ଭୁବନେଶ୍ୱର: କଳିଙ୍ଗ ଷ୍ଟୁଡିଓ ଲିମିଟେଡ୍ କର୍ତ୍ତୃପକ୍ଷ ରୁ ବିଧିବଦ୍ଧ ଭାବେ ଗତ ୨୦ ତାରିଖ ମଙ୍ଗଳବାରଠାରୁ ଷ୍ଟୁଡିଓ ଦର୍ଶକଙ୍କ ପାଇଁ ଖୋଲାଯାଇଛି ଏହା ସହିତ ଉଭୟ ପରିଦର୍ଶନ ଓ ସୁଟିଂ ପାଇଁ ଅନୁମତି ମିଳିଛି । ବୁଲିବା ପାଇଁ ଧାର୍ଯ୍ୟ ସମୟ ସହ ସ୍ୱତନ୍ତ୍ର ଟିକଟ୍ ବ୍ୟବସ୍ଥା କରାଯାଇଛି ।ଷ୍ଟୁଡିଓ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟ ଅନୁଯାୟୀ, ଷ୍ଟୁଡିଓ ଭିତରକୁ ପ୍ରବେଶ ପାଇଁ ସାଧାରଣ ଟିକେଟ୍ ମୂଲ୍ୟ ବ୍ୟକ୍ତି ପିଛା ୨୦ ଟଙ୍କା ରଖାଯାଇଛି, ଯାହାକି ବାଧ୍ୟତାମୂଳକ ଅଟେ।
ଷ୍ଟୁଡିଓର ମୁଖ୍ୟ ଆକର୍ଷଣ ଯଥା- ସ୍ନୋ ପାର୍କ, ୩ଡି ମୁଭି ମ୍ୟାଜିକ୍ ଏବଂ ଆଡଭେଞ୍ଚର ଲ୍ୟାଣ୍ଡ ଭୂତ ବଙ୍ଗଳା ପାଇଁ ପୃଥକ ଟିକେଟ୍ ବ୍ୟବସ୍ଥା କରାଯାଇଛି। ସ୍ନୋ ପାର୍କ ପାଇଁ ପ୍ରବେଶ ଶୁଳ୍କ ୧୫୦ ଟଙ୍କା ଥିବାବେଳେ ୩ଡି ଫିଲ୍ମ ପାଇଁ ୧୦୦ ଟଙ୍କା ଏବଂ ଭୂତ ବଙ୍ଗଳା ପାଇଁ ୨୫ ଟଙ୍କା ନିର୍ଦ୍ଧାରଣ କରାଯାଇଛି। ଜଣେ ଦର୍ଶକ ୨୭୫ ଟଙ୍କା ଦେଇ ଏହି ତିନୋଟି ଯାକ ସ୍ଥାନର ମଜା ନେଇପାରିବେ। ପ୍ରବେଶ ଶୁଳ୍କକୁ ମିଶାଇଲେ ସମ୍ପୂର୍ଣ୍ଣ ଷ୍ଟୁଡିଓ ବୁଲିବା ପାଇଁ ମୋଟ ୨୯୫ ଟଙ୍କା ଦେବାକୁ ପଡ଼ିବ।ଦର୍ଶକମାନଙ୍କୁ ଦୁଇଟି ପର୍ଯ୍ୟାୟରେ ଷ୍ଟୁଡିଓ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ।
ପ୍ରଥମ ପର୍ଯ୍ୟାୟ ସକାଳ ୧୦ଟାରୁ ଅପରାହ୍ନ ୧.୩୦ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଅପରାହ୍ନ ୨ଟାରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେକ ପର୍ଯ୍ୟାୟରେ ୭ଟି ଲେଖାଏଁ ସ୍ଲଟ୍ ରହିବ, ଅର୍ଥାତ୍ ଦିନକରେ ମୋଟ ୧୪ଟି ସ୍ଲଟ୍ ବ୍ୟବସ୍ଥା କରାଯାଇଛି। ଗୋଟିଏ ସ୍ଲଟର ଅବଧି ୨୫ ମିନିଟ୍ ରହିବ। କେବଳ ନିର୍ଦ୍ଧାରିତ ସ୍ଲଟ୍ ସମୟରେ ହିଁ ସ୍ନୋ ପାର୍କ ଖୋଲା ରହିବ। ଥରେ ଟିକେଟ୍ କିଣିବା ପରେ ତାହା ଫେରସ୍ତ କିମ୍ବା ପରିବର୍ତ୍ତନ କରାଯାଇପାରିବ ନାହିଁ l

