Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଭାରତର ପୂର୍ବାଞ୍ଚଳକୁ ସମୃଦ୍ଧ କରିବ ଓଡ଼ିଶା- ମୁଖ୍ୟମନ୍ତ୍ରୀ

ଭାରତର ପୂର୍ବାଞ୍ଚଳକୁ ସମୃଦ୍ଧ କରିବ ଓଡ଼ିଶା- ମୁଖ୍ୟମନ୍ତ୍ରୀ

ONA Khabar 3 weeks ago

ହମ୍ମଦାବାଦ, ଗୁଜରାଟ: "ଗୁଜରାଟ ଭାରତର ପଶ୍ଚିମ ଭାଗକୁ ସମୃଦ୍ଧ କରିଛି। ବର୍ତ୍ତମାନ ଭାରତର ପୂର୍ବ ଭାଗକୁ ସମୃଦ୍ଧ କରିବା ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ। ଦ୍ରୁତ ଅଭିବୃଦ୍ଧି ଏବଂ ରଣନୈତିକ ଯୋଜନା ସହିତ ଓଡ଼ିଶା ବର୍ତ୍ତମାନ ଶିଳ୍ପଜଗତ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିପାରିଛି । ଏହା ସହିତ ପ୍ରତିଯୋଗିତାମୂଳକ ପରିବେଶରେ ନିବେଶକ ମାନଙ୍କୁ ଅପେକ୍ଷାକୃତ ସୁବିଧାଜନକ ସ୍ଥିତି ମଧ୍ୟ ପ୍ରଦାନ କରୁଛି ।" ଆଜି ଅହମ୍ମଦାବାଦରେ ଆୟୋଜିତ 'ଓଡ଼ିଶା ନିବେଶକ ସମ୍ମିଳନୀ ରୋଡ୍-ଶୋ'ରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଦୃଢ଼, ଦୂରଦୃଷ୍ଟିସମ୍ପନ୍ନ ବାର୍ତ୍ତା ଦେଇଛନ୍ତି ।

'ପୂର୍ବୋଦୟ' ପରିକଳ୍ପନାରେ ଆଗାମୀ ଦିନରେ ଓଡ଼ିଶାକୁ ଦେଶର ଶିଳ୍ପ ଅଭିବୃଦ୍ଧିର କେନ୍ଦ୍ରସ୍ଥଳ ଭାବେ ଗଢ଼ିତୋଳିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗୁଜରାଟ ଗସ୍ତର ପ୍ରଥମ ଦିନରେ ପ୍ରମୁଖ ଉଦ୍ୟୋଗପତି ଏବଂ ବ୍ୟବସାୟିକ ସଂଘମାନେ ବ୍ୟାପକ ଭାବରେ ଯୋଗଦାନ କରିଛନ୍ତି । ଏହା ଓଡ଼ିଶାର ବିକଶିତ ଶିଳ୍ପ ବ୍ୟବସ୍ଥା ପ୍ରତି ବଢୁଥିବା ଆତ୍ମବିଶ୍ୱାସକୁ ପ୍ରତିଫଳିତ କରିଛି। ୫୦୦ରୁ ଅଧିକ ଶିଳ୍ପ ପ୍ରତିନିଧିଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୂର୍ବ ଭାରତର ଅଭ୍ୟୁଦୟ ସହିତ ଭାରତର ଅର୍ଥନୈତିକ ସମ୍ପ୍ରସାରଣ ହେବ । ପଶ୍ଚିମ ଭାରତ ସହିତ ପୂର୍ବ ଭାରତର ବିକାଶ ହେଲେ ଏହି ଅଭିବୃଦ୍ଧି ଅଧିକ ସନ୍ତୁଳିତ ହେବ । ଓଡ଼ିଶା ଏହି ପରିବର୍ତ୍ତନର କେନ୍ଦ୍ରବିନ୍ଦୁ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, "ଆମେ ଗୁଜରାଟକୁ ଏକ ସ୍ପଷ୍ଟ ସନ୍ଦେଶ ନେଇ ଆସିଛୁ । ଭାରତର ଶିଳ୍ପ ଅଭିବୃଦ୍ଧିର ପରବର୍ତ୍ତୀ ଅଧ୍ୟାୟ ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ। ଆମେ ଶିଳ୍ପଜଗତକୁ ଓଡ଼ିଶାରେ ନିବେଶ କରିବାକୁ ଆମନ୍ତ୍ରିତ କରୁଛୁ, ଏବଂ ମିଳିତ ଅଭିବୃଦ୍ଧି ମାଧ୍ୟମରେ ଦେଶର ସମୃଦ୍ଧିରେ ଯୋଗଦାନ ରଖିବାକୁ ଅନୁରୋଧ କରୁଛୁ ।" ଏହି ପ୍ରତିନିଧି ମଣ୍ଡଳୀରେ ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଶିଳ୍ପ, ଗୃହ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଏବଂ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ରୋଡ୍-ଶୋ ଅବସରରେ ବସ୍ତ୍ର ଓ ବୟନ ଶିଳ୍ପ ସମେତ ବିଭିନ୍ନ କ୍ଷେତ୍ର ଭିତ୍ତିକ ଆଲୋଚନା ଏବଂ ଉଦ୍ୟୋଗପତିଙ୍କ ସହ ସିଧାସଳଖ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀ ୨୬ଟି 'ୱାନ୍-ଟୁ-ୱାନ୍' ବୈଠକରେ ଅଧ୍ୟକ୍ଷତା କରି ଶିଳ୍ପପତିଙ୍କ ସହ ନିବେଶ ସୁଯୋଗ ଓ ନୀତିଗତ ସହାୟତା ବିଷୟରେ ଆଲୋଚନା କରିଥିଲେ। ବୟନ ଓ ବସ୍ତ୍ର ଶିଳ୍ପ ସମ୍ପର୍କିତ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଏବଂ ଗୁଜରାଟ ମଧ୍ୟରେ ଥିବା ଗଭୀର ସାଂସ୍କୃତିକ ଓ ଅର୍ଥନୈତିକ ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, "ପୁରୀର ଶ୍ରୀଜଗନ୍ନାଥ ଧାମରୁ ଗୁଜରାଟର ଦ୍ୱାରକା ପର୍ଯ୍ୟନ୍ତ ଆମ ରାଜ୍ୟଗୁଡ଼ିକ ମଧ୍ୟରେ ଏକ ଅତୁଟ ସାଂସ୍କୃତିକ ସମ୍ପର୍କ ରହିଛି। ଗୁଜରାଟ ବସ୍ତ୍ର ଶିଳ୍ପରେ ଅଗ୍ରଣୀ ହୋଇଥିବା ବେଳେ ଓଡ଼ିଶା ଏବେ ଏକ ଉତ୍ତମ ପରିବେଶ ଏବଂ କୁଶଳୀ କାରିଗରଙ୍କ ସହିତ ଏହି କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢୁଛି।"

