ଓଡିଶା
ଆଜି ବନ୍ଦ ରହିବ ଟିକାକରଣ, ଶନିବାର ପୁଣି ଟାର୍ଗେଟ ଟପିଛି ଓଡ଼ିଶା

ଭୁବନେଶ୍ୱର,୨୪/୦୧ : ଆଜି ରାଜ୍ୟରେ ଟିକାକରଣ ହେବନି । ବନ୍ଦ ରହିବ ଟିକାଦାନ । ଗୋଟିଏ ଦିନ ବିରତି ପରେ ପୁଣି ସୋମବାର ସ୍ୱାଭାବିକ ହେବ ଟିକାକରଣ । ଶନିବାର ପୁଣି ଟାର୍ଗେଟକୁ ଟପିଯାଇଛି ଓଡ଼ିଶା । ୨୧ ହଜାର ୩୦୪ ଜଣଙ୍କୁ ଟିକା ଦେବାକୁ ତାଲିକା ହୋଇଥିବା ବେଳେ ୨୨ ହଜାର ୩୬୪ ଜଣ ଟିକା ନେଇଛନ୍ତି । ଅର୍ଥାତ ୧୦୫% ହୋଇଛି ଶନିବାର ଟିକାଦାନ ହାର । ୭ ଦିନ ମଧ୍ୟରେ ରାଜ୍ୟରୁ ୧ଲକ୍ଷ ୫୨ ହଜାର ୩୭୧ ଜଣ ଟିକା ନେଲେଣି ।
ଆଶ୍ୱସନାର କଥା ହେଉଛି, ଶନିବାର କୌଣସି ଲୋକଙ୍କଠାରେ ପାଶ୍ୱର୍ ପ୍ରତିକ୍ରିୟା ପ୍ରକାଶ ପାଇନି । କୋଭିସିଲ୍ଡ୍ର ୨୧ହଜାର ୮୯୮ ଡୋଜ୍ ଦିଆଯାଇଥିବାବେଳେ କୋଭାକ୍ସିନ୍ ନେଇଛନ୍ତି ୪୬୬ ଜଣ । ଶନିବାର ୭ ଜିଲ୍ଲାରେ ଟିକାରଣ ବନ୍ଦ ରହିଥିଲା । ଅନୁଗୁଳରେ ୧୧୭.୪%, ବରଗଡ଼ରେ ୧୦୮.୨%, ଭଦ୍ରକରେ ୧୧୬.୮%, ଢେଙ୍କାନାଳରେ ୧୧୩.୩%, କଳାହାଣ୍ଡିରେ ୧୦୩.୫%, କେନ୍ଦୁଝରରେ ୧୨୧.୭%, କୋରାପୁଟ୍ରେ ୧୧୮.୧%, ମାଲକାନଗିରିରେ ୧୦୩.୭%, ନବରଙ୍ଗପୁରରେ ୧୧୩%, ପୁରୀରେ ୧୦୮%, ରାୟଗଡ଼ାରେ ୧୧୨.୨%, ସୋନପୁରରେ ୧୧୯.୭% ଓ ସୁନ୍ଦରଗଡ଼ରେ ୧୦୮% ଟିକା ନେଇଛନ୍ତି । ଭୁବନେଶ୍ୱରରେ ଆଜି କିନ୍ତୁ ୯୧.୪% ରହିଛି ଟିକାକରଣ ହାର ।
ରବିବାର ପରେ ସୋମବାର ଟିକାଦାନ ହେବ । ଦେବଗଡ଼ ଓ ଭୁବନେଶ୍ୱର ମହାନଗର ନିଗମ କେନ୍ଦ୍ରର ଚୂଡ଼ାନ୍ତ ତାଲିକା ଦେଇ ନାହାନ୍ତି । ୩୦୨ କେନ୍ଦ୍ରରେ ୨୫ ହଜାର ୯୬୫ ଜଣଙ୍କୁ ଟିକା ଦେବାକୁ ତାଲିକା ହୋଇଛି । ଭୁବନେଶ୍ୱର ଓ ଦେବଗଡ଼ର ତାଲିକା ଆସିବା ପରେ ଏ ସଂଖ୍ୟା ଆହୁରି ବଢିବ । ସୋମବାର ସମସ୍ତ ଜିଲ୍ଲାରେ ଟିକାକରଣ କରିବାକୁ ବିଭାଗ ସ୍ଥିର କରିଛି ।