Dailyhunt
ବାରିପଦା ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ ଋଣ ଠକେଇ ମାମଲା: ୩ ବ୍ୟାଙ୍କ ଅଧିକାରୀ ଓ ଋଣଗ୍ରହୀତାଙ୍କୁ ୩ ବର୍ଷ ଲେଖାଏଁ ଜେଲ୍

ବାରିପଦା ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ ଋଣ ଠକେଇ ମାମଲା: ୩ ବ୍ୟାଙ୍କ ଅଧିକାରୀ ଓ ଋଣଗ୍ରହୀତାଙ୍କୁ ୩ ବର୍ଷ ଲେଖାଏଁ ଜେଲ୍

ବାରିପଦା, ୩୦/୪(ଆପ୍ର): ବାରିପଦା ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡରେ ୧୫.୫୮ ଲକ୍ଷ ଟଙ୍କା ଋଣ ଠକେଇ ମାମଲାରେ ବାରିପଦା ଭିଜିଲାନ୍ସ ସ୍ୱତନ୍ତ୍ର ଅଦାଲତ ଗୁରୁବାର ୩ ଜଣ ପୂର୍ବତନ ବ୍ୟାଙ୍କ ଅଧିକାରୀ ଓ ଜଣେ ଋଣଗ୍ରହୀତାଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଦେଇଛନ୍ତି।

ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନେ ହେଲେ ପୂର୍ବତନ ଶାଖା ପ୍ରବନ୍ଧକ (ଚାକିରିରୁ ବହିଷ୍କୃତ) ବାରିପଦା ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ ରାଇରଙ୍ଗପୁର ଶାଖାର ଆଶୁତୋଷ ମହାନ୍ତି, ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ (ଅବସରପ୍ରାପ୍ତ), ବାରିପଦା ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ ବାରିପଦାର କାନ୍ତିଲାଲ ମୁଗ୍ରୀ, ପୂର୍ବତନ ସଭାପତି, ବାରିପଦା ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ ବାରିପଦାର କୃପାସିନ୍ଧୁ ମହାନ୍ତ ଓ ମୟୂରଭଞ୍ଜ ରାଇରଙ୍ଗପୁରର ଋଣଗ୍ରହୀତା ସଲିଲ ଅଗ୍ରୱାଲ l

ଅଭିଯୋଗ ଅନୁଯାୟୀ ୩ ବ୍ୟାଙ୍କ କର୍ତ୍ତ୍ତୃପକ୍ଷ ଋଣଗ୍ରହୀତା ଶ୍ରୀ ଅଗ୍ରୱାଲଙ୍କୁ ଅନୁକମ୍ପା ଦେଖାଇ ଜାଲ୍ କାଗଜପତ୍ର ଓ ପର୍ଯ୍ୟାପ୍ତ ପରିମାଣର ସିକ୍ୟୁରିଟି ନ ଥାଇ ବିନା ଆଧାରରେ ବ୍ୟାଙ୍କର ଋଣ ନୀତି ଉଲ୍ଲଂଘନ କରି ଋଣ ମଞ୍ଜୁର କରିଥିଲେ। ଏହାଦ୍ୱାରା ସରକାରୀ ଅର୍ଥ ୧୫.୫୮ ଲକ୍ଷ ଟଙ୍କାରୁ ଅଧିକ ହଡପ ହୋଇଥିଲା। ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ବାରିପଦା ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତି ପ୍ରତ୍ୟେକ ଦୋଷୀଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୩୦,୦୦୦ ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦାୟ କ୍ଷେତ୍ରରେ ଅତିରିକ୍ତ କାରାଦଣ୍ଡ ଭୋଗିବାକୁ ପଡିବ।

ଓଡ଼ିଶା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ କାନ୍ତିଲାଲ ମୁଗ୍ରୀଙ୍କ ପେନସନ୍ ବନ୍ଦ କରିବା ପାଇଁ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରାଯିବ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia