Dailyhunt
ଅନଭିଜ୍ଞ ତଥାପି ସମର୍ପିତ, ନେପାଳ କ୍ୟାବିନେଟ୍‌ରେ ଚାଲିଛି ଜେନ୍-ଜିଙ୍କ ରାଜ୍

ଅନଭିଜ୍ଞ ତଥାପି ସମର୍ପିତ, ନେପାଳ କ୍ୟାବିନେଟ୍‌ରେ ଚାଲିଛି ଜେନ୍-ଜିଙ୍କ ରାଜ୍

ନୂଆଦିଲ୍ଲୀ ୦୮/୦୪: ନେପାଳରେ ଜେନ୍-ଜିଙ୍କ ପ୍ରତିବାଦ ପରେ ନିଜର ପ୍ରଥମ ନିର୍ବାଚନରେ ଖୁବ୍ କମ୍ ଶବ୍ଦ କହିଥିଲେ ବାଲେନ ଶାହ । କିନ୍ତୁ ତାଙ୍କ ଦଳ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି (ଆର୍‌ଏସ୍‌ପି) ସଂସଦରେ ଦୁଇ-ତୃତୀୟାଂଶ ବହୁମତ ସହିତ ନିର୍ବାଚନରେ ବିଜୟୀ ହେଲା । ବାଲେନ ଶାହଙ୍କ ନାଁ, ତାଙ୍କ ଷ୍ଟାଇଲ୍ ଓ ନିରବତା ଆଶାର ଏକ ଛବି ପ୍ରତିଷ୍ଠା କଲା, ଯାହାକୁ ଉଭୟ ରାଜନୈତିକ ଅସ୍ଥିର ନେପାଳ ଓ ହତାଶ ଜନତା ଖୋଜୁଥିଲେ ।

ବାଲେନ ନିରନ୍ତର ଗୋଟିଏ ବାର୍ତ୍ତା ଦେଲେ । ତାହା ଥିଲା- ଶବ୍ଦ ନୁହେଁ, ସେ କାର୍ଯ୍ୟକୁ ଅଧିକ ପ୍ରାଧାନ୍ୟ ଦିଅନ୍ତି ।

ଦେଶର ପ୍ରଧାନମନ୍ତ୍ରୀ ପଦଭାର ସମ୍ଭାଳିବାର ସପ୍ତାହେ ପରେ ମନ୍ତ୍ରୀମଣ୍ଡଳ ଓ ସଚିବାଳୟରେ ଉପଯୁକ୍ତ ଟିମ୍ ସାଙ୍ଗକୁ ଦୂରଦୃଷ୍ଟି ଓ କାର୍ଯ୍ୟ ଜନସାଧାରଣଙ୍କ ବିଶ୍ୱାସ ହାସଲ କରିବାର ସବୁଠୁ ଶକ୍ତିଶାଳୀ ଉପାଦାନ ବୋଲି ବାଲେନ ଦେଖାଇଛନ୍ତି । ସେ ନିଜ ପସନ୍ଦର ଲୋକଙ୍କୁ ଚୟନ କରିଛନ୍ତି ଏବଂ ଏହି ମହତ ଉଦ୍ଦେଶ୍ୟ ପାଇଁ ସେମାନଙ୍କ ସମର୍ପଣଭାବର ଗ୍ୟାରେଣ୍ଟି ମଧ୍ୟ ଦେଇଛନ୍ତି । ପାରଦର୍ଶିତାର ସହ ପୂରଣ ହୋଇପାରୁଥିବା ଦାୟିତ୍ୱ ସେମାନଙ୍କ ଉପରେ ନ୍ୟସ୍ତ କରିଛନ୍ତି । ତାଙ୍କର ଯୁବ ମନ୍ତ୍ରୀମଣ୍ଡଳ ବିଶ୍ୱର ଅନ୍ୟତମ ସବୁଠୁ ଯୁବ ମନ୍ତ୍ରୀମଣ୍ଡଳ ।

ବାଲେନଙ୍କ ଜେନ୍-ଜି ଟିମ୍ :

୩୫ ବର୍ଷୀୟ ବାଲେନ ଜଣେ ପୂର୍ବତନ ରାପର୍ ଓ ଷ୍ଟ୍ରକ୍ଚରାଲ ଇଞ୍ଜିନିୟର । ଜେନ୍-ଜି କ୍ୟାବିନେଟ୍‌ରେ ସେ ନେତୃତ୍ୱ ନେଇଛନ୍ତି, ଯାହା ସଂସ୍କାର, ଦୁର୍ନୀତିମୁକ୍ତ ଓ ଦ୍ରୁତ ବିକାଶ ଉପରେ ଫୋକସ୍ କରିଛି । ଏହି ଯୁବ ସରକାର ଏବେ ସମଗ୍ର ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି । ବାଲେନଙ୍କ ମନ୍ତ୍ରୀମଣ୍ଡଳରେ ଗୁରୁ ଦାୟିତ୍ୱ ନେଇଥିବା ମନ୍ତ୍ରୀଙ୍କ ମଧ୍ୟରେ ଅଛନ୍ତି ୨୯ ବର୍ଷୀୟ ଶିକ୍ଷା ମନ୍ତ୍ରୀ ସସ୍ମିତା ପୋଖରେଲ । ୩୦ ବର୍ଷୀୟା ସୀତା ବାଦି (ମହିଳା, ଶିଶୁ ଓ ବରିଷ୍ଠ ନାଗରିକ) ଓ ୩୪ ବର୍ଷୀୟ ଦୀପକ ଶାହ (ଶ୍ରମ) । ଡ. ସ୍ୱର୍ଣ୍ଣିମ ୱାଗଲେ (ଅର୍ଥ), ଶିଶିର ଖାନାଲ (ବୈଦେଶିକ ବ୍ୟାପାର) ଏବଂ ବିରାଜ ଭକ୍ତ ଶ୍ରେଷ୍ଠ (ଉର୍ଜ୍ଜା) ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିଛନ୍ତି ।

ଡିଜେ ଥିଲେ ଗୃହମନ୍ତ୍ରୀ :

ବାଲେନଙ୍କ ଟିମ୍‌ରେ ସବୁଠୁ ଚର୍ଚ୍ଚିତ ବ୍ୟକ୍ତି ହେଉଛନ୍ତି ୩୭ ବର୍ଷୀୟ ସୁଧନ ଗୁରୁଙ୍ଗ । ଗୃହମନ୍ତ୍ରୀ ଭାବେ ଶପଥ ନେଇଥିବା ଗୁରୁଙ୍ଗ ପୂର୍ବରୁ ଜଣେ ଡିଜେ ଓ ସମାଜ କର୍ମୀ ଥିଲେ । ଦେଶ ସମ୍ମୁଖୀନ ହୋଇଥିବା ଅନେକ ସଙ୍କଟରେ ସେ ଲୋକଙ୍କ ପାଇଁ କାମ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ କେ ପି ଓଲି ଓ ପୂର୍ବତନ ଗୃହମନ୍ତ୍ରୀ ରମେଶ ଲେଖାକଙ୍କ ଗିରଫ ପାଇଁ ଗୁରୁଙ୍ଗ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଯୋଜନା କରିଥିଲେ । ତାଙ୍କ ପାଖରେ ଏ-ଲେଭଲ୍ ଡିଗ୍ରୀ ରହିଛି । ସେ ବୋଧହୁଏ ନେପାଳ ମନ୍ତ୍ରୀମଣ୍ଡଳରେ ସବୁଠୁ କମ୍ ଶିକ୍ଷିତ ମନ୍ତ୍ରୀ । ତାଙ୍କ ବିଶ୍ୱସ୍ତତା ବାଲେନଙ୍କ କ୍ୟାବିନେଟ୍‌ରେ ତାଙ୍କୁ ସବୁଠୁ ବିଶ୍ୱସ୍ତ ମନ୍ତ୍ରୀ କରିଛି । ବାଲେନଙ୍କ ସହପାଠୀ ସୁନୀଲ କାଫଲେ ଷ୍ଟ୍ରକ୍ଚରାଲ ଇଞ୍ଜିନିୟରିଙ୍ଗରେ ଜଣେ ଶୀର୍ଷ ସ୍ନାତକ । ସେ ଏବେ ଭୌତିକ ଭିତ୍ତିଭୂମି ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହା ସମୟସୀମା ମଧ୍ୟରେ ପ୍ରୋଜେକ୍ଟ କାର୍ଯ୍ୟକାରୀ କରିବା ପାଇଁ ବଦ୍ଧପରିକର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ।

୧୫ ମନ୍ତ୍ରୀଙ୍କ ମଧ୍ୟରେ ୫ ମହିଳା :

ବାଲେନଙ୍କ ମନ୍ତ୍ରୀମଣ୍ଡଳରେ ୧୫ ମନ୍ତ୍ରୀଙ୍କ ମଧ୍ୟରେ ୫ ଜଣ ମହିଳା । ଚର୍ଚ୍ଚାର ଶିଖରରେ ଅଛନ୍ତି ସୀତା ବାଦି । ତାଙ୍କ ମାତାପିତା ଏବେ ବି ପଶ୍ଚିମ ନେପାଳର ସୁରଖେତରେ ଶ୍ରମିକ ଭାବେ କାମ କରୁଛନ୍ତି । ସ୍କୁଲରେ ନାମ ଲେଖାଇବା ପାଇଁ ସୀତାଙ୍କୁ ଖୁବ୍ ସଂଘର୍ଷ କରିବାକୁ ପଡ଼ିଥିଲା । ଏନ୍ଜିଓ ସାହାଯ୍ୟରେ ସେ ରାଜନୀତି ବିଜ୍ଞାନରେ ସ୍ନାତକ ଅଧ୍ୟୟନ ଶେଷ କରିଛନ୍ତି । ନିଶା ମେହତା ଆନୁପାତିକ ପ୍ରତିନିଧିତ୍ୱ ପ୍ରାର୍ଥୀ ରୂପେ ନେପାଳ ସଂସଦରେ ପ୍ରବେଶ କରିଥିଲେ । ନୂଆଦିଲ୍ଲୀର ଏମ୍ସରୁ ସେ ନର୍ସିଂରେ ବି.ଏସ୍. ଡିଗ୍ରୀ ହାସଲ କରିଛନ୍ତି । ରାଜନୀତିରେ ଯୋଗ ଦେବାକୁ ଚାକିରି ଛାଡ଼ିଛନ୍ତି । ଦେଶର ନୂଆ ସ୍ୱାସ୍ଥ୍ୟ ମନ୍ତ୍ରୀ ରୂପେ ତାଙ୍କର ପ୍ରଥମ ନିଷ୍ପତ୍ତି ଥିଲା ଗ୍ରାମାଞ୍ଚଳରେ ପୋଷ୍ଟିଂ ସତ୍ତେ୍ୱ ମାସ ମାସ ଧରି କାଠମାଣ୍ଡୁରେ କାମ କରିଆସୁଥିବା ଡାକ୍ତରଙ୍କୁ ଡକାଇବା । ଜଳ ଯୋଗାଣ ମନ୍ତ୍ରୀ ପଦଭାର ମଧ୍ୟ ନିଶା ସମ୍ଭାଳିଛନ୍ତି ।

ଆହୁରି ପଢ଼ନ୍ତୁ...ବାଲେନ ଶାହ ହେବେ ନେପାଳ ପ୍ରଧାନମନ୍ତ୍ରୀ ! ୨୦ ଆସନରେ ବିଜୟୀ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି, ପଛରେ ପଡିଲେ ଓଲି

ଭାରତରେ ଶିକ୍ଷାଲାଭ କରିଛନ୍ତି ଏକ-ତୃତୀୟାଂଶ ମନ୍ତ୍ରୀ :

ବାଲେନ ଶାହଙ୍କ ନେତୃତ୍ୱାଧୀନ ୧୫ ଜଣିଆ କ୍ୟାବିନେଟ୍‌ରେ ପ୍ରାୟ ଏକ-ତୃତୀୟାଂଶ ସଦସ୍ୟ ଭାରତରେ ଶିକ୍ଷାପ୍ରାପ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ନିଜେ ମୀନାକ୍ଷୀ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଡିଗ୍ରୀ ହାସଲ କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ ନିଶା ମେହତାଙ୍କ ସମେତ ପରିବହନ ଓ ସହରୀ ବିକାଶ ମନ୍ତ୍ରୀ ସୁନୀଲ ଲମସାଲ, ସାଧାରଣ ପ୍ରଶାସନ ମନ୍ତ୍ରୀ ପ୍ରତିଭା ରାୱଲ ମଧ୍ୟ ଭାରତରେ ଅଧ୍ୟୟନ କରିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia