Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମଧ୍ୟପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପିକଅପ୍ ଭ୍ୟାନ୍ ଓଲଟି ୧୬ ମୃତ, ୨୦ ଆହତ

ମଧ୍ୟପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପିକଅପ୍ ଭ୍ୟାନ୍ ଓଲଟି ୧୬ ମୃତ, ୨୦ ଆହତ

Photo News 3 weeks ago

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଧାର ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି। ଶ୍ରମିକଙ୍କୁ ନେଇ ଯାଉଥିବା ଏକ ପିକଅପ୍ ଭ୍ୟାନ୍ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିବା ଫଳରେ ୨ ଶିଶୁଙ୍କ ସମେତ ୧୬ ଜଣଙ୍କର ପ୍ରାଣହାନି ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୨୦ ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି।

ପୋଲିସ ସୂଚନା ଅନୁଯାୟୀ, ପ୍ରାୟ ୩୫ ଜଣ ଶ୍ରମିକଙ୍କୁ ଧରି ପିକଅପ୍ ଭ୍ୟାନ୍‌ଟି ଆମଝେରା ଅଭିମୁଖେ ଯାଉଥିଲା। ରାତି ପ୍ରାୟ ୮ଟାରୁ ୮:୩୦ ମଧ୍ୟରେ ଚିକାଲିଆର ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଚାଳକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ। ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିବା ସହ ରାସ୍ତା ଡିଭାଇଡର୍ ପାର ହୋଇ ଅନ୍ୟ ପାର୍ଶ୍ୱ ଲେନ୍‌କୁ ଚାଲିଯାଇଥିଲା। ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ସ୍କୋର୍ପିଓ ସହ ଏହାର ସାମ୍ନାସାମ୍ନି ଧକ୍କା ହୋଇଥିଲା।

ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ପିକଅପ୍ ଭ୍ୟାନ୍‌ରେ ଥିବା ଶ୍ରମିକମାନେ ଗାଡ଼ି ତଳେ ଚାପି ହୋଇଯାଇଥିଲେ। ସ୍ଥାନୀୟ ଲୋକ ଓ ପୋଲିସ ସାହାଯ୍ୟରେ ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ଦୁଇଜଣ ଶିଶୁ ଥିବା ଜଣାପଡ଼ିଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ସୂଚନା ମିଳିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Photo News