
ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଲହରରେ ୧୫ରୁ ୪୦ ବର୍ଷ ଯୁବ ଗୋଷ୍ଠୀଙ୍କ ସଂଖ୍ୟା ଏକ ଲକ୍ଷ ଭିତରେ ରହିଥିଲା । ହେଲେ ଦ୍ୱିତୀୟ ଲହରରେ ଯୁବ ଗୋଷ୍ଠୀଙ୍କ ସଂଖ୍ୟା ୫ଗୁଣା ବୃଦ୍ଧି ପାଇଛି । ଫଳରେ ସଂକ୍ରମିତ ଯୁବ ଗୋଷ୍ଠୀଙ୍କ ସଂଖ୍ୟା ୫ ଲକ୍ଷ ପାର କରିଛି । ବର୍ତ୍ତମାନ ଯୁବ ଗୋଷ୍ଠୀଙ୍କ ସଂଖ୍ୟା ୫ ଲକ୍ଷ ୨୨ହଜାର ୬୬୧ରେ ପହଞ୍ଚିଥିଲା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୭୨ହଜାର ୫୧୭ ରହିଛି । ଅର୍ଥାତ ଦ୍ୱିତୀୟ ଲହରରେ ୪ ଲକ୍ଷରୁ ଊର୍ଦ୍ଧ୍ୱ ଯୁବ ଗୋଷ୍ଠୀ ସଂକ୍ରମିତ ହୋଇଛନ୍ତି । ସରକାରଙ୍କ ତଥ୍ୟ ଅନୁସାରେ ଯୁବ ଗୋଷ୍ଠୀ ବିଶେଷ ଭାବରେ ଅମାନିଆ ହେବା ଯୋଗୁଁ ରାଜ୍ୟରେ ଦ୍ୱିତୀୟ ଲହର ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି । ମୋଟାମୋଟି ଭାବେ କହିବାକୁ ଗଲେ, ମୋଟ ସଂକ୍ରମିତଙ୍କ ଭିତରୁ ଅଧାରୁ ଅଧିକ କେବଳ ଯୁବ ଗୋଷ୍ଠୀ ହିଁ ସଂକ୍ରମିତ ହୋଇଛନ୍ତି ।
ଅନ୍ୟପଟେ, କୋଭିଡ୍ ମୃତ୍ୟୁ ନେଇ ମତ ରଖିଛନ୍ତି ଡିଏମ୍ଇଟି ଡାକ୍ତର ସିବିକେ ମହାନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ କୋଭିଡ୍ ମୃତ୍ୟୁ ସଂଖ୍ୟାର ଅଡିଟ୍ ଶେଷ ହୋଇନାହିଁ । ଆଉ ମାତ୍ର ୧୦ରୁ ୧୫ ଦିନ ମଧ୍ୟରେ ବଳକା ମୃତ୍ୟୁ ସଂଖ୍ୟାର ଅଡିଟ୍ ଶେଷ ହେବ । ପ୍ରତିଦିନ ପ୍ରତି ଜିଲ୍ଲାରୁ , ପ୍ରତି ଇନଷ୍ଟିଚ୍ୟୁଟରୁ ମୃତ୍ୟୁ ରିପୋର୍ଟ ଆସୁଛି । ବର୍ତ୍ତମାନ କରୋନା ମୃତ୍ୟୁର ଅଡିଟ୍ ପରେ ସମସ୍ତ ତଥ୍ୟ ପ୍ରଦାନ କରାଯାଉଛି । ମୃତକଙ୍କ ପରିବାର କି ପ୍ରକାର ସୁବିଧା ଓ ସୁଯୋଗ ପାଉଛନ୍ତି, ସେସବୁ ଦିଗକୁ ଅନୁଧ୍ୟାନ କରି ଅଡିଟ୍ ରିପୋର୍ଟ ଦିଆଯାଉଛି । ସେ ପୁଣି କହିଛନ୍ତି ଯେ ମୋର ବ୍ୟକ୍ତିଗତ ମତ ଆଉ କିଛି ଦିନ କଟକଣା ରହିବା ଉଚିତ । ଯେହେତୁ ଲୋକମାନେ କୋଭିଡ ଗାଇଡ୍ଲାଇନ୍କୁ ସଠିକ ଭାବେ ଅନୁପାଳନ କରୁନାହାନ୍ତି, ତେଣୁ କଟକଣା ରହିବା ଦରକାର । କୋଭିଡ ଗାଇଡ୍ ଅନୁପାଳନ, ସଂକ୍ରମଣ ହାର, କେସ ଲୋଡ୍ ଆଦି ଦେଖି ଅନ୍ଲକ୍ ନିଷ୍ପତ୍ତି ନିଆଯିବ ।
The post ଦ୍ୱିତୀୟ ଲହରରେ ୪ ଲକ୍ଷରୁ ଊର୍ଦ୍ଧ୍ୱ ଯୁବ ଗୋଷ୍ଠୀ ସଂକ୍ରମିତ appeared first on ONA KHABAR.