Dailyhunt
ଆର୍ଥିକ ଅନୁଷ୍ଠାନଗୁଡିକ ସହଭାଗିତାରେ ଓଡ଼ିଶାର ସହରାଞ୍ଚଳ ଆର୍ଥିକ ବ୍ୟବସ୍ଥା ହେବ ସୁଦୃଢ଼

ଆର୍ଥିକ ଅନୁଷ୍ଠାନଗୁଡିକ ସହଭାଗିତାରେ ଓଡ଼ିଶାର ସହରାଞ୍ଚଳ ଆର୍ଥିକ ବ୍ୟବସ୍ଥା ହେବ ସୁଦୃଢ଼

ONA Khabar 2 weeks ago

ଭୁବନେଶ୍ୱର : ରାଜ୍ୟରେ ସହରାଞ୍ଚଳର ରୂପାନ୍ତରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ବ୍ୟାଙ୍କ ଅର୍ଥାୟନ ଯୋଗ୍ୟ ସହରାଞ୍ଚଳ ପ୍ରକଳ୍ପଗୁଡ଼ିକର ବିକାଶ ପାଇଁ ନ୍ୟାସନାଲ ହାଉସିଂ ବ୍ୟାଙ୍କ , ହାଉସିଂ ଆଣ୍ଡ ଅର୍ବାନ ଡେଭଲପମେଣ୍ଟ କର୍ପୋରେସନ ଏବଂ ପ୍ରମୁଖ ହାଉସିଂ ଫାଇନାନ୍ସ କମ୍ପାନୀ ମାନଙ୍କ ସହିତ ଏହି ଆଲୋଚନା କରାଯାଇଛି।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର, ବିଭାଗୀୟ ବରିଷ୍ଠ ପଦାଧିକାରୀ, ଛଅଟି ମହାନଗର ନିଗମର କମିଶନର ଏବଂ ଛଅଟି ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷମାନେ ନିଜ ନିଜ ଦଳ ସହ ଯୋଗ ଦେଇଥିଲେ।

ଏହି ପରାମର୍ଶ ବୈଠକରେ ମୁଖ୍ୟତଃ ସୁଲଭ ଗୃହ ନିର୍ମାଣର ପରିସର ବୃଦ୍ଧି ଏବଂ ଭାରତ ସରକାରଙ୍କ ‘ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ’ ଅଧୀନରେ ପୁଞ୍ଜିନିବେଶ ପାଇଁ ପ୍ରସ୍ତୁତ ଥିବା ପ୍ରକଳ୍ପଗୁଡ଼ିକୁ ଚିହ୍ନଟ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସଂସ୍ଥାଗତ ଅର୍ଥାୟନକୁ ଆକୃଷ୍ଟ କରିବା ପାଇଁ ଆର୍ଥିକ ଦୃଷ୍ଟିରୁ ସକ୍ଷମ ଏବଂ ସମ୍ପ୍ରସାରଣ ଯୋଗ୍ୟ ସହରାଞ୍ଚଳ ପ୍ରକଳ୍ପର ରୂପରେଖ ପ୍ରସ୍ତୁତ କରିବା ଉପରେ ଆଲୋଚନା କରାଯାଇଥିଲା। ୨୦୧୧ ମସିହାରେ ଓଡ଼ିଶାର ସହରୀ ଜନସଂଖ୍ୟା ୧୭% ଥିବାବେଳେ ୨୦୩୬ ସୁଦ୍ଧା ଏହା ପ୍ରାୟ ୪୦%ରେ ପହଞ୍ଚିବ ବୋଲି ଆକଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ସହରଗୁଡ଼ିକୁ ଅର୍ଥନୈତିକ ଅଭିବୃଦ୍ଧିର ମାଧ୍ୟମ ଭାବେ ଗଢ଼ିତୋଳିବା ଏବଂ ଏହି ପରିବର୍ତ୍ତନକୁ ସହାୟତା କରିବା ପାଇଁ ଅଭିନବ ଆର୍ଥିକ ଢାଞ୍ଚାର ଆବଶ୍ୟକତା ରହିଛି ବୋଲି ବୈଠକରେ ମତ ପ୍ରକାଶ ପାଇଛି।

ବୈଠକରେ ନ୍ୟାସନାଲ ହାଉସିଂ ବ୍ୟାଙ୍କ , ହାଉସିଂ ଆଣ୍ଡ ଅର୍ବାନ ଡେଭଲପମେଣ୍ଟ କର୍ପୋରେସନ ଏବଂ ପ୍ରମୁଖ ହାଉସିଂ ଫାଇନାନ୍ସ କମ୍ପାନୀ ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓମାନେ ସେମାନଙ୍କର ଆର୍ଥିକ ସମାଧାନ ସମ୍ପର୍କରେ ଉପସ୍ଥାପନା କରିଥିଲେ ଏବଂ ଗୃହ ନିର୍ମାଣ ତଥା ସହରାଞ୍ଚଳ ଭିତ୍ତିଭୂମି ପ୍ରକଳ୍ପ ସମ୍ପର୍କରେ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ।

ରାଜ୍ୟର ଦୀର୍ଘକାଳୀନ ଦୃଷ୍ଟିକୋଣ "ବିକଶିତ ଓଡ଼ିଶା @୨୦୩୬" ସମ୍ପର୍କରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି "ବିକଶିତ ଓଡ଼ିଶା @୨୦୩୬ ର ପରିକଳ୍ପନାରେ ସହରାଞ୍ଚଳ ରୂପାନ୍ତରଣ ହେଉଛି ମୁଖ୍ୟ। ସ୍ଥାୟୀ ଏବଂ ଅଭିନବ ଆର୍ଥିକ ବ୍ୟବସ୍ଥା ମାଧ୍ୟମରେ ଆମେ ସମସ୍ତଙ୍କୁ ସାମିଲ କରୁଥିବା, ସହନଶୀଳ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ସହର ଗଠନ କରିବାକୁ ପ୍ରତିଶ୍ରୁତିବଦ୍ଧ। ନ୍ୟାସନାଲ ହାଉସିଂ ବ୍ୟାଙ୍କ , ହାଉସିଂ ଆଣ୍ଡ ଅର୍ବାନ ଡେଭଲପମେଣ୍ଟ କର୍ପୋରେସନ ଏବଂ ପ୍ରମୁଖ ହାଉସିଂ ଫାଇନାନ୍ସ କମ୍ପାନୀ ଗୁଡ଼ିକ ସହିତ ରଣନୈତିକ ସହଭାଗିତା ଆମକୁ ବ୍ୟାଙ୍କ ଅର୍ଥାୟନ ଯୋଗ୍ୟ ପ୍ରକଳ୍ପ ପ୍ରସ୍ତୁତ କରିବାରେ, ସୁଲଭ ଗୃହ ନିର୍ମାଣକୁ ତ୍ୱରାନ୍ୱିତ କରିବାରେ ଏବଂ ରାଜ୍ୟରେ ସମନ୍ୱିତ ସହରାଞ୍ଚଳ ଭିତ୍ତିଭୂମି ବିକାଶରେ ସହାୟକ ହେବ।"

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar