Dailyhunt
ଆରଏସସିଏଲ୍ କାର୍ଯ୍ୟକାରୀ କମିଟିର ବୈଠକ: ସ୍ଥାୟୀତ୍ୱ, ରାଜସ୍ୱ ବୃଦ୍ଧି ଏବଂ ପ୍ରକଳ୍ପ ସମାପ୍ତି ଉପରେ ଗୁରୁତ୍ୱ

ଆରଏସସିଏଲ୍ କାର୍ଯ୍ୟକାରୀ କମିଟିର ବୈଠକ: ସ୍ଥାୟୀତ୍ୱ, ରାଜସ୍ୱ ବୃଦ୍ଧି ଏବଂ ପ୍ରକଳ୍ପ ସମାପ୍ତି ଉପରେ ଗୁରୁତ୍ୱ

ONA Khabar 4 days ago

ଭୁବନେଶ୍ୱର: ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍ (RSCL) ର କାର୍ଯ୍ୟକାରୀ କମିଟି ବୈଠକ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସହରର ପ୍ରକଳ୍ପ ରୂପାୟନଠାରୁ ଆରମ୍ଭ କରି ଦୀର୍ଘକାଳୀନ ସ୍ଥାୟୀତ୍ୱ ଏବଂ ସମ୍ପତ୍ତି ପରିଚାଳନା ଭଳି ପ୍ରମୁଖ ରଣନୈତିକ ବିଷୟ ଉପରେ ଆଲୋଚନା କରାଯାଇଥିଲା।

ଆରଏସସିଏଲ୍‌ର ସିଇଓ ଦୀନା ଦସ୍ତଗୀର ଆଲୋଚନା ଏବଂ ଅନୁମୋଦନ ପାଇଁ କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ। ବୈଠକରେ ₹୧୦୬ କୋଟି ନିବେଶରେ ନିର୍ମିତ ଆଇସିସିସି ପ୍ରକଳ୍ପ ଆଲୋଚନା ହୋଇଥିଲା। ବର୍ତ୍ତମାନ ସୁଦ୍ଧା ସହରର ୧୦୯ଟି ସ୍ଥାନରେ ୫୯୪ଟି ସର୍ଭେଲାନ୍ସ କ୍ୟାମେରା କାର୍ଯ୍ୟକ୍ଷମ ହୋଇସାରିଛି। ଟ୍ରାଫିକ ପ୍ରବର୍ତ୍ତନ ଏବଂ ସହରର ଶାସନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ନ୍ୟାସନାଲ ଇନଫର୍ମାଟିକ୍ସ ସେଣ୍ଟର ସହାୟତାରେ ସ୍ୱୟଂଚାଳିତ ଇ-ଚାଲାଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ନିଆଯାଉଛି।

ଆର୍ଥିକ ସ୍ଥାୟୀତ୍ୱ ଉପରେ ଗୁରୁତ୍ୱ ଦେଇ ଶ୍ରୀମତୀ ପାଢ଼ୀ ଏହା ଅଧିନରେ ଥିବା ସମ୍ପତ୍ତି, ଜମିଜମା ସଠିକ୍ ଉପଯୋଗ ଏବଂ ଅଭିନବ ଉପାୟରେ ରାଜସ୍ୱ ଆଦାୟ କରିବାକୁ ପରାମର୍ଶ ଦେଇଛନ୍ତି। ସମ୍ପୂର୍ଣ୍ଣ ହୋଇଥିବା ସ୍ମାର୍ଟ ସିଟି ସମ୍ପତ୍ତିଗୁଡ଼ିକରୁ ବର୍ତ୍ତମାନ ବାର୍ଷିକ ୪.୧୩ କୋଟି ରାଜସ୍ୱ ମିଳୁଛି, ଯାହାକି ସଂସ୍ଥାର ପରିଚାଳନା ଏବଂ ପ୍ରତିଷ୍ଠା ଖର୍ଚ୍ଚରେ ସହାୟକ ହେଉଛି। ବିଳମ୍ବରେ ଚାଲିଥିବା ପ୍ରକଳ୍ପଗୁଡ଼ିକ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରି କମିଟି ଅଡିଟୋରିୟମ୍ ଏବଂ କନଭେନସନ ହଲ୍ ପ୍ରକଳ୍ପର ବାକି ଥିବା କାର୍ଯ୍ୟକୁ 'ଡିସ୍କୋପ୍' କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରକଳ୍ପର ବର୍ତ୍ତମାନ ସୁଦ୍ଧା ୪୫% କାର୍ଯ୍ୟ ଶେଷ ହୋଇଥିବା ବେଳେ, ଅବଶିଷ୍ଟ କାର୍ଯ୍ୟ ସମ୍ପୃକ୍ତ ଏଜେନ୍ସିର ରିସ୍କରେ ଶେଷ କରାଯିବ। ଉଦିତ ନଗର ମାର୍କେଟ କମ୍ପ୍ଲେକ୍ସ ଏବଂ ମଲ୍ଟି-ଲେଭଲ୍ କାର୍ ପାର୍କିଂ ଭଳି ଚାଲୁ ରହିଥିବା ପ୍ରକଳ୍ପଗୁଡ଼ିକୁ ସୁଚାରୁରୂପେ ସମ୍ପୂର୍ଣ୍ଣ କରିବା ପାଇଁ ସ୍ପେଶାଲ ପର୍ପସ ଭେହିକିଲର କାର୍ଯ୍ୟକାଳ ବୃଦ୍ଧି କରିବା ସହ ପ୍ରମୁଖ ଅଧିକାରୀ ଓ ପରାମର୍ଶଦାତାମାନଙ୍କ ନିୟୋଜନ ଅବଧି ବଢ଼ାଇବାକୁ ପ୍ରସ୍ତାବ ଦିଆଯାଇଛି। ରାଉରକେଲାକୁ ଏକ ସ୍ଥାୟୀ, ଦକ୍ଷ ଏବଂ ନାଗରିକ-କୈନ୍ଦ୍ରିକ ସହର ଭାବରେ ଗଢ଼ିତୋଳିବା ପାଇଁ ଆରଏସସିଏଲ୍‌ ପ୍ରତିବଦ୍ଧତାକୁ ଏହି ବୈଠକରେ ଦୋହରାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar