Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମାଟିଆପଡା ଆର୍‌ଓବି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ, ଶୀଘ୍ର କାର୍ଯ୍ୟ ସମାପ୍ତି ପାଇଁ ନିର୍ଦ୍ଦେଶ

ମାଟିଆପଡା ଆର୍‌ଓବି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ, ଶୀଘ୍ର କାର୍ଯ୍ୟ ସମାପ୍ତି ପାଇଁ ନିର୍ଦ୍ଦେଶ

ONA Khabar 2 weeks ago

ଭୁବନେଶ୍ୱର / ପୁରୀ: ଆଗକୁ ରଥଯାତ୍ରା ଥିବାରୁ ପୁରୀ ସହରର ଗମନା ଗମନ ଏବଂ ଟ୍ରାଫିକ ନିୟନ୍ତ୍ରଣ ସରକାରଙ୍କ ପ୍ରାଥମିକତା ରହିଛି I ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ବିଭାଗୀୟ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପୁରୀ ସହର ସମସ୍ତ ରାସ୍ତାଘାଟ ଓ ସେତୁ ନିର୍ମାଣ ନେଇ ସବୁବେଳେ ଗୁରୁତ୍ୱ ଦେଇ ଆସୁଛନ୍ତି I ରାଜ୍ୟସରକାରଙ୍କ ଯୋଜନାକୁ ସଫଳ କାର୍ଯ୍ୟକାରୀ କରିବା ଦିଗରେ ଆଜି ନିର୍ମାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ପୁରୀ ମାଟିଆପଡା ରୋଡ୍ ଓଭର ବ୍ରିଜ୍ (ଆର୍‌ଓବି) ନିର୍ମାଣ କାର୍ଯ୍ୟସ୍ଥଳ ପରିଦର୍ଶନ କରି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ।

ପରିଦର୍ଶନ ଅବସରରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ପ୍ରକଳ୍ପର ସମସ୍ତ ବଳକା କାର୍ଯ୍ୟର ବିସ୍ତୃତ ସମୀକ୍ଷା କରିବା ସହିତ ଗୁରୁତ୍ୱପୂର୍ଣ୍ଣ ନିର୍ମାଣ କାର୍ଯ୍ୟଗୁଡ଼ିକର ଅଗ୍ରଗତି ଅନୁଧ୍ୟାନ କରିଥିଲେ। ବିଶେଷକରି ବୋ-ଷ୍ଟ୍ରିଙ୍ଗ ଗାର୍ଡର ଲଞ୍ଚିଂ ଏବଂ ବ୍ରିଜ୍ ଡେକ୍ ସ୍ଲାବ କାଷ୍ଟିଂ କାର୍ଯ୍ୟକୁ ଶୀଘ୍ର ସମ୍ପନ୍ନ କରିବା ପାଇଁ ସେ କାର୍ଯ୍ୟନିର୍ବାହୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ନିର୍ମାଣ କାର୍ଯ୍ୟରେ ସମସ୍ତ ସୁରକ୍ଷା ବିଧି ଓ ନିର୍ଦ୍ଧାରିତ ଗୁଣାତ୍ମକ ମାନଦଣ୍ଡର କଡ଼ାକଡ଼ି ପାଳନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ପ୍ରକଳ୍ପର ସମୟୋପଯୋଗୀ ସମାପ୍ତିର ଗୁରୁତ୍ୱ ଉଲ୍ଲେଖ କରି ଶ୍ରୀ ସିଂହ ପର୍ଯ୍ୟାପ୍ତ ମାନବ ସମ୍ବଳ ନିଯୁକ୍ତି, ଯନ୍ତ୍ରପାତି ଓ ଅନ୍ୟାନ୍ୟ ଆବଶ୍ୟକ ଯନ୍ତ୍ରପାତି ନିୟୋଜିତ କରିବା ସହ ବିଭାଗ ସହ ସମନ୍ୱୟ ରକ୍ଷା କରି ଧାର୍ଯ୍ୟ ସମୟସୀମା ମଧ୍ୟରେ କାର୍ଯ୍ୟ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ବୋ-ଷ୍ଟ୍ରିଙ୍ଗ ଗାର୍ଡର ଲଞ୍ଚିଂ କାର୍ଯ୍ୟ ୧୫ ଜୁନ୍ ୨୦୨୬ ସୁଦ୍ଧା ଏବଂ ସ୍ଲାବ କାଷ୍ଟିଂ କାର୍ଯ୍ୟ ୨୦ ଜୁନ୍ ୨୦୨୬ ସୁଦ୍ଧା ସମ୍ପନ୍ନ କରାଯିବାକୁ ଲକ୍ଷ୍ୟ ରହିଥିବା ଠିକା ସଂସ୍ଥାର ଅଧ୍ୟକ୍ଷ ସୂଚନା ଦେଇଥିଲେ । ମାଟିଆପଡା ଆର୍‌ଓବି ସମ୍ପୂର୍ଣ୍ଣ ହେବା ପରେ ଅଞ୍ଚଳରେ ଯାତାୟାତ ବ୍ୟବସ୍ଥାରେ ଉଲ୍ଲେଖନୀୟ ଉନ୍ନତି ଆସିବା ସହ ଯାତ୍ରା ସମୟ ହ୍ରାସ ପାଇବ ଏବଂ ଯାତ୍ରୀମାନଙ୍କ ପାଇଁ ନିରବଚ୍ଛିନ୍ନ ସଂଯୋଗ ସୁନିଶ୍ଚିତ ହେବ। ଏହି ପ୍ରକଳ୍ପ ଅଞ୍ଚଳର ପରିବହନ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ସହ ଯାତାୟାତର ସୁଗମ ପରିଚାଳନାରେ ବିଶେଷ ସହାୟକ ହୋଇପାରିବ । ଏହି ପରିଦର୍ଶନ ସମୟରେ ମୁଖ୍ୟ ଯନ୍ତ୍ରୀ (ଜାତୀୟ ରାଜପଥ-୧) ଇଂ ନାରାୟଣ ପଟେଲ , ମୁଖ୍ୟ ନିର୍ମାଣ ଯନ୍ତ୍ରୀ , ଜାତୀୟ ରାଜପଥ ସର୍କଲ, ଭୁବନେଶ୍ୱର ଇଂ ଅଜିତ କୁମାର ରାୟ, ଅଧୀକ୍ଷଣ ଯନ୍ତ୍ରୀ, ଜାତୀୟ ରାଜପଥ ବିଭାଗ, ଭୁବନେଶ୍ୱର ଇଂ ପୁପୁନ କୁମାର ପ୍ରଧାନ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ସୌମ୍ୟ ରଞ୍ଜନ ଦ୍ବିବେଦୀ ଏବଂ ଇପିସି ଠିକା ସଂସ୍ଥାର ଅଧ୍ୟକ୍ଷ ଶ୍ରୀ ସୁବାସ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar