ନୂଆଦିଲ୍ଲୀ,୦୫/୦୮; ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡରେ ହୋଇପାରେ ବଡ଼ ପରିବର୍ତ୍ତନ । ସରିବାକୁ ଯାଉଛି ଚିଫ୍ ସିଲେକ୍ଟରଙ୍କ କାର୍ଯ୍ୟକାଳ । ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଗୋଟିଏ ମାସ ମଧ୍ୟରେ ଶେଷ ହୋଇପାରେ । ରିପୋର୍ଟରୁ ମିଳିଥିବା ସୂଚନା ଅନୁସାରେ ବରିଷ୍ଠ ବୋର୍ଡ ଅଧିକାରୀମାନେ ତାଙ୍କ ସ୍ଥାନରେ ବେଙ୍ଗାଲୁରୁର ଉତ୍କର୍ଷ କେନ୍ଦ୍ରର ବର୍ତ୍ତମାନର ମୁଖ୍ୟ ଭିଭିଏସ ଲକ୍ଷ୍ମଣଙ୍କୁ ନିଯୁକ୍ତି ଦେବାକୁ ଯୋଜନା କରୁଛନ୍ତି ।
ଅଗରକରଙ୍କ ଚୁକ୍ତିନାମା ଜୁନ୍ ୨୦୨୬ରେ ଶେଷ ହେବାକୁ ଥିଲା, କିନ୍ତୁ ବୋର୍ଡ ତାଙ୍କୁ ୩ ମାସର ବୃଦ୍ଧି ପ୍ରଦାନ କରିଥିଲା । ରୋହିତ ଶର୍ମାଙ୍କ ସହ ବିବାଦ ଭିତରେ ଅଜିତ୍ ଅଗରକରଙ୍କ ଗାଦି ସଙ୍କଟରେ ପଡିଛି । ତାଙ୍କ ସ୍ଥାନରେ ଭିଭିଏସ୍ ଲକ୍ଷ୍ମଣ ନୂଆ ଚିଫ୍ ସିଲେକ୍ଟର ହୋଇପାରନ୍ତି । ନିକଟରେ ସେ ଜିମ୍ୱାୱେ ବିପକ୍ଷରେ ଟି-ଟ୍ୱେଣ୍ଟି ସିରିଜରେ କୋଚ୍ ଦାୟିତ୍ୱ ତୁଲାଇଥିଲେ । ଯାହାକୁ ଭାରତ ୩-୦ରେ କ୍ଲିନ୍ ସୁଇପ୍ କରିଥିଲା ।
ଗତ କିଛି ମାସ ମଧ୍ୟରେ ପରିସ୍ଥିତି ଜଟିଳ ହୋଇଛି । ବିଶେଷକରି ଭାରତୀୟ ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ଲାଗି ରହିଥିବା ନାଟକ ଭିତରେ ଏହି ଖବର ଆସୁଛି । ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ରୋହିତଙ୍କ ଶେଷ ସିରିଜ୍ ହେବ ବୋଲି ଚର୍ଚ୍ଚା ହୋଇଥିଲା । ଅଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟି ଗୌତମ ଗମ୍ଭୀରଙ୍କ ପ୍ରଶିକ୍ଷଣରେ ଦଳ ପରିଚାଳନା ସହିତ ରୋହିତଙ୍କୁ ପରବର୍ତ୍ତୀ କାର୍ଯ୍ୟରୁ ବାଦ ଦେବା ବିଷୟରେ ଆଲୋଚନା ମଧ୍ୟ କରିଥିଲେ । ତେବେ ଏହା କେବଳ ଗୁଜବ ଥିଲା । ପରବର୍ତ୍ତୀ ସମୟରେ ବିସିସିଆଇ ଏହା ଉପରେ ସ୍ପଷ୍ଟୀକରଣ ଦେଇଥିଲା । ଏବେ ବିଶେଷ ସୁତ୍ରରୁ ଖବର ଆସୁଛି କି, ଚିଫ୍ ସିଲେକ୍ଟର ଅଜିତ୍ ଅଗରକରଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି । ତାଙ୍କ ସ୍ଥାନରେ କିମ୍ବଦନ୍ତୀ ଭିଭିଏସ ଲକ୍ଷ୍ମଣ ମୁଖ୍ୟ ଚୟନକର୍ତ୍ତା ହେବେ । ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ଅଜିତ ଅଗରକରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ । ହୁଏତ ଏହି ସିରିଜର ଫଳାଫଳରୁ ହିଁ ଜଣା ପଡିବ ସେ ମୁଖ୍ୟ ଚୟନକର୍ତ୍ତା ଭାବରେ ଆଗକୁ ରହିବେ କି ନାହିଁ ।
ଏହା ବି ପଢନ୍ତୁ....IND vs SL: ରହିଗଲେ ସୁଦର୍ଶନ, କ୍ୟାପ୍ଟେନ୍ ଗିଲଙ୍କର ବଢିଲା ଟେନ୍ସନ୍; ଟେଷ୍ଟ ସିରିଜ ପାଇଁ ଶ୍ରୀଲଙ୍କାରେ ଟିମ୍ ଇଣ୍ଡିଆ
ରୋହିତଙ୍କ ଭବିଷ୍ୟତକୁ ନେଇ ବିବାଦ ବଢ଼ିବାରେ ଲାଗିଛି- ଗତ କିଛି ମାସ ଧରି, ଭାରତୀୟ ଦିନିକିଆ ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ନିରନ୍ତର କଳ୍ପନାଜଳ୍ପନା ଚାଲିଛି । ସେ ୨୦୨୭ ଦିନିକିଆ ବିଶ୍ୱକପ ଖେଳିବେ ନା ନାହିଁ ତାକୁ ନେଇ ବି ଚର୍ଚ୍ଚା ଚାଲିଛି । ରିପୋର୍ଟ ଅନୁଯାୟୀ, ଆଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟି ରୋହିତଙ୍କୁ ଆହୁରି ଦିନିକିଆ କାର୍ଯ୍ୟରୁ ବାଦ ଦେବା ବିଷୟରେ ଦଳ ପରିଚାଳନା ସହିତ ଆଲୋଚନା ମଧ୍ୟ କରିଥିଲେ । କିନ୍ତୁ, ଏହି ରିପୋର୍ଟ ମଧ୍ୟରେ ମାମଲା ହଠାତ୍ ଏକ ନୂତନ ମୋଡ଼ ନେଇଛି ।

ଏହା ବି ପଢନ୍ତୁ...IND VS SL: ଭାରତ ଉପରେ ଭାରି ପଡ଼ିବ ଶ୍ରୀଲଙ୍କାରେ ପରାଜୟ, ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଭାଗ୍ୟ ନିର୍ଦ୍ଧାରଣ କରିବ ଏହି ସିରିଜ
ଲର୍ଡ୍ସ ରେ ଗୋଟିଏ ଶତକ ବଦଳାଇ ଦେଲା ମାହୋଲ- ଇଂଲଣ୍ଡ ବିପକ୍ଷରେ ଲର୍ଡ୍ସ ତୃତୀୟ ଦିନିକିଆ ପୂର୍ବରୁ, ଖବର ପ୍ରକାଶିତ ହୋଇଥିଲା ଯେ, ଏହା ରୋହିତ ଶର୍ମାଙ୍କର ଏହା ଶେଷ ଦିନିକିଆ ହୋଇପାରେ। ହେଲେ ହିଟମ୍ୟାନ୍ ରୋହିତ ଶର୍ମା ସେହି ମ୍ୟାଚ୍ରେ ଏକ ଚମତ୍କାର ଶତକ ହାସଲ କରି ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଥିଲେ । ପ୍ରଥମ ଭାରତୀୟ ଭାବେ ଲର୍ଡ୍ସ ମୈଦାନରେ ଧୂଆଁଧାର ଶତକ ହାସଲ କରି ସମାଲୋଚକଙ୍କୁ ଚୁପ୍ କରାଇଥିଲେ ।


