ଭୁବନେଶ୍ୱର : ୨୦୧୨ ମସିହାରେ ଜଣେ ସେଟେଲମେଣ୍ଟ ଅଫିସର ଆମମାନଙ୍କର ପୈତୃକ ସ୍ଥିତିବାନ ଭୁସମ୍ପତିକୁ ଭୁଲ ବଶତଃ ଶ୍ରୀଜଗନ୍ନାଥଙ୍କ ନାମରେ ନାମିତ କରିଦେବା ପରେ ଦୀର୍ଘ ୯ ବର୍ଷ ଧରି ନିଜର ଭିଟାମାଟି, ଘରଡିହ ଓ ଜମିଜମାକୁ ପୁନଶ୍ଚ ନିଳ ନାମରେ ଫେରାଇ ଆଣିବା ପାଇଁ ଆମେ ସଂଘର୍ଷ କରି ଆସୁଛୁ, ମାତ୍ର ରାଜ୍ୟ ସରକାର ଆମର ଦୁଃଖକୁ ଶୁଣୁନାହାନ୍ତି ବୋଲି ଆଜି ଗୁଆଝର ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମିଳନୀରେ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଅଭିଯୋଗ କରିଛନ୍ତି ।
ଜଟଣୀ ମ୍ୟୁନିସିପାଲିଟି ଓ ତାର ପାର୍ଶ୍ବବର୍ତୀ ୧୩ଟି ଗ୍ରାମ ଯଥା ଚେରୁଆଁ, ହଁସର, ବାଇରଙ୍ଗ, ହରିରାଳପୁର, ବୁଢ଼ାପଡ଼ା, ନିରଞ୍ଜନପୁର, କଜିଆ, ରଥପୁର, କୁଶମାଟି, ଛଣଘର, କୁଦିଆରି, ରାମଚନ୍ଦ୍ରପୁରର ୧ ଲକ୍ଷ ୭୨ ହଜାର ଲୋକ ୯ ବର୍ଷ ଧରି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ।
ଅନ୍ୟ ପକ୍ଷରେ ମାର୍ଚ୍ଚ ୧ ତାରିଖର ଆନ୍ଦୋଳନରେ ଭୁବନେଶ୍ଵର/ ଖୋର୍ଦ୍ଧାରେ ହୋଇଥିବା ୧୦ ହଜାର କୋଟିର ଜମି ଦୁର୍ନୀତି ମଧ୍ୟ ଏକ ପ୍ରସଙ୍ଗ । ଭୁବନେଶ୍ୱର ଓ ଖୋର୍ଦ୍ଧାର ବିଭିନ୍ନ ଗାଁ ମୁଣ୍ଡରେ ଥିବା ମୂଲ୍ୟବାନ ଜମିକୁ ଇଡ଼କୋ ଜରିଆରେ ରାଜ୍ୟ ସରକାର ଦଖଲ କରି ଶାଗମାଛ ଦରରେ ତାଙ୍କର କର୍ପୋରେଟ୍ ବନ୍ଧୁଙ୍କୁ ହସ୍ତାନ୍ତର କରିବା ପାଇଁ ଯେଉଁ ଚକ୍ରାନ୍ତ କରିଛନ୍ତି ତାହାକୁ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀ ରାଉତରାୟ କହିଛନ୍ତି । ଗ୍ରାମବାସୀମାନଙ୍କୁ ପୋଲିସ ବଳ ଲଗାଇ ଭୟଭୀତ କରାଯାଇ ଗାଁ ମୁଣ୍ଡରେ ଥିବା ମଶାଣି, ମେଳଣ ପଡ଼ିଆ, ଖେଳ ପଡିଆ ପ୍ରଭୃତିକୁ ରାଜ୍ୟ ସରକାର ନିଜ ଅକ୍ତିଆରକୁ ନେଇ ଯାଉଛନ୍ତି ଏବଂ ସେହି ଜମି ସାଧାରଣ ଜନତାଙ୍କ ସ୍ବାର୍ଥରେ ନୁହେଁ, ବରଂ ସରକାରୀ ଦଳକୁ ଅନୁଗୃହୀତ କରୁଥିବା ପୁଞ୍ଜିପତିମାନଙ୍କ ସ୍ବାର୍ଥ ସାଧନ ପାଇଁ ଏହି ହିଟ୍ଲରୀ ଶାସନ ଚାଲୁଛି । ରାଜ୍ୟ ସରକାରଙ୍କର ଏହି ନିଷ୍ପତି ବିରୁଦ୍ଧରେ ଆମର ଆନ୍ଦୋଳନ ଚାଲୁ ରହିବ ବୋଲି ଶ୍ରୀ ରାଉତରାୟ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ୍ ଦାସ, ରଶ୍ମି ମହାପାତ୍ର,ମନୋରଞ୍ଜନ ଦାଶ, ମନ୍ମଥ ରାଉତରାୟ, ଅଶୋକ ମଙ୍ଗରାଜ, ସଂଗ୍ରାମ ରାଉତରାୟ, ପ୍ରମୋଦ ହରିଚନ୍ଦନ, ଧନେଶ୍ବର ରାଉତରାୟ, ବୃନ୍ଦାବନ ସାହୁ, ମାନସ ଆଚାର୍ଯ୍ୟ, ନୌସର ଅଲ୍ଲୀ, ମୋଷୁ ପରିଜା, ଜୟକୃଷ୍ଣ ମଲିଆ, ପ୍ରକାଶ ଜେନା, କଳିଙ୍ଗ ସାହୁ, କୋଇଲି ସୁବୁଦ୍ଧି, ବିବି ବଡଜେନା, ରଂଜିତ ପାତ୍ର, ସ୍ବାଗତ କର, ହୁସେନ୍ ରାୟ, ପ୍ରକାଶ ମିଶ୍ର, ଅନନ୍ତ ବେହେରା, ଜଟାଧାରୀ ପ୍ରଧାନ, ବିଷ୍ଣୁ ସାହୁ, ସୁଧ୍ୟଶୁ ପଟ୍ଟନାୟକ, ଲିଙ୍ଗରାଜ ସାହୁ, ନିକୁଞ୍ଜ ରାଉତରାୟ, ସୁକାନ୍ତ ମହାନ୍ତି, ବଟକୃଷ୍ଣ ରାଉତରାୟ, କୟର ଭୋଇ, ମନୋରଞ୍ଜନ ବଟୁ ପ୍ରମୁଖ ଉପସ୍ଥିତ ଥିଲେ ।

