ନୂଆଦିଲ୍ଲୀ,୦୨/୦୮; ତ୍ରିପୁରାର ଏକ ଛୋଟ ଗାଁରେ ଚାଳ ଛପର ମାଟି ଘର । ଯେଉଁ ଘରକୁ ଘେରି ରହିଥାଏ ଗରିବି ଓ ଖାଦ୍ୟାଭାବର କଳାବାଦଲ । ଏହି ମାଟି ଘରେ ଜନ୍ମ ନିଏ ଏକ ବିଶାଳ ସ୍ୱପ୍ନ । 'ବିଶ୍ୱର ସର୍ବୋଚ୍ଚ କ୍ରୀଡ଼ା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ।' ଝିଅର ସ୍ୱପ୍ନକୁ ସଫଳ କରିବା ପାଇଁ ଗରିବ ବାପା ପଛାଏ ନାହିଁ ।
ଗାଁ ମୁଣ୍ଡରେ ଏକ ସାଇକେଲ ମରାମତି ଦୋକାନରୁ ଯାହା ରୋଜଗାର କରେ, ଝିଅର ପ୍ରଶିକ୍ଷଣରେ ଖର୍ଚ୍ଚ କରେ । ସମୟ ବଦଳେ । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଝିଅ ସ୍ୱର୍ଣ୍ଣ ପଦକ ଜିତେ । ହେଲେ ଝିଅର ସଫଳତା ଖୁସିରେ ଆତ୍ମହରା ହେବା ପାଇଁ ପାଖରେ ନଥାଏ ଏହି ଗରିବ ବାପା । ୭ ମାସ ତଳେ ବ୍ରେନ ଷ୍ଟ୍ରୋକରେ ଆଖି ବୁଜିଥିଲେ ବାପା । ଗ୍ଲାସୋଗୋରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବାପାଙ୍କ ସପ୍ନକୁ ଅସ୍ମିତା ପୂରଣ କରିଛନ୍ତି ।
ଭାରତର ପ୍ରଥମ ଜୁଡୋକା ଭାବେ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତି ଇତିହାସ ରଚିଛନ୍ତି । ଅସ୍ମିତା ଜୁଡ଼ୋକୁ କ୍ୟାରିୟର ରୂପେ ବାଛି ନେଇଥିଲେ । ବାପା ପ୍ରଥମ ସମର୍ଥକ ରୂପେ ତାଙ୍କ ସହ ଛିଡ଼ା ହୋଇଥିଲେ । ଗାଁ ଲୋକେ ତାଛଲ୍ୟ କରିବା ଆରମ୍ଭ କଲେ । ବାପା କେବଳ ହସି ଦେଇ ଲୋକଙ୍କ କଥାକୁ ଏଡ଼ାଇ ଯାଉଥିଲେ ଓ ଝିଅର ଉତ୍ସାହ ବଢ଼ାଉଥିଲେ । ୧୨ ବର୍ଷ ବୟସରେ ଏକ ଦକ୍ଷତା ଅନ୍ୱେଷଣ କାର୍ଯ୍ୟକ୍ରମରେ ଅସ୍ମିତା ଚମତ୍କାର ପ୍ରଦର୍ଶନ କରି କୋଚଙ୍କୁ ପ୍ରଭାବିତ କରିଥିଲେ । ତାଙ୍କୁ ରାଜ୍ୟ ପ୍ରତିଯୋଗିତାରେ ଭାଗ ନେବାକୁ ସୁଯୋଗ ମିଳିଥିଲା । ଉନ୍ନତ ପ୍ରଶିକ୍ଷଣର ସୁଯୋଗ ମିଳିବା ମାତ୍ରେ ବାପା ପ୍ରଥମେ କୋଚଙ୍କୁ ହାତ ଯୋଡ଼ି କହିଥିଲେ, ସାର... ଆମେ ଗରିବ ଲୋକ । ପିଲାର ଭବିଷ୍ୟତ ଗଢ଼ିବା ଭଳି ଆର୍ଥିକ କ୍ଷମତା ନାହିଁ । ରାସନ କାର୍ଡ ଯୋଗୁଁ ଦୁଇ ବେଳା ଖାଇବାକୁ ମିଳି ପାରୁଛି । ସୀମିତ ରୋଜଗାରରେ ମୋ ଝିଅର ସ୍ୱପ୍ନ ପୂରଣ କରିବା କଷ୍ଟକର । ଆପଣଙ୍କ ଆଶୀର୍ବାଦ ମୋ ଝିଅର ସ୍ୱପ୍ନ ପୂରଣ କରାଇ ପାରିବ ।
ନିକଟରେ ଛିଡ଼ା ହୋଇ କୋଚ ଓ ବାପାଙ୍କ ବାର୍ତ୍ତାଳାପ ଶୁଣୁଥିବା ଅସ୍ମିତା ବାପାଙ୍କ ପ୍ରତ୍ୟେକ କଥାକୁ ସତ କରି ଦେଖାଇବାକୁ ଶପଥ କରିଥିଲେ । ସେବେଠୁ ଆରମ୍ଭ ହୋଇଥିଲା କଠିନ ପରିଶ୍ରମ । କମ ବୟସରୁ ପରିବାରଠୁ ଦୂରରେ ରହି ସ୍ୱପ୍ନକୁ ସାକାର କରିବା ପାଇଁ ଲାଗି ପଡ଼ିଥିଲେ ଅସ୍ମିତା । ଜୁଡୋ ଭଳି ଲୋକପ୍ରିୟତା ହରାଇଥିବା ଏକ ଅନାଲୋଚିତ ଖେଳରେ ଦେଶ ପାଇଁ ପଦକ ଜିତିବା ସହଜ ନଥିବା ଅନୁଭବ କରୁଥିଲେ ହେଁ ଅସ୍ମିତା ହାର୍ ମାନି ନଥିଲେ । ଛୋଟ ବଡ଼ ସବୁ ପ୍ରତିଯୋଗିତାରେ ଭାଗ ନେଇ ଅଭିଜ୍ଞତା ଅର୍ଜନ କରି ଚାଲିଥିଲେ । ତ୍ରିପୁରା ଭଳି ଏକ ସୁଦୂର ଉତ୍ତର-ପୂର୍ବ ରାଜ୍ୟରୁ ଟ୍ରେନ ଯୋଗେ ଯାତ୍ରା କରି ଦିଲ୍ଲୀ କିମ୍ବା ଭାରତର ଅନ୍ୟ ବଡ଼ ସହରରେ ପହଞ୍ଚିବା ମଧ୍ୟ ସହଜ କଥା ନୁହେଁ । ବେଳେ ବେଳେ ଟିକେଟ୍ ପାଇଁ ଅର୍ଥ ନଥାଇ ମଧ୍ୟ ଟ୍ରେନରେ ଯାତ୍ରା କରିବାକୁ ବାଧ୍ୟ ହେଉଥିଲେ ଅସ୍ମିତା । ଗୋଟିଏ ପରେ ଗୋଟିଏ ପ୍ରତିଯୋଗିତା ଜିତି ଚାଲିଥିଲେ । ଜାତୀୟ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ ଜାରି ରହିଥିଲା ।

ଏହା ବି ପଢନ୍ତୁ...Dhoni-Rishabh: ଧୋନିଙ୍କ ସହ ପନ୍ତଙ୍କ ମିଶନ୍; ଶ୍ରୀଲଙ୍କା ଟେଷ୍ଟ ପୂର୍ବରୁ ମାହିଙ୍କ ସହ ରାଞ୍ଚିରେ ପ୍ରସ୍ତୁତି
ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ କରିବାର କିଛି ଦିନ ପୂର୍ବରୁ ବାପାଙ୍କ ମୃତ୍ୟୁ ଖବର ତାଙ୍କ ନିକଟରେ ପହଞ୍ଚିଥିଲା । ବ୍ରେନ ଷ୍ଟ୍ରୋକରେ ବାପା ମୃତ୍ୟୁବରଣ କରିଥିଲେ । ପିଠି ଥାପୁଡ଼େଇ ସର୍ବଦା ଉତ୍ସାହିତ କରୁଥିବା ବାପାଙ୍କ ହାତ ସବୁ ଦିନ ପାଇଁ ଦୂରେଇ ସାରିଥିଲା । ତଥାପି ଭାଙ୍ଗି ନଥିଲେ ଅସ୍ମିତା । ପ୍ରଶିକ୍ଷଣ ଅଧାରୁ ସେ ଗାଁକୁ ଫେରିଥିଲେ । ବାପାଙ୍କ ମୃତ କ୍ରିୟା କାର୍ଯ୍ୟ ଶେଷ କରି ସେ ପୁନର୍ବାର ପ୍ରଶିକ୍ଷଣ ଶିବିରକୁ ଫେରିଥିଲେ । ବାପାଙ୍କୁ ହରାଇବାର ଦୁଃଖ ଭୁଲି ପାରୁ ନଥିଲେ । ସବୁ ପ୍ରତିକୂଳ ପରିସ୍ଥିତିରେ ଛିଡ଼ା ହେଉଥିବା ବାପାଙ୍କୁ ସ୍ୱର୍ଣ୍ଣ ପଦକ ଉତ୍ସର୍ଗ କରିବାକୁ ମନସ୍ଥ କରିଥିଲେ ଅସ୍ମିତା । ପ୍ରଶିକ୍ଷଣରେ ଲାଗି ପଡ଼ିଥିଲେ । ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ଯୋଗ୍ୟତା ଅର୍ଜନ କରିବା ପରେ ବାପାଙ୍କ ସହ ମିଶି ଦେଖିଥିବା ସ୍ୱପ୍ନକୁ ପୂରଣ କରିବା ପାଇଁ ସୁଯୋଗ ମିଳି ଯାଇଥିଲା । ଶୁକ୍ରବାର ଗ୍ଲାସଗୋରେ ସ୍ୱର୍ଣ୍ଣ ପଦକ ଜିତି ଅସ୍ମିତା ନିଜ ସଂଘର୍ଷ କାହାଣୀ କହିବା ସମୟରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କ ଆଖି ଲୁହରେ ଭରି ଯାଇଥିଲା । ପୋଡ଼ିୟମରେ ସୁନା ପଦକ ଝଲସୁଥିଲା । ପଛରେ ଉଡ଼ୁଥିଲା ଜାତୀୟ ପତାକା । ଜାତୀୟ ସଂଗୀତ ବାଜିବା ସମୟରେ ଅସ୍ମିତା ଉପରକୁ ଚାହିଁ କହିଥିଲେ, 'ମୋ ବାପା ଆଜି ଏହି ପଦକ ଦେଖିବା ପାଇଁ ପାଖରେ ନାହାନ୍ତି । ହେଲେ ଏହି ପଦକ କେବଳ ତାଙ୍କ ପାଇଁ ଉତ୍ସର୍ଗୀକୃତ । ତାଙ୍କ ଯୋଗୁଁ ମୁଁ ଆଜି ଏଠାରେ ପହଞ୍ଚି ପାରିଛି ।'


