Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପଶ୍ଚିମ ତଥା ଦକ୍ଷିଣ ଓଡ଼ିଶାର କୌଣସି ସହରର ନାମ ନଆସିବା ସରକାରଙ୍କ ବୈମାତୃକ ମନୋଭାବକୁ ସୂଚାଉଛି: ଇଂ ରୋହିତ ପୂଜାରୀ

ପଶ୍ଚିମ ତଥା ଦକ୍ଷିଣ ଓଡ଼ିଶାର କୌଣସି ସହରର ନାମ ନଆସିବା ସରକାରଙ୍କ ବୈମାତୃକ ମନୋଭାବକୁ ସୂଚାଉଛି: ଇଂ ରୋହିତ ପୂଜାରୀ

ONA Khabar 5 days ago

ୟୁନିଭର୍ସିଟି ଟାଉନସିପ୍ ପ୍ରୋଜେକ୍ଟ ସମ୍ୱଲପୁର: ପ୍ରସ୍ତାବିତ ୟୁନିଭର୍ସିଟି ଟାଉନସିପ୍ ପ୍ରୋଜେକ୍ଟ ପାଇଁ ପ୍ରାରମ୍ଭିକ ଭାବେ ଆଲୋଚନା ହୋଇଥିବା ସ୍ଥାନ ଗୁଡ଼ିକରେ ପଶ୍ଚିମ ଓଡ଼ିଶା ତଥା ଦକ୍ଷିଣ ଓଡ଼ିଶାର ସହରଗୁଡ଼ିକୁ ସ୍ଥାନ ନମିଳିବାକୁ ନେଇ ପୂର୍ବତନ ମନ୍ତ୍ରୀ ତଥା ସମ୍ୱଲପୁର ଜିଲ୍ଲା ବିଜୁ ଜନତା ଦଳ ସଭାପତି ଇଂ ରୋହିତ ପୂଜାରୀ ଉଦବେଗ ପ୍ରକାଶ କରିଛନ୍ତି ।

ଓଡ଼ିଶା ପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ପ୍ରାରମ୍ଭିକ ପ୍ରସ୍ତାବରେ ପଶ୍ଚିମ ଓଡ଼ିଶାର କୌଣସି ସହର କିମ୍ୱା ଜିଲ୍ଲାର ନାମ କାହିଁକି ଆସିଲା ନାହିଁ? ସେହିପରି ଦକ୍ଷିଣ ଓଡ଼ିଶାର କୌଣସି ଜିଲ୍ଲା କିମ୍ବା ସହର ମଧ୍ୟ ଏଥିରେ ସ୍ଥାନ ନମିଳିବା ଦୁର୍ଭାଗ୍ୟଜନକ," ବୋଲି ଶ୍ରୀ ପୂଜାରୀ କହିଛନ୍ତି । "ପଶ୍ଚିମ ଓଡ଼ିଶା ପ୍ରତି ରାଜ୍ୟ ସରକାର ସବୁବେଳେ ଅବହେଳା ଓ ବୈମାତୃକ ମନୋଭାବ ପୋଷଣ କରାଯାଉଥିବା ଭଳି ଅନୁଭବ ହେଉଛି । ଦୀର୍ଘଦିନ ଧରି ଏହି ଅଞ୍ଚଳର ଲୋକେ ନିଜର ନ୍ୟାୟସଙ୍ଗତ ଦାବି ଉଠାଇ ଆସୁଥିଲେ ମଧ୍ୟ ଅନେକ ପ୍ରତିଶ୍ରୁତି ଆଜି ପର୍ଯ୍ୟନ୍ତ ପୂରଣ ହୋଇନାହିଁ । ହାଇକୋର୍ଟ ବେଞ୍ଚ, ଏମ୍ସ, ସମ୍ୱଲପୁରୀ ଭାଷାକୁ ସରକାରୀ ମାନ୍ୟତା, ଡବ୍ଲୁ୍ୟଓଡିସି କାର୍ଯ୍ୟାଳୟର ପଶ୍ଚିମ ଓଡ଼ିଶାକୁ ସ୍ଥାନାନ୍ତରଣ ଭଳି ଗୁରୁତ୍ୱପୂର୍ଣ୍ଣ ଦାବି ସହ ଅନ୍ୟାନ୍ୟ ଉନ୍ନୟନମୂଳକ ପ୍ରସଙ୍ଗରେ ପଶ୍ଚିମ ଓଡ଼ିଶାକୁ ବାରମ୍ୱାର ଅଣଦେଖା କରାଯାଉଛି । ଏବେ ୟୁନିଭର୍ସିଟି ଟାଉନସିପ୍ ପ୍ରୋଜେକ୍ଟ ଭଳି ଏକ ମହତ୍ୱକାଂକ୍ଷୀ ପ୍ରକଳ୍ପର ପ୍ରାରମ୍ଭିକ ପ୍ରସ୍ତାବରେ ମଧ୍ୟ ପଶ୍ଚିମ ଓଡ଼ିଶାର କୌଣସି ସହରର ନାମ ନଆସିବା ଦୁର୍ଭାଗ୍ୟଜନକ ।

ଶ୍ରୀ ପୂଜାରୀ ଆହୁରି ମଧ୍ୟ କହିଛନ୍ତି, ପଶ୍ଚିମ ଓଡ଼ିଶାର ଅନେକ ସହରରେ ଏପରି ଏକ ବଡ଼ ଶିକ୍ଷାଗତ ପ୍ରକଳ୍ପ ସ୍ଥାପନ ପାଇଁ ଯଥେଷ୍ଟ ସମ୍ଭାବନା ରହିଛି । ସମ୍ୱଲପୁର, ବଲାଙ୍ଗୀର, ରାଉରକେଲା ଏବଂ ଭବାନୀପାଟଣା ଭଳି ସହରଗୁଡ଼ିକରେ ଏହି ପ୍ରକଳ୍ପ ହୋଇପାରିବ । ପ୍ରତ୍ୟେକ ସହରର ନିଜସ୍ୱ ସାମର୍ଥ୍ୟ ରହିଛି । ଚୂଡ଼ାନ୍ତ ନିଷ୍ପତ୍ତି ପୂର୍ବରୁ ସରକାର ସମସ୍ତ ସମ୍ଭାବ୍ୟ ସ୍ଥାନର ନିରପେକ୍ଷ ମୂଲ୍ୟାୟନ କରିବା ଉଚିତ । ସମ୍ୱଲପୁର ସମ୍ପର୍କରେ ସେ କହିଛନ୍ତି ଯେ ବୁର୍ଲା-ଧନକଉଡା ଅଞ୍ଚଳ ପୂର୍ବରୁ ଏକ ସୁଦୃଢ଼ ଶିକ୍ଷାଗତ ପରିବେଶ ସୃଷ୍ଟି କରିଛି । "ବୁର୍ଲା ଦୀର୍ଘଦିନ ଧରି ଏକ ଏଜୁକେସନ ହବ୍ ଭାବେ ସୁନାମ ଅର୍ଜନ କରିଛି । ସମ୍ୱଲପୁର ଅଞ୍ଚଳରେ ୟୁନିଭର୍ସିଟି ଟାଉନସିପ୍ ସ୍ଥାପନ ହେଲେ ଉଚ୍ଚଶିକ୍ଷା, ଗବେଷଣା, ଦକ୍ଷତା ବିକାଶ ଓ ନିଯୁକ୍ତି କ୍ଷେତ୍ରରେ ପଶ୍ଚିମ ଓଡ଼ିଶାର ଯୁବପିଢ଼ି ନୂତନ ସୁଯୋଗ ପାଇବେ । ପ୍ରକଳ୍ପ ପାଇଁ ସ୍ଥାନ ଚୟନରେ ସମସ୍ତ ଅଞ୍ଚଳକୁ ସମାନ ସୁଯୋଗ ମିଳିବା ଦରକାର । ତେଣୁ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ସମ୍ଭାବନାକୁ ଗୁରୁତ୍ୱର ସହ ବିଚାର କରନ୍ତୁ ବୋଲି ଇଂ ପୂଜାରୀ କହିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar