ନୂଆଦିଲ୍ଲୀ, ୧।୯: ଖୁବଶୀଘ୍ର କାଗଜ ନୋଟ୍ ପରିବର୍ତ୍ତେ ପ୍ରଚଳନ ହେବାକୁ ଯାଉଛି ପ୍ଲାଷ୍ଟିକ ବା ପଲିମର ନୋଟ୍ । ଭାରତୀୟ ରିଜର୍ଭ ବ୍ୟାଙ୍କ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୧୦ ଓ ୨୦ ଟଙ୍କିଆ ନୋଟ୍ ପ୍ଲାଷ୍ଟିକରେ ଛପାଯିବାର ପରୀକ୍ଷଣ କରାଯିବ । ତେବେ ଏହି ନୋଟ୍ ପ୍ରସ୍ତୁତିକୁ ନେଇ ଆର୍ବିଆଇ ପକ୍ଷରୁ ଏକ ବଡ଼ ଏବଂ କଡ଼ା ସର୍ତ୍ତ ରଖାଯାଇଛି ।
ଭାରତରେ ପ୍ଲାଷ୍ଟିକ ନୋଟ୍ ଆଣିବା ପାଇଁ ଆର୍ବିଆଇ ପକ୍ଷରୁ ଗତ ଜୁଲାଇ ମାସରେ ଏକାଗ୍ରୋବାଲ୍ ଟେଣ୍ଡର ଡକାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୧୦ ଟଙ୍କିଆ ଏବଂ ୨୦ ଟଙ୍କିଆ ନୋଟ୍ ୧୦୦ କୋଟି ପିସ୍ ଲେଖାଏଁ ଅର୍ଥାତ୍ ମୋଟ ୩,୦୦୦ କୋଟି ଟଙ୍କାର ପ୍ଲାଷ୍ଟିକ ନୋଟ୍ ଛପାଯିବାର ଲକ୍ଷ୍ୟ ରଖାଯାଇଛି । ସବୁକିଛି ଠିକଠାକ୍ ରହିଲେ ଆଗାମୀ ଆର୍ଥିକ ବର୍ଷର ଶୁଭାରମ୍ଭ ଅର୍ଥାତ୍ ୨୦୨୭ ଏପ୍ରିଲ୍ ଆଖପାଖରେ ଏହି ନୋଟ୍ ବଜାରକୁ ଆସିପାରେ । ପୂର୍ବରୁ ୨୦୦୯ ମସିହାରେ ମଧ୍ୟ ୧୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ ପାଇଁ ପ୍ରୟାସ କରାଯାଇଥିଲେ ମଧ୍ୟ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ତାହା ବନ୍ଦ ହୋଇଯାଇଥିଲା । କାଗଜ ନୋଟ୍ ପରି ପ୍ଲାଷ୍ଟିକ ନୋଟ୍ଗୁଡ଼ିକ ମଧ୍ୟ ଚାଲିବ । ପ୍ଲାଷ୍ଟିକ ନୋଟ୍ଗୁଡ଼ିକ କାଗଜ ନୋଟ୍ ତୁଳନାରେ ୩ ରୁ ୪ ଗୁଣ ଅଧିକ ଦିନ ତିଷ୍ଠି ରହିଥାଏ ।
କାହିଁକି ରଖାଯାଇଛି 'ଆନିମଲ ଟ୍ୟାଲୋ' ନ ରଖିବାକୁ କଡ଼ା ସର୍ତ୍ତ ?
ଭାରତରେ ପ୍ଲାଷ୍ଟିକ ନୋଟ୍ ତିଆରି ପାଇଁ ପଲିମର ସିଟ୍ ଯାହାଙ୍କଠାରୁ ଅଣାଯିବ, ସେହି କମ୍ପାନିଗୁଡ଼ିକ ପାଇଁ ଆର୍ବିଆଇ ଏକ ସ୍ୱତନ୍ତ୍ର ସର୍ତ୍ତ ରଖିଛି । ସର୍ତ୍ତ ମୁତାବକ, ନୋଟ୍ ତିଆରି ହେବାକୁଥିବା ପଲିମର ସିଟ୍ ରେ କୌଣସି ପ୍ରକାରର 'ଆନିମଲ ଟ୍ୟାଲୋ' ଅର୍ଥାତ୍ ଜୀବଜନ୍ତୁଙ୍କ ଚର୍ବିର ଅଂଶ କିମ୍ବା ଡିଏନ୍ଏ ରହିବା ସମ୍ପୂର୍ଣ୍ଣ ନିଷେଧ । ବିଦେଶର କେତେକ ଦେଶରେ ପ୍ଲାଷ୍ଟିକ ନୋଟ୍ ଗୁଡ଼ିକ ପରସ୍ପର ସହ ଯେପରି ନ ଲାଗେ, ସେଥିପାଇଁ 'ସ୍ଲିପ୍ ଏଜେଣ୍ଟ' ଭାବରେ ଜୀବଜନ୍ତୁଙ୍କ ଚର୍ବି ବା ଟ୍ୟାଲୋର ବ୍ୟବହାର କରାଯାଇଥାଏ । ଅଷ୍ଟ୍ରେଲିଆ, କାନାଡ଼ା ଏବଂ ବ୍ରିଟେନ ଆଦି ଦେଶରେ ପ୍ଲାଷ୍ଟିକ ନୋଟ୍ ରେ ଜୀବଜନ୍ତୁଙ୍କ ଚର୍ବି ମିଳିବା ପରେ ସେଠାରେ ଶାହାବାରୀ, ଭୀଗନ୍ ଏବଂ ବିଭିନ୍ନ ଧାର୍ମିକ ସଂଗଠନ ପକ୍ଷରୁ ବ୍ୟାପକ ବିରୋଧ କରାଯାଇଥିଲା । ବ୍ରିଟେନରେ ମନ୍ଦିରଗୁଡ଼ିକ ପ୍ଲାଷ୍ଟିକ ନୋଟ୍ ଗ୍ରହଣ କରିବା ମଧ୍ୟ ବନ୍ଦ କରିଦେଇଥିଲେ । ଭାରତରେ ଲୋକଙ୍କର ନୋଟ୍ ଗଣିବା ବେଳେ ପାଟିର ଲାଳ ନୋଟ୍ ଗଣିବାର ଅଭ୍ୟାସ ରହିଛି । ଏଥିସହିତ ଧାର୍ମିକ ଓ ଭାବନାଗତ କାର୍ଯ୍ୟକ୍ରମ, ମନ୍ଦିର ଇତ୍ୟାଦି ସ୍ଥାନରେ ମଧ୍ୟ ଟଙ୍କାର ବହୁଳ ବ୍ୟବହାର ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ଭାରତୀୟଙ୍କ ଧାର୍ମିକ ଭାବନା ଏବଂ ସମ୍ବେଦନଶୀଳତାକୁ ସମ୍ମାନ ଜଣାଇ ଆର୍ବିଆଇ ଏହି କଡ଼ା ସର୍ତ୍ତ ଧାର୍ଯ୍ୟ କରିଛି ।
ଚୀନ୍ ଏବଂ ପାକିସ୍ତାନକୁ ନେଇ ମଧ୍ୟ ରହିଛି କଡ଼ା କଟକଣା:
ପ୍ଲାଷ୍ଟିକ ସିଟ୍ ଯୋଗାଣ ପାଇଁ ଆବେଦନ କରିଥିବା କମ୍ପାନିଗୁଡ଼ିକ ସମ୍ବନ୍ଧରେ ମଧ୍ୟ କିଛି କଟକଣା ରହିଛି । ଯେଉଁ କମ୍ପାନିଗୁଡ଼ିକର କାରଖାନା ଚୀନ୍ କିମ୍ବା ପାକିସ୍ତାନରେ ରହିଛି, ସେମାନଙ୍କୁ ଭାରତୀୟ ପ୍ରକଳ୍ପ କାର୍ଯ୍ୟରୁ ଅଲଗା ରଖିବାକୁ କୁହାଯାଇଛି । ସେଠାରୁ କୌଣସି କଞ୍ଚାମାଲ କିମ୍ବା ସେଠାକାର କର୍ମଚାରୀଙ୍କୁ ଭାରତର କାମରେ ନିୟୋଜିତ କରାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ତମାମ ସର୍ତ୍ତ ଓ ପାଣିପାଗ ଅନୁସାରେ ନୋଟ୍ ର ସ୍ଥାୟୀତ୍ୱ ପରୀକ୍ଷା କରାଯିବା ପରେ ହିଁ ଚୂଡ଼ାନ୍ତ ଠିକା ପ୍ରଦାନ କରାଯିବ ।

