Dailyhunt
ଝାଡ଼ା ବାନ୍ତିରେ ଅସୁସ୍ଥ ରୋଗୀଙ୍କୁ ଭେଟିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଝାଡ଼ା ବାନ୍ତିରେ ଅସୁସ୍ଥ ରୋଗୀଙ୍କୁ ଭେଟିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ONA Khabar 1 week ago

ଯାଜପୁର: ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯାଜପୁର ଗସ୍ତରେ ଆସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିବା ସହ ଡାଇରିଆ ୱାର୍ଡ଼କୁ ଯାଇ ଝାଡ଼ାବାନ୍ତିରେ ଅସୁସ୍ଥ ହୋଇଥିବା ରୋଗୀଙ୍କୁ ଭେଟିଛନ୍ତି। ପ୍ରାରମ୍ଭିକ ସୂଚନା ମୁତାବକ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ପାଟପୁର ଅଞ୍ଚଳରେ ବିଷାକ୍ତ ଖାଦ୍ୟ ଖାଇ ପ୍ରାୟ ୫୦ ଜଣ ଅସୁସ୍ଥ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ।

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସମେତ ଯାଜପୁର ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା, ଜିଲ୍ଲାପାଳ ଅମ୍ବର କୁମାର କର ମଧ୍ୟ ଚିକିତ୍ସାଳୟରେ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଅସୁସ୍ଥଙ୍କ ସହ ସିଧାସଳଖ କଥା ହେବା ସହ ସରକାରଙ୍କ ତରଫରୁ ସବୁ ପ୍ରକାର ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଆଶ୍ୱାସନା ଦେଇଥିଲେ। ଏହି ସମସ୍ୟାର ସମାଧାନ ପାଇଁ ମନ୍ତ୍ରୀ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଆଲୋଚନା କରିଥିଲେ। ରୋଗ ବ୍ୟାପିବାର ପ୍ରକୃତ କାରଣ ଜାଣିବା ପାଇଁ ସ୍ଥାନୀୟ ଅଞ୍ଚଳରୁ ଜଳ ଓ ଖାଦ୍ୟର ନମୂନା ସଂଗ୍ରହ କରି ପରୀକ୍ଷା କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜନସାଧାରଣଙ୍କୁ ଆତଙ୍କିତ ନ ହେବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ଏହାସହ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ, ମହାରାଜା ଯଯାତି କେଶରୀ ମେଡିକାଲ କଲେଜ, ସିଡିଏମଓଙ୍କ ଟିମ୍ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ରଖିଛନ୍ତି। ଆକ୍ରାନ୍ତ ଶିଶୁମାନଙ୍କ ବିଶେଷ ଯତ୍ନ ନିଆଯିବା ସହ ଯେମିତି ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିବେ, ସେ ଦିଗରେ ଆମେ ସଜାଗ ଅଛୁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ଏହାସହ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପାଟପୁର ଅଞ୍ଚଳର ମୃତକଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଅତିରିକ୍ତ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି। ଏହି ଗସ୍ତ ସମୟରେ ଜିଲ୍ଲାପାଳ, ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶିକା, ମେଡିକାଲ କଲେଜ୍ ଅଧ୍ୟକ୍ଷ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହି ସ୍ଥିତି ସମ୍ପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar