ଭୁବନେଶ୍ୱର: ଦେଶ ତଥା ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ନାରୀ ନିର୍ଯ୍ୟାତନା | ଦୁଷ୍କର୍ମ ଯେମିତି ଥମିବାର ନାଁ ଧରୁନି | ଗତ କାଲି ରାତିରେ ଭୁବନେଶ୍ୱରରୁ କାର୍ ଭଡା କରି ଖୋର୍ଦ୍ଧା ଆସୁଥିବା ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖିଥିବାର ସୂଚନା ମିଳିଛି । ଯୁବତୀ ଆସୁଥିବା କାର୍ କୁ ମଧ୍ୟ ଜବତ କରିଛି ଖଣ୍ଡଗିରି ଥାନା ପୋଲିସ । ଅଟକ ଯୁବକଙ୍କୁ ଘଟଣା ସଂପର୍କରେ ପଚରାଉଚରା କରୁଛି ପୋଲିସ । ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯୁବତୀଙ୍କୁ ଚିକିତ୍ସା କରାଯାଉଛି ।
ସୂଚନାଯୋଗ୍ୟ ଯେ, ଗତକାଲି ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ଜେମାଦେଈପୁରର କିଛି ଯୁବକ ରାସ୍ତା ନିକଟସ୍ଥ ଶ୍ମଶାନ କଡ଼ରେ ଯୁବତୀଙ୍କୁ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ । ତାଙ୍କର ଶରୀର କ୍ଷତାକ୍ତ ହୋଇଥିଲା ।
ଖବର ପାଇ ଟାଉନ୍ ଥାନା ଅଧିକାରୀ ଜଣେ ମହିଳା ଏସ୍ଆଇ ଓ ଅନ୍ୟ କର୍ମଚାରୀମାନଙ୍କ ସହ ସେଠାରେ ପହଞ୍ଚି ଯୁବତୀଙ୍କୁ ପଚରାଉଚୁରା କରିଥିଲେ । ପରେ ଏସପି ମଧ୍ୟ ହସପିଟାଲରେ ପହଞ୍ଚିଥିଲେ । ଉଦ୍ଧାର ହୋଇଥିବା ଯୁବତୀଙ୍କ ଘର ନୟାଗଡ଼ ଜିଲ୍ଲା ଗଣିଆ ଅଞ୍ଚଳରେ । ବାପାଙ୍କ ମୃତ୍ୟୁ ହୋଇଥିବାବେଳେ ସେ ଓ ତାଙ୍କ ବିଧବା ମା' ଖୋର୍ଦ୍ଧାରେ ରହୁଛନ୍ତି । ସେ କୌଣସି ସାଟିର୍ଫିକେଟ୍ ଆଣିବା ପାଇଁ ଭୁବନେଶ୍ବର ଯାଇଥିଲେ । ଖଣ୍ଡଗିରି ଛକରୁ ଏକ ଭଡ଼ା କାର୍ ରେ ଆସୁଥିଲା ବେଳେ ବାଟରେ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ।ତେବେ ଭୁବନେଶ୍ବର କଳିଙ୍ଗ ନଗର ରାସ୍ତାରେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଯୁବତୀ ପୋଲିସ ଆଗରେ ବୟାନ ଦେଇଥିଲେ । ଘଟଣାଟି ଖଣ୍ଡଗିରି ଥାନା ଅଞ୍ଚଳରେ ଘଟିଥିବାରୁ ଖୋର୍ଦ୍ଧା ପୋଲିସ ଏ ମାମଲା ଖଣ୍ଡଗିରି ପୋଲିସ କୁ ହସ୍ତାନ୍ତର କରିଥିଲା । ଖଣ୍ଡଗିରି ପୋଲିସ ଏ ଘଟଣାରେ ଜଣେ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଛି । ଯୁବତୀ ଆସିଥିବା କାର୍ କୁ ମଧ୍ୟ ପୋଲିସ ଜବତ କରିଛି ।

