ଭୁବନେଶ୍ୱର : ଓଡ଼ିଶାର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ସବୁଠାରୁ ବଡ଼ ଖବର ସାମ୍ନାକୁ ଆସିଛି । ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟାଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଁ ତାରିଖ ଘୋଷଣା କରାଯାଇଛି । ଆସନ୍ତା ମେ' ୨ ତାରିଖରେ ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ।
ଗତ ମାର୍ଚ୍ଚ ୧୧ ତାରିଖରେ ପରୀକ୍ଷା ଶେଷ ହେବା ପରେ ପରୀକ୍ଷାର୍ଥୀ ଏବଂ ଅଭିଭାବକମାନେ ଉତ୍କଣ୍ଠାର ସହ ଏହି ଦିନକୁ ଅପେକ୍ଷା କରିଥିଲେ । ବୋର୍ଡର ସୂଚନା ଅନୁଯାୟୀ, ମେ' ୨ ତାରିଖ ଅପରାହ୍ଣ ୪ଟା ସମୟରେ ଆନୁଷ୍ଠାନିକ ଭାବେ ପରୀକ୍ଷା ଫଳାଫଳ ଘୋଷଣା କରାଯିବ । ତେବେ ପରୀକ୍ଷାର୍ଥୀମାନେ ତୁରନ୍ତ ରେଜଲ୍ଟ ପାଇବାରେ ଯେପରି ଅସୁବିଧା ନହୁଏ, ସେଥିପାଇଁ ଅନଲାଇନ୍ ବ୍ୟବସ୍ଥା କରାଯାଇଛି । ସନ୍ଧ୍ୟା ୬ଟା ପରଠାରୁ ବୋର୍ଡର ଅଫିସିଆଲ୍ ୱେବ୍ସାଇଟ୍ରେ ଫଳାଫଳ ଉପଲବ୍ଧ ହେବ, ଯେଉଁଠାରୁ ପିଲାମାନେ ନିଜର ମାର୍କସିଟ୍ ଦେଖିବା ସହ ଡାଉନଲୋଡ୍ ମଧ୍ୟ କରିପାରିବେ ।

