Dailyhunt
ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ, ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ସମ୍ପର୍କରେ ହେବ ଆଲୋଚନା

ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ, ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ସମ୍ପର୍କରେ ହେବ ଆଲୋଚନା

ଭୁବନେଶ୍ୱର,୩୦/୦୪: ଓଡ଼ିଶା ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ବସିବ । ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ନେଇ ବିଧାନସଭାରେ ଆଲୋଚନା ପାଇଁ ଦିନକ ପାଇଁ ଏହି ଅଧିବେଶନ ଡକାଯାଇଛି । ଏଥିପାଇଁ ସବୁ ଦଳ ପ୍ରସ୍ତୁତ ରହିଛନ୍ତି । ସଂସଦରେ ମହିଳା ସଂରକ୍ଷଣ ସମ୍ପର୍କିତ ବିଲ୍ କାଟ ଖାଇବା ପରେ ବିରୋଧୀ ଦଳଙ୍କୁ କାଠଗଡ଼ାକୁ ଟାଣିବା ଯୋଜନାରେ ରହିଛି ବିଜେପି ।

ଅନ୍ୟପଟେ ମହିଳା ସଂରକ୍ଷଣ ନେଇ ସରକାରଙ୍କୁ ଘେରିବାକୁ ବିରୋଧୀ ଦଳ ବି ଅସ୍ତ୍ର ସଜାଇ ବସିଛନ୍ତି ।

​​​​​​​ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ବିଜେପିର ବିଧାୟକ ଦଳ ବୈଠକ। ସାଢେ ୯ଟାରେ ବିଧାନସଭା ୫୪ନଂ ହଲରେ ବସିବ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ ଆଲୋଚନା। ଏହି ବୈଠକରେ ସାମିଲ ହେବେ ସମସ୍ତ ମନ୍ତ୍ରୀ ବିଧାୟକ।ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବି ଉପସ୍ଥିତ ରହିବେ।
ସଂସଦରେ ମହିଳା ସଂରକ୍ଷଣ ବିଲ କାଟ୍ ଖାଇବା ପାରେ ଓଡ଼ିଶା ବିଧାନସଭାରେ ବସିବାକୁ ଯାଉଛି ସ୍ୱତନ୍ତ୍ର ଅଧିବେଶନ।

ଗୁରୁବାର ପୂର୍ବାହ୍ନ ୧୧ଟାରୁ ଅଧିବେଶନ ଆରମ୍ଭ ହେବ । ସିଧା ବିଷୟବସ୍ତୁକୁ ନେଇ ଆଲୋଚନା ଆରମ୍ଭ କରାଯିବ । ଏହି ଅଧିବେଶନ ପାଇଁ ଗୁରୁବାର ସକାଳ ସାଢ଼େ ୯ଟାରେ ବିଧାନସଭା ପରିସରରେ ବିଜେପି ବିଧାୟକ ଦଳ ବୈଠକ ଡକାଯାଇଛି । ସମସ୍ତ ବିଧାୟକ ଉପସ୍ଥିତ ରହିବାକୁ କୁହାଯାଇଛି । ବିଜେପିର ଆଭିମୁଖ୍ୟ କିଭଳି ରହିବ, ସେ ନେଇ ବୈଠକରେ ବିଧାୟକମାନଙ୍କୁ ଅବଗତ କରାଯିବ । ସଂସଦରେ ମହିଳା ସଂରକ୍ଷଣ କାଟ୍ ଖାଇବା ପ୍ରସଙ୍ଗରେ ନିନ୍ଦା ପ୍ରସ୍ତାବ ଆଣିପାରନ୍ତି ସରକାରୀ ଦଳ ।

ଅଧିକ ପଢ଼ନ୍ତୁ :- Odisha Weather Forecast : ଗ୍ରୀଷ୍ମ ଲହରୀରୁ ହାଲୁକା ଆଶ୍ୱସ୍ତି, ୨ ଦିନ ଯାଏ ଉପକୂଳ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଗରମ ସହ ଗୁଳୁଗୁଳି ଜାରି

ବିଜେଡି କୌଣସି ସ୍ୱତନ୍ତ୍ର ବୈଠକ ଡାକିନଥିଲେ ମଧ୍ୟ ଦୁଇଦିନ ତଳେ ସମସ୍ତ ବିଧାୟକ ଶଙ୍ଖ ଭବନରେ ବସି ଆଲୋଚନା କରିଥିଲେ । ସ୍ୱତନ୍ତ୍ର ଅଧିବେଶନରେ ନିଜେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉପସ୍ଥିତ ରହି ସରକାରଙ୍କୁ ସାମ୍ନା କରିବାକୁ ରଣନୀତି ହୋଇଛି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ବିନା କୌଣସି ନିର୍ଦ୍ଧାରିତ କାର୍ଯ୍ୟରେ ବିଧାନସଭା ଡକାଯାଇଛି । ଏ ଆଲୋଚନା ଜୟଦେବ ଭବନରେ ବି ହୋଇପାରିଥାନ୍ତା । ୨୦୨୩ରେ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇଥିଲା । ୫୪୩ ଲୋକସଭା ଆସନରେ ୩୩% ସଂରକ୍ଷଣ କାହିଁକି ଦେଲେନି? ମହିଳା ସଂରକ୍ଷଣ ବିଲ୍‌କୁ ସୀମା ନିର୍ଦ୍ଧାରଣ ସହ ମିଶାଇ ଆଣିବା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି । ସରକାରଙ୍କ ପ୍ରକୃତ ମୁଖାକୁ ବିଧାନସଭାରେ ଖୋଲାଯିବ ।

ବୁଧବାର ସନ୍ଧ୍ୟାରେ କଂଗ୍ରେସ ବିଧାୟକ ଦଳ ବୈଠକ ବସିଥିଲା । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ନାରୀ ସଂରକ୍ଷଣ ପ୍ରସଙ୍ଗରେ ବିରୋଧୀ ଦଳଙ୍କୁ ବଦନାମ କରିବା ପାଇଁ ସରକାର ଏଭଳି ଅଧିବେଶନ ଡାକିଛନ୍ତି । ହେଲେ କଂଗ୍ରେସ ଦଳ ସବୁବେଳେ ନାରୀ ଶକ୍ତିକୁ ଅଧିକାର ଓ ସମ୍ମାନ ଦେଇଛି । ଦେଶର ପ୍ରଥମ ଓ ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀଙ୍କ ନାଁ ଇନ୍ଦିରା ଗାନ୍ଧି । ପ୍ରଥମ ମହିଳା ରାଷ୍ଟ୍ରପତି ଥିଲେ ପ୍ରତିଭା ସିଂ ପାଟିଲ । ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ । ଏସବୁ କଂଗ୍ରେସ ସରକାର ସମୟରେ ହୋଇଥିଲା । ମହିଳା ସଂରକ୍ଷଣ ବିଲକୁ ବି କଂଗ୍ରେସ ସମର୍ଥନ ଦେଇଥିଲା । ମାତ୍ର ବିଜେପି ଦଳ କେବଳ ରାଜନୀତି ଉଦ୍ଦେଶ୍ୟରେ ନାଟକ କରୁଛି । ମା'ଙ୍କୁ ସମ୍ମାନ ଦେଇପାରୁନି ଏ ସରକାର । ବ୍ୟାଙ୍କରୁ ଟଙ୍କା ଉଠାଣ ପାଇଁ ଜିତୁ ମୁଣ୍ଡା ନିଜ ମୃତ ଭଉଣୀର କଙ୍କାଳ ଖୋଳି ବୋହି ବୋହି ନେଲା । ମଲା ପରେ ବି ଜଣେ ମହିଳାଙ୍କୁ ସମ୍ମାନ ଓ ତାଙ୍କ ପରିବାରକୁ ଅଧିକାର ମିଳୁନି । ଦାନ ମାଝୀ ପରେ ଏ ଘଟଣା ଓଡ଼ିଶାକୁ ବିଶ୍ୱ ଦରବାରରେ ଲଜ୍ଜିତ କରିଛି । ଏସବୁ କଥା ବିଧାନସଭାରେ ଉଠାଯିବ ।

ମହିଳା ସଂରକ୍ଷଣ ସମ୍ପର୍କିତ ସମ୍ବିଧାନ ସଂଶୋଧନ ବିଲ୍ ପାରିତ କରିବାକୁ ଗତ ଏପ୍ରିଲ ୧୬ରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିଥିଲେ । ଏହି ବିଲ୍ ପାରିତ ହେବା ପାଇଁ ଦୁଇ ତୃତୀୟାଂଶ ସମର୍ଥନ ଆବଶ୍ୟକ ଥିଲା । ମାତ୍ର ସୀମା ନିର୍ଦ୍ଧାରଣକୁ ନେଇ ସମ୍ବିଧାନ ସଂଶୋଧନ ବିଲ୍କୁ ନେଇ ତୀବ୍ର ବିରୋଧ କରିଥିଲେ ବିରୋଧୀ ଦଳ । ବିରୋଧୀ ଦଳ ସମର୍ଥନ ନ କରିବାରୁ ବିଲ୍ କାଟ୍ ଖାଇଥିଲା । ଏହାପରଠାରୁ ମହିଳା ସଂରକ୍ଷଣକୁ ନେଇ ବିଜେପି ଦେଶବ୍ୟାପୀ ବିରୋଧୀ ଦଳ ବିରୋଧରେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ, ବିକ୍ଷୋଭ ଜାରି ରଖିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia