Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଅଙ୍ଗ ପ୍ରତିରୋପଣ ପାଇଁ ଅଙ୍ଗ ଅଭାବ: ଭାରତରେ ପ୍ରତିଦିନ ହାରାହାରି ୨୦ ଜଣଙ୍କ ମୃତ୍ୟୁ

ଅଙ୍ଗ ପ୍ରତିରୋପଣ ପାଇଁ ଅଙ୍ଗ ଅଭାବ: ଭାରତରେ ପ୍ରତିଦିନ ହାରାହାରି ୨୦ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ଜୀବନ ରକ୍ଷାକାରୀ ଅଂଗ ପ୍ରତିରୋପଣ ନିମନ୍ତେ ଆବଶ୍ୟକ ମାତ୍ରାର ଅଂଗର ଘୋର ଅଭାବ ଯୋଗୁଁ ଭାରତରେ ପ୍ରତିଦିନ ହାରାହାରି ୨୦ ଜଣ ରୋଗୀଙ୍କ ମୃତ୍ୟୁ ଘଟୁଛି । ଅଂଗଦାନର ଗୁରୁତ୍ୱ ସଂପର୍କରେ ସମାଜରେ ବ୍ୟାପକ ସଚେତନତା ସୃଷ୍ଟି କରିବା ବର୍ତମାନ ସମୟରେ ଏକ ବଡ଼ ଆହ୍ୱାନ ବୋଲି କହିଛନ୍ତି ଓଡ଼ିଶା ଷ୍ଟେଟ୍ ଅର୍ଗାନ୍ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଂଟ ଅର୍ଗାନାଇଜେସନ୍ (ସୋଟୋ)ର ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ବିଭୂତି ଭୂଷଣ ନାୟକ ।

ସୋମବାର ଶିକ୍ଷା 'ଓ' ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିସରରେ ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ଆୟୋଜିତ 'ଅଂଗଦାନ ମହୋତ୍ସବ'ରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଡକ୍ଟର ନାୟକ କହିଛନ୍ତି ଯେ ଅଂଗଦାନ ଦ୍ୱାରା ଅନେକ ଜୀବନ ବଂଚାଇ ହେବ । ତେଣୁ ଲୋକଙ୍କ ମଧ୍ୟରେ ଅଂଗଦାନ ସଂପର୍କରେ ସଠିକ୍ ସୂଚନା ଓ ସଚେତନତା ପହଂଚାଇବା ଅତ୍ୟନ୍ତ ଆବଶ୍ୟକ ।

ମଲ୍ଟି-ସୁପରସ୍ପେସିଆଲିଟି ଓ କ୍ୱାଟର୍ନାରୀ କେୟାର ହସ୍ପିଟାଲ୍ ସମ୍ମମ ପକ୍ଷରୁ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ସୋଆର ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଡକ୍ଟର ନାୟକ କହିଥିଲେ ଯେ, ମୃତ ବ୍ୟକ୍ତିଙ୍କ ପରିବାର ସମୟୋଚିତ ଭାବେ ଅଂଗଦାନ ପାଇଁ ନିଷ୍ପତି ନେଲେ ଅଂଗ ପ୍ରତିରୋପଣ ଅପେକ୍ଷାରେ ଥିବା ଅନେକ ରୋଗୀଙ୍କୁ ନୂଆ ଜୀବନ ମିଳିପାରିବ । ତେଣୁ ଏ ସଂପର୍କରେ ସାଧାରଣ ଲୋକଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି ହେବା ଆବଶ୍ୟକ ।

ଏହି ଅବସରରେ ସମ୍ମମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ଶ୍ୱେତପଦ୍ମା ଦାଶ କହିଥିଲେ ଯେ, ଅଂଗଦାନର ମହତ୍ୱ ସଂପର୍କରେ ସମାଜରେ ସାମୂହିକ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ହସ୍ପିଟାଲ୍ ପକ୍ଷରୁ ୨୦୨୩ ମସିହାରୁ 'ଅଂଗଦାନ ମହୋତ୍ସବ' ପାଳନ କରାଯାଉଛି । "ଅଂଗଦାନ ହେଉଛି ଜୀବନ ଦାନ । କିନ୍ତୁ ଅଂଗପ୍ରଦାନକାରୀଙ୍କ ସଂଖ୍ୟା ଅତ୍ୟନ୍ତ କମ୍ ଥିବାରୁ ଜୀବନ ରକ୍ଷାକାରୀ ଅଂଗ ପାଇଁ ଅପେକ୍ଷା କରୁଥିବା ହଜାର ହଜାର ରୋଗୀଙ୍କ ପାଖରେ ବିକଳ୍ପ ସୀମିତ ରହିଯାଉଛି," ବୋଲି ଡକ୍ଟର ଦାଶ କହିଥିଲେ । ସମ୍ମମର ଦକ୍ଷ ଅଂଗ ପ୍ରତିରୋପଣ ଟିମ୍ ଏ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛି ବୋଲି ଡକ୍ଟର ଦାଶ ସୂଚନା ଦେଇଥିଲେ ।

ଦେଶରେ ହଜାର ହଜାର ରୋଗୀ ଜୀବନ ରକ୍ଷାକାରୀ ଅଂଗ ପ୍ରତିରୋପଣ ପାଇଁ ଅପେକ୍ଷାରତ ଥିବା ବେଳେ ଜଣେ ମୃତ ଅଂଗଦାତା ଏକାଧିକ ବ୍ୟକ୍ତିଙ୍କୁ ନୂଆ ଜୀବନ ଦେଇପାରନ୍ତି ବୋଲି ସେ କହିଥିଲେ । 'ଅଂଗଦାନ ମହୋତ୍ସବ' ମାଧ୍ୟମରେ ଯୁବପିଢ଼ିଙ୍କୁ ଅଂଗଦାନ ସଂପର୍କରେ ଆଲୋଚନା ଆରମ୍ଭ କରିବା ଏବଂ ପରିବାରଗୁଡ଼ିକୁ ଆବଶ୍ୟକ ସମୟରେ ସଚେତନ ଓ ସୂଚନାଭିତିକ ନିଷ୍ପତି ନେବାକୁ ପ୍ରେରିତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଥିଲେ ।

ଅଂଗଦାନ ପ୍ରୋତ୍ସାହନ ପାଇଁ କାର୍ଯ୍ୟରତ ସ୍ୱେଚ୍ଛାସେବୀ ସଂଗଠନ ମଲ୍ଟି ଅର୍ଗାନ୍ ଟ୍ରାନ୍ସପ୍ଲାଂଟେସନ୍ ଆଣ୍ଡ ହ୍ୟୁମାନ୍ ଆଣ୍ଡ ଏଜୁକେସନାଲ୍ ରିସର୍ଚ୍ଚ (ମଦର)ର ପ୍ରତିଷ୍ଠାତା ଇଞ୍ଜିନିୟର ତ୍ରୈଲୋକ୍ୟ ନାଥ ପଣ୍ଡା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କହିଥିଲେ ଯେ, ଅଂଗ ପ୍ରତିରୋପଣ ସଫଳତାର ସହ କରାଯାଇପାରେ ଏବଂ ଏହା ଦ୍ୱାରା ଅନେକ ଜୀବନ ବଂଚାଇ ହେବ ବୋଲି ଲୋକଙ୍କୁ ବୁଝାଇବା ଆବଶ୍ୟକ ।

ଓଡ଼ିଶାରେ ପ୍ରଥମ ଅଂଗଦାନ ଓ ଅଂଗ ପ୍ରତିରୋପଣ ୧୯୮୫ ମସିହାରେ ବୁର୍ଲାସ୍ଥିତ ଭିଏସ୍ଏସ୍ ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍ସରେ ହୋଇଥିଲା ବୋଲି ସେ କହିଥିଲେ । ମଦର ଦୁଇଟି ଦିଗରେ କାର୍ଯ୍ୟ କରୁଛି-ଅଂଗଦାନ ସଂପର୍କରେ ସଚେତନତା ସୃଷ୍ଟି କରିବା ସହ ମେଡିକାଲ୍ କଲେଜଗୁଡ଼ିକୁ ଶରୀର ଦାନ ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବା, ଯାହା ଦ୍ୱାରା ଏମ୍ବିବିଏସ୍ ଛାତ୍ରଛାତ୍ରୀମାନେ ମାନବ ଶରୀର ବିଚ୍ଛେଦ ମାଧ୍ୟମରେ ଶିକ୍ଷା ଲାଭ କରିପାରିବେ ।

ପୂର୍ବରୁ କେବଳ ଦାବିଦାର ନଥିବା ମୃତଦେହ ମେଡିକାଲ୍ କଲେଜଗୁଡ଼ିକୁ ଶିକ୍ଷା ଉଦ୍ଦେଶ୍ୟରେ ପଠାଯାଉଥିଲା । ପରେ ରାଜ୍ୟ ସରକାର ସଂପୃକ୍ତ ଆଇନରେ ସଂଶୋଧନ କରିବା ପରେ ଲୋକମାନେ ସ୍ୱେଚ୍ଛାରେ ନିଜ ଶରୀର ମେଡିକାଲ୍ କଲେଜକୁ ଦାନ କରିବାର ସୁଯୋଗ ପାଇଥିଲେ ବୋଲି ଇଞ୍ଜିନିୟର ପଣ୍ଡା କହିଥିଲେ । ଏହି ଅବସରରେ ସମ୍ମମର କ୍ରିଟିକାଲ୍ କେୟାର ବିଭାଗର ମୁଖ୍ୟ ତଥା ସିନିୟର କନ୍ସଲ୍ଟାଂଟ ଡାକ୍ତର ବାନାମ୍ବର ରାୟ କହିଥିଲେ ଯେ, ଛାତ୍ରଛାତ୍ରୀମାନେ ସମାଜରେ ଅଗ୍ରଣୀ ଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ଅଂଗଦାନ ସଂପର୍କରେ ସଚେତନତା ସୃଷ୍ଟି କରିପାରିବେ ।

ଏହି ପରିପ୍ରେକ୍ଷୀରେ ସମ୍ମମର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର କହିଥିଲେ ଯେ, ଜଣେ ମୃତ ଦାତାଙ୍କ ଅଂଗ ଚାରିରୁ ପାଂଚ ଜଣଙ୍କ ଜୀବନ ବଂଚାଯାଇପାରେ ବୋଲି ଲୋକମାନେ ବୁଝିଲେ ହିଁ ଅଂଗଦାନ ସଂପର୍କିତ ଏହି ଉଦ୍ୟମ ସଫଳ ହୋଇପାରିବ । ସୋଆ ବିଶ୍ୱବିଦ୍ୟାଳୟର ଡିନ୍, ଛାତ୍ରମଙ୍ଗଳ ପ୍ରଫେସର ଜ୍ୟୋତିରଞ୍ଜନ ଦାସ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ବକ୍ତା ଭାବେ ଯୋଗଦେଇ ଅଂଗଦାନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।

ଶିକ୍ଷା ଓ ଅନୁସନ୍ଧାନର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ତାଙ୍କ ବାର୍ତାରେ କହିଛନ୍ତି ଯେ "ଅଂଗଦାନ ହେଉଛି ମାନବିକତାର ସର୍ବୋଚ୍ଚ ପ୍ରକାଶ । ଜୀବନ ପରେ ମଧ୍ୟ ଜୀବନ ଦେବାର ଏକ ମହାନ ଉପହାର । ସୋଆ ହସ୍ପିଟାଲ୍ ଗୁଡ଼ିକ ମାଧ୍ୟମରେ ଆମେ ଏପରି ଏକ ସଂସ୍କୃତି ଗଢ଼ି ତୋଳିବାକୁ ପ୍ରତିବଦ୍ଧ, ଯେଉଁଠାରେ ଅଂଗଦାନର ସାହସ, ଦୟା, କରୁଣା ଓ ମାନବିକତାର ଏକ ମହାନ ପରଂପରା ସୃଷ୍ଟି ହୋଇପାରିବ ଏବଂ ଅନ୍ୟମାନଙ୍କୁ ଅମୂଲ୍ୟ ଜୀବନ ବଂଚିବାର ସୁଯୋଗ ମିଳିବ ।" କାର୍ଯ୍ୟକ୍ରମରେ ଏହି ବାର୍ତା ଦିଆଯାଇଥିଲା ଯେ, ଅଂଗଦାନ କେବଳ ଏକ ଚିକିତ୍ସାଗତ ନିଷ୍ପତି ନୁହେଁ; ଏହା ମାନବିକତା, କରୁଣା ଓ ଉଦାରତାର ଏକ ମହାନ ପ୍ରତୀକ ।

ଏହି ଅବସରରେ ଅଂଗ ଓ ଟିସ୍ୟୁ ଦାନ ସଂପର୍କରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ଚିକିତ୍ସକମାନଙ୍କ ଦ୍ୱାରା ସଚେତନତାମୂଳକ ଆଲୋଚନା ଓ ପ୍ରଶ୍ନୋତର କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା । ଏଥିରେ ଅଂଗଦାନ, ଅଂଗ ପ୍ରତିରୋପଣ, ସମ୍ମତି, ଯୋଗ୍ୟତା ଏବଂ ଆଇନଗତ ବ୍ୟବସ୍ଥା ସଂପର୍କିତ ବିଭିନ୍ନ ପ୍ରଶ୍ନର ଉତର ଦିଆଯାଇଥିଲା । କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଅଂଗଦାନ ସମ୍ପର୍କିତ ସ୍ୱତନ୍ତ୍ର ସଚେତନତାମୂଳକ ନାଟକ ସମ୍ମମ୍ରେ କାର୍ଯ୍ୟରତ ବ୍ୟକ୍ତିବିଶେଷ ମାନଙ୍କ ପକ୍ଷରୁ ପରିବେଷଣ କରାଯାଇଥିଲା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia