି ବିଷ୍ଣୁ ସହସ୍ର ନାମ ପଠନ କରିଥିବାବେଳେ ଦୁଲ୍ଲଭ ବେଶ ଦର୍ଶକଙ୍କ ପ୍ରମୁଖ ଆକର୍ଷଣ ଭାବେ ଉଭା ହୋଇଥିଲା ।