Saturday, 14 Dec, 8.43 pm ONA Khabar

ଓଡ଼ିଶା
ଏନଏଲସି ପ୍ରକଳ୍ପର ଗଛକଟା ପାଇଁ ଜନ ଅସନ୍ତୋଷ : ପ୍ରଥମେ ଥଇଥାନ କରି ପରେ ଗଛ କାଟିବାକୁ ଚେତାବନୀ

ଝାରସୁଗୁଡ଼ା : ସମ୍ବଲପୁର ଜିଲ୍ଲା ଖିଣ୍ଡା, ତଲାବିରା ପଞ୍ଚାୟତରେ ଏନ୍‌ଏଲ୍‌ସି କମ୍ପାନୀର ୨୪ଶହ ମେଗାୱାଟ ବିଶିଷ୍ଟ ଥର୍ମାଲ ପାଓାର ପ୍ଲାଣ୍ଟ ପାଇଁ ବ୍ୟାପକ ବୃକ୍ଷ ଛେଦନ ଆରମ୍ଭ ହୋଇ ସାରିଛି । ଆଗାମୀ ଦିନରେ ଝାରସୁଗୁଡ଼ା ଜିଲ୍ଲାର ମଲଦା ଓ ପତ୍ରାପାଳି ଅଞ୍ଚଳରେ ଗଛ କଟାଯିବ ବୋଲି ସୂଚନା ମିଳିଛି । କମ୍ପାନୀର କୋଇଲାଖଣି ପାଇଁ ଝାରସୁଗୁଡ଼ା ଜିଲ୍ଲାରେ ୪୦ ହଜାରରୁ ଊର୍ଦ୍ଧ୍ୱ ଗଛ କାଟିବାର ଯୋଜନା ରହିଛି । ତେବେ ଏହି ଜଙ୍ଗଲ ଉପରେ ନିର୍ଭରଶୀଳଥିବା ଲୋକଙ୍କୁ ନେଇ ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷ ଏକ ଜନଶୁଣାଣି କରି ଲୋକଙ୍କ ସମସ୍ୟା ଶୁଣିଲା ପରେ ଉପଯୁକ୍ତ କ୍ଷତିପୂରଣ ଓ ଥଇଥାନ ପ୍ରଦାନ କରି ଗଛ କାଟନ୍ତୁ ବୋଲି ମଲଦାବାସୀ କହିଛନ୍ତି । ଏହାସହ ପରିବେଶର ସନ୍ତୁଳନ ପାଇଁ କଟିବାକୁ ଥିବା ବୃକ୍ଷର ଦୁଇ ଗୁଣ ବୃକ୍ଷ ରୋପଣ କରାଯାଇ ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି । ସେମାନେ କହିଛନ୍ତି କମ୍ପାନୀ ପକ୍ଷରୁ ଦୁଇଗୁଣା ବୃକ୍ଷ ନ ଲଗାଗଲେ ସ୍ଥାନୀୟ ଜଙ୍ଗଲ ଜମିକୁ ନଷ୍ଟ କରିବାକୁ ଦିଆଯିବ ନାହିଁ ।
କମ୍ପାନୀ ସ୍ଥାପନ ପାଇଁ ଝାରସୁଗୁଡ଼ାର ମାଳଦା, ପତ୍ରାପାଲି, ଡ଼ୁମେରମୁଣ୍ଡା ଓ ରାମପୁର ଗାଁରେ ପାଖାପାଖି ୮୪୫ ହେକ୍ଟର ଜଙ୍ଗଲ ଜମି ଚିହ୍ନଟ କରିସାରିଛି । କମ୍ପାନୀ ନିର୍ମାଣ ହେଲେ ଏଠାରେ ଥିବା ଲକ୍ଷାଧିକ ଗଛ ବଳି ପଡ଼ିବ । ଗଛ କଟା ହୋଇ ଜଙ୍ଗଲ ଧ୍ୱଂସ ହେଲେ ଜଙ୍ଗଲୀ ସାମଗ୍ରୀ ଉପରେ ନିର୍ଭର କରି ନିଜର ପରିବାର ପ୍ରତିପୋଷଣ କରୁଥିବା ଲୋକଙ୍କ ବୃତ୍ତି ଲୋପ ପାଇଯିବ ବୋଲି ସ୍ଥାନୀୟ ଜଗନ୍ନାଥ ସାହୁ କହିଛନ୍ତି । ସେହିପରି ମଲଦା ଗ୍ରାମର ରତନ ସିଂ କହିଛନ୍ତି ଏହି ଜଙ୍ଗଲରେ ବହୁ ଔଷଧୀୟ ତଥା ମୂଲ୍ୟବାନ ଗଛ ରହିଛି । ହୀରକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତ ହେଲା ପରେ ପିଢ଼ି ପରେ ପିଢ଼ି ଜଙ୍ଗଲ ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ଲୋକଙ୍କ ଜୀବିକା ଏବେ ସଙ୍କଟରେ ଅଛି । ତେଣୁ ଏହାକୁ କାଟିବା ପୂର୍ବରୁ ପ୍ରଶାସନ, ସ୍ଥାନୀୟ ଲୋକ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ନେଇ ଜନଶୁଣାଣି କରିବା ପରେ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେ କହିଛନ୍ତି । ଏହାସହ ମଲଦାବାସୀ ଗଛାକଟାକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏହାର କୌଣସି ପ୍ରଭାବ କମ୍ପାନୀ ଉପରେ ପଡ଼ିଥିବା ପରିଲକ୍ଷିତ ହେଉ ନାହିଁ ବୋଲି ଅଭିଯୋଗ କରିଛନ୍ତି । ଅନ୍ୟପଟେ ବିଭିନ୍ନ କଳକାରଖାନା ଖଣି ପାଇଁ ଝାରସୁଗୁଡା ଜିଲ୍ଲାରେ ଲକ୍ଷ ଲକ୍ଷ ଗଛ କଟି ସାରିଥିବା ବେଳେ ପୁଣି ଏକ କମ୍ପାନୀ ପାଇଁ ହଜାର ହଜାର ଗଛ କାଟିଲେ ପରିବେଶ ଉପରେ କୁ ପ୍ରଭାବ ପଡିବ ବୋଲି ପରିବେଶବିତ ଟହଲୁ ସାହୁ କହିଛନ୍ତି । ତେବେ ଏନେଇ ଝାରସୁଗୁଡ଼ା ଡିଏଫ୍‌ଓଙ୍କର କୌଣିସି ପ୍ରତିକ୍ରିୟା ମିଳିପାରି ନାହିଁ ।
ପ୍ରକାଶଯୋଗ୍ୟ ଯେ, ଏନ୍‌ଏଲ୍‌ସି ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ସମ୍ବଲପୁର-ଝାରସୁଗୁଡ଼ା ଜିଲ୍ଲା ସୀମାରେ କୋଇଲା ଖନନ ସକାଶେ ଜମି ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଖିଣ୍ଡା, ତଳାବିରା, ପତ୍ରାପାଲି, ମଲ୍‌ଦା, ରାମପୁର, ଡୁମେରମୁଣ୍ଡା ଅଞ୍ଚଳରେ ଜମି ଖଣି ପାଇଁ ବ୍ୟବହୃତ ହେବ । ସର୍ଭେ ରିପୋର୍ଟ ଅନୁଯାୟୀ ଜଙ୍ଗଲ ଜମି ନଷ୍ଟ ହେବାସହ ଖିଣ୍ଡାରେ ୬୨୩ ଗୋଟି ପ୍ରକଳ୍ପ ପ୍ରଭାବିତ ପରିବାରର ୨୮୧୯ ଜଣ ସଦସ୍ୟ ଥିବା ବେଳେ ତଳାବିରାରେ ୮୪୮ ଗୋଟି ପରିବାରର ୩ହଜାର୨ ଜଣ, ପତ୍ରାପାଲି ଗ୍ରାମର ୬୦୬ ପରିବାରର ୨୦୩୪ ଜଣ, ମଲଦା ଗ୍ରାମର ୬୧୩ ପରିବାରର ୧୬୪୧ ଜଣ, ରାମପୁର ଗ୍ରାମର ୧୯୦ ପରିବାରର ୪୬୦ ଜଣ ମିଶି ସମୁଦାୟ ୨୮୮୦ ପରିବାରର ୯୯୫୬ ଜଣ ସଦସ୍ୟ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବେ ।

୩ ପିଏଲଏଫଆଇ ସଦସ୍ୟ ଗିରଫ

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: ONA Khabar
Top