Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମହାପ୍ରଭୁଙ୍କ ୪୭୧୩.୨୨୫ଏକର ଜମିର ଖତିଆନ ସଂଶୋଧନ ସମ୍ପୂର୍ଣ୍ଣ

ମହାପ୍ରଭୁଙ୍କ ୪୭୧୩.୨୨୫ଏକର ଜମିର ଖତିଆନ ସଂଶୋଧନ ସମ୍ପୂର୍ଣ୍ଣ

ONA Khabar 2 weeks ago

ଭୁବନେଶ୍ୱର: ଖୋରଧା ଜିଲାର ବିଭିନ୍ନ ତହସିଲରେ ମୋଟ ୭୯୬ଟି ଖାତାରେ ଥିବା ୪୭୨୮.୩୫୭ ଏକର ଜମି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତ୍ତି ଭାବେ ଚିହ୍ନଟ ହୋଇଛି। ସେଥିମଧ୍ୟରୁ ୭୮୫ଟି ଖାତାରେ ଥିବା ୪୭୧୩.୨୨୫ ଏକର ଜମିର ଖତିଆନ ସଂଶୋଧନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଖୋରଧା ଜିଲାପାଳଙ୍କ ଦ୍ୱାରା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ପ୍ରଦାନ କରାଯାଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ଖୋରଧା ଜିଲାର ବିଭିନ୍ନ ତହସିଲରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀଙ୍କ ନାମରେ ଥିବା ଏବଂ ମାର୍ଫତଦାରଙ୍କ ନାମରେ ରେକର୍ଡଭୁକ୍ତ ଜମିର ରେକର୍ଡ ଅଫ୍ ରାଇଟ୍ସ (ଆରଓଆର) ସଂଶୋଧନ କାର୍ଯ୍ୟ ଅଗ୍ରସର ହୋଇଛି।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମହାପ୍ରଭୁଙ୍କ ଜମିଜମାର ସୁରକ୍ଷା, ସଠିକ୍ ରେକର୍ଡ ସଂରକ୍ଷଣ ଏବଂ ଆଇନଗତ ସୁରକ୍ଷା ସୁନିଶ୍ଚିତ କରିବା ସମ୍ପର୍କରେ ଆଲୋଚନା ହୋଇଛି। ବୈଠକରେ ଗୃହୀତ ନିଷ୍ପତ୍ତି ଅନୁଯାୟୀ, ଖୋରଧା ଓ ଭୁବନେଶ୍ୱର ଉପଜିଲାପାଳଙ୍କ ସମେତ ଜିଲାର ସମସ୍ତ ତହସିଲଦାର ସମନ୍ୱିତ ଭାବେ କାର୍ଯ୍ୟ କରି ସଂଶୋଧନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି। ଶ୍ରୀ ପାଢ଼ୀ କହିଛନ୍ତି ଯେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମସ୍ତ ଜମିଜମାର ସୁରକ୍ଷା, ସଠିକ୍ ରେକର୍ଡ ସଂରକ୍ଷଣ ଓ ଆଇନଗତ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ରାଜସ୍ୱ ବିଭାଗ ବଦ୍ଧପରିକର। ଏହି ଦିଗରେ ସମସ୍ତ ଜିଲାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ଖୋରଧା ଜିଲା ପ୍ରଶାସନର ଏହି ସଫଳ ପ୍ରୟାସ ଅନ୍ୟ ଜିଲା ପାଇଁ ଏକ ଉତ୍ତମ ଦୃଷ୍ଟାନ୍ତ ସୃଷ୍ଟି କରିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar