ଭୁବନେଶ୍ୱର ; ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ଲୋକ ସେବା ଭବନଠାରେ ଶକ୍ତି ବିଭାଗର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ଓପିଟିସିଏଲ୍ (OPTCL) ର ସିଏମଡି ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ଏବଂ ଓଡ଼ିଶାର ସମସ୍ତ ବିଦ୍ୟୁତ ବିତରଣ କମ୍ପାନୀ (DISCOMs) ର ସିଇଓମାନେ ଉପସ୍ଥିତ ଥିଲେ।
ଚଳିତ ଗ୍ରୀଷ୍ମ ପ୍ରବାହ ଓ କାଳବୈଶାଖୀ ଝଡ଼ ପାଇଁ ପ୍ରସ୍ତୁତିର ସମୀକ୍ଷା କରି, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ସାରା ରାଜ୍ୟରେ ନିରବଛିନ୍ନ ଓ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ନିଶ୍ଚିତ କରିବାକୁ ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଗୁରୁତ୍ୱାରୋପ କରିଛନ୍ତି ଯେ, ଗ୍ରାହକଙ୍କ ସମସ୍ତ ଅଭିଯୋଗକୁ ଜରୁରୀକାଳୀନ ଭିତ୍ତିରେ ଗ୍ରହଣ କରାଯାଇ ନିର୍ଦ୍ଧାରିତ ସମୟ ମଧ୍ୟରେ ସମାଧାନ କରାଯିବା ଉଚିତ। ବାରମ୍ବାର ବିଦ୍ୟୁତ ବିଭ୍ରାଟକୁ ରୋକିବା ଏବଂ ବ୍ୟବସ୍ଥାର ବିଶ୍ୱସନୀୟତା ବୃଦ୍ଧି ପାଇଁ ରକ୍ଷଣାବେକ୍ଷଣ ଏବଂ ପୁନରୁଦ୍ଧାର କାର୍ଯ୍ୟରେ କେବଳ ଉଚ୍ଚମାନର ସରଞ୍ଜାମ ଓ ସାମଗ୍ରୀ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାହକ-କୈନ୍ଦ୍ରିକ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି ଯେ, ବିଭାଗୀୟ କର୍ମଚାରୀ ଗ୍ରାହକଙ୍କ ସହ ନମ୍ରତାର ସହ କଥା ହେବା ସହ ସକ୍ରିୟ ଭାବେ ସେବା ଯୋଗାଇବା ଆବଶ୍ୟକ। ଅଭିଯୋଗର ପ୍ରତିକାର ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ପାଇଁ ସେ ଗ୍ରାହକଙ୍କ ଅଭିଯୋଗ ବୁଝିବା ପାଇଁ ସମର୍ପିତ ଦଳ (Dedicated Teams) ର ସଂଖ୍ୟା ବୃଦ୍ଧି କରିବାକୁ କହିଛନ୍ତି।