ଓଡ଼ିଶାର ଭୌଗୋଳିକ ସୁବିଧା ବିଷୟରେ ସୂଚନା ଦେଇ ସେ କହିଥିଲେ ଯେ, ଏକ ଦୀର୍ଘ ଉପକୂଳ ଏବଂ ବନ୍ଦରଗୁଡ଼ିକ ମାଧ୍ୟମରେ ଓଡ଼ିଶା ବିଶ୍ୱ ବଜାର ସହ ସିଧାସଳଖ ଯୋଡ଼ି ହେବାର ଏକ ଶକ୍ତିଶାଳୀ ମାଧ୍ୟମ ସୃଷ୍ଟି କରୁଛି। ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି ଯେ, ସୁଦୃଢ଼ ଭିତ୍ତିଭୂମି, ବନ୍ଦରଭିତ୍ତିକ ଯୋଗାଯୋଗ ଏବଂ ସ୍ଥିର ନୀତି ଯୋଗୁଁ ଓଡ଼ିଶା ଏକ ଭବିଷ୍ୟତ-ଉପଯୋଗୀ ଶିଳ୍ପ ହବ୍ ଭାବରେ ନିଜକୁ ପ୍ରତିଷ୍ଠିତ କରୁଛି। ଅହମ୍ମଦାବାଦରେ ଆୟୋଜିତ ଏହି ସଫଳ ରୋଡ୍-ଶୋ ଭାରତର ଶିଳ୍ପ ମାନଚିତ୍ରରେ ଓଡ଼ିଶାର ପ୍ରଭାବକୁ ଆହୁରି ସୁଦୃଢ଼ କରିଛି। ବିଭିନ୍ନ ପ୍ରମୁଖ ସହରଗୁଡ଼ିକରେ ସଫଳ କାର୍ଯ୍ୟକ୍ରମ ପରେ, ଓଡ଼ିଶା ସରକାର ଶିଳ୍ପ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ନିଜର ନିବେଶକ ପରାମର୍ଶ ଅଭିଯାନ ଜାରି ରଖିବେ। ଅହମ୍ମଦାବାଦ ରୋଡ୍-ଶୋ ଭାରତର ଶିଳ୍ପ ପରିସୀମାରେ ଓଡ଼ିଶାର ବଢୁଥିବା ଭୂମିକାକୁ ଅଧିକ ଶକ୍ତିଶାଳୀ କରିଛି। ରାଜ୍ୟର ଷ୍ଟ୍ରାଟେଜିକ୍ ଅବସ୍ଥିତି, ସୁଦୃଢ଼ ପ୍ରଶାସନ ପ୍ରଣାଳୀ ଏବଂ ଭବିଷ୍ୟତ ପାଇଁ ଏକ ସ୍ପଷ୍ଟ ଦୂରଦୃଷ୍ଟି ସହିତ ଓଡ଼ିଶା ପୂର୍ବ ଭାରତରେ ଏକ ଅଗ୍ରଣୀ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଅଭିଯାନ ଆରମ୍ଭ କରିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar