ଭୁବନେଶ୍ୱର : ଅନଲକ-୨ର ଗାଇଡ଼ ଲାଇ୍ନ ଅନୁଯାୟୀ , ରାଜ୍ୟର ସମସ୍ତ ଡିଗ୍ରି କଲେଜ ଅଗଷ୍ଟ ୩୧ ଯାଏ ବନ୍ଦ ରହିବ । କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିକଳ୍ପ ପାଠପଢ଼ା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ବିଭାଗ ଅଧୀନରେ ଥିବା ସମସ୍ତ ଡିଗ୍ରି କଲେଜରେ ଆସନ୍ତା ୧୩ ତାରିଖଠାରୁ ଅନଲାଇନରେ ପାଠପଢ଼ା ଆରମ୍ଭ ହେବ। ଏ ସମ୍ପର୍କରେ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆଜି ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇଛି। ଅଧ୍ୟାପକମାନେ କିଭଳି ଓ କେତେ ସମୟ ପଢ଼ାଇବେ, ସପ୍ତାହକୁ କେତୋଟି କ୍ଲାସ୍ ହେବ, ସେନେଇ ବିଭାଗ ପକ୍ଷରୁ ଆଜି ସମସ୍ତ ଡିଗ୍ରି କଲେଜର ଅଧ୍ୟକ୍ଷମାନଙ୍କ ଗାଇଡ଼ ଲାଇ୍ନ ଜାରି ହୋଇଛି।
ଗାଇଡ଼ ଲାଇ୍ନ ଅନୁଯାୟୀ, ଅତି ବେଶିରେ ୩୨ଜଣ ଲେଖାଏଁ ପିଲାଙ୍କୁ ନେଇ ହ୍ବାଟସ୍-ଆପ୍ ଓ ଇ-ମେଲ୍ ରେ ଗ୍ରୁପ୍ ଗଠନ କରାଯିବ।
ଅଧ୍ୟାପକମାନେ ସପ୍ତାହକୁ ୩ ଦିନ ଅନ୍ଲାଇନ୍ କ୍ଲାସ୍ କରିବେ। ପ୍ରତି କ୍ଲାସ୍ ୨ରୁ ୩ ଘଣ୍ଟା ମଧ୍ୟରେ ହେବ। ଗୁଗୁଲ ମେଟ୍, ଜୁମ୍, ସ୍କାଏପି ଓ ଅନ୍ୟାନ୍ୟ ଡିଜିଟାଲ ପ୍ଲାଟଫର୍ମକୁ ଏଥିପାଇଁ ବ୍ୟବହାର କରାଯାଇପାରିବ। ଅଧ୍ୟାପକମାନେ କଲେଜ କ୍ୟାମ୍ପସରୁ ଏହିଅନ୍ଲାଇନ୍ କ୍ଲାସ୍ ନେବେ। ଅନ୍ଲାଇନ୍ ପାଠପଢ଼ା ସମୟରେ ଶିକ୍ଷକମାନେ ରେଜିଷ୍ଟରରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ନେବେ। ଏଥିସହ ନିଜସ୍ବ ଲେସନ୍ ପ୍ଲାନ୍ ଓ ପ୍ରୋଗ୍ରେସ୍ ରେଜିଷ୍ଟର ବି ରଖିବେ। ଫଳରେ ସେମାନେ ଘରେ ରହି ପଢ଼ିପାରିବେ।
