Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବର୍ଷା ନାହିଁ କିନ୍ତୁ ନେପାଳରେ କେମିତି ଆସିଲା ଭୟଙ୍କର ବନ୍ୟା! ଭୋଟେ କୋଶୀ-ତ୍ରିଶୂଳୀ ନଦୀରେ ବନ୍ୟାର ୫ ସାଂଘାତିକ କାରଣ

ବର୍ଷା ନାହିଁ କିନ୍ତୁ ନେପାଳରେ କେମିତି ଆସିଲା ଭୟଙ୍କର ବନ୍ୟା! ଭୋଟେ କୋଶୀ-ତ୍ରିଶୂଳୀ ନଦୀରେ ବନ୍ୟାର ୫ ସାଂଘାତିକ କାରଣ

କାଠମାଣ୍ଡୁ, ୨୬/୦୮: ନେପାଳର ରସୁଆ ଜିଲ୍ଲାରେ ବୁଧବାର ସକାଳୁ ହଠାତ୍ ଆସିଥିବା ଭୟଙ୍କର ବନ୍ୟା ଭୟାବହ ତାଣ୍ଡବ ରଚିଛି। ତିବ୍ବତ ସୀମା ନିକଟବର୍ତ୍ତୀ ଅନେକ ଗାଁ ବନ୍ୟା ପାଣିରେ ଭାସିଯାଇଛି। ହଠାତ୍ ଆସିଥିବା ଏହି ବନ୍ୟା ଯୋଗୁଁ ଚୀନର ତିବ୍ବତ ଦେଇ କୈଳାସ-ମାନସରୋବର ଯାତ୍ରାରେ ଯାଉଥିବା ପ୍ରାୟ ୪୦୦ ତୀର୍ଥଯାତ୍ରୀଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ଏମାନଙ୍କ ମଧ୍ୟରେ ୧୦୫ ଜଣ ଭାରତୀୟ ମଧ୍ୟ ରହିଛନ୍ତି। ପ୍ରାଥମିକ ଆକଳନ ଅନୁଯାୟୀ, ତିବ୍ବତ ପଟୁ ଭୋଟେ କୋଶୀ ନଦୀକୁ ହଠାତ୍ ବିପୁଳ ପରିମାଣର ପାଣି ଆସିବା ଯୋଗୁଁ ଏହି ବନ୍ୟା ସୃଷ୍ଟି ହୋଇଥାଇପାରେ। ହାଇଡ୍ରୋଲୋଜିକାଲ୍ ବିଶେଷଜ୍ଞ ଓ ଭୂତତ୍ତ୍ୱବିତଙ୍କ ଆକଳନ ଅନୁଯାୟୀ, ଏହା ଗ୍ଲେସିଆଲ୍ ଲେକ୍ ଆଉଟବର୍ଷ୍ଟ ଫ୍ଲଡ୍ (GLOF) ହୋଇପାରେ।

ତିବ୍ବତରୁ କିପରି ନେପାଳକୁ ଆସିଲା ବନ୍ୟା ପାଣି?

କାଠମାଣ୍ଡୁ ପୋଷ୍ଟର ରିପୋର୍ଟ ଅନୁସାରେ, କାଠମାଣ୍ଡୁ ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା ଜଳବାୟୁ ଗବେଷକ ରିଜନ ଭକ୍ତ କାୟସ୍ଥ କହିଛନ୍ତି ଯେ ପ୍ରାଥମିକ ଆକଳନରୁ ଜଣାପଡ଼ୁଛି, ତିବ୍ବତର କେରୁଙ୍ଗ ଅଞ୍ଚଳରେ ହିମସ୍ଖଳନ ଯୋଗୁଁ ଲେଣ୍ଡେ ନଦୀର ପ୍ରବାହ ଅବରୋଧ ହୋଇଥିଲା। ଫଳରେ ନଦୀରେ ଏକ କୃତ୍ରିମ ହ୍ରଦ ସୃଷ୍ଟି ହୋଇ ବିପୁଳ ପରିମାଣର ପାଣି ଜମା ହୋଇଥିଲା। ପରେ ଏହି ପ୍ରାକୃତିକ ବନ୍ଧ ଭାଙ୍ଗିଯିବାରୁ ଜମା ହୋଇଥିବା ପାଣି ଅତ୍ୟନ୍ତ ଦ୍ରୁତ ଗତିରେ ତଳକୁ ଆସି ଭୋଟେ କୋଶୀ ଓ ତ୍ରିଶୂଳୀ ନଦୀରେ ମିଶିଥିବା ଆକଳନ କରାଯାଉଛି।

ଏହାରି ମଧ୍ୟରେ ଆମେରିକାର ଭୂତତ୍ତ୍ୱ ସର୍ଭେ ଅନୁସାରେ, ଗୋସାଇଁକୁଣ୍ଡଠାରୁ ପ୍ରାୟ ୪୭ କିଲୋମିଟର ଉତ୍ତରରେ ତିବ୍ବତ ଅଞ୍ଚଳରେ ସକାଳ ୮ଟା ୩୭ ମିନିଟ୍ରେ ୪.୪ ତୀବ୍ରତାର ଭୂକମ୍ପ ହୋଇଥିଲା। ଏହି ଭୂକମ୍ପ ଯୋଗୁଁ ନଦୀରେ ସୃଷ୍ଟି ହୋଇଥିବା ପ୍ରାକୃତିକ ବନ୍ଧ ଭାଙ୍ଗିଥାଇପାରେ ବୋଲି ଆଶଙ୍କା କରାଯାଉଛି।

ନେପାଳ ବନ୍ୟାର ୫ ବଡ଼ କାରଣ

୧. ପର୍ମାଫ୍ରଷ୍ଟ ଦୁର୍ବଳ ହେବା ଓ ଧ୍ବଂସାବଶେଷର ପ୍ରବାହ:

ତିବ୍ବତର ଲେଣ୍ଡେ ନଦୀର ଉପର ଜଳଗ୍ରହଣ ଅଞ୍ଚଳରେ ବହୁ ପରିମାଣରେ ପର୍ମାଫ୍ରଷ୍ଟ ଭୁଶୁଡ଼ି ପଡ଼ିଥିବା ଆଶଙ୍କା କରାଯାଉଛି। ପର୍ମାଫ୍ରଷ୍ଟ ହେଉଛି ଭୂପୃଷ୍ଠ ତଳେ ଥିବା ମାଟି, ପଥର କିମ୍ବା ଅବଶେଷ, ଯାହା ଅତି କମରେ ଦୁଇ ବର୍ଷ ଧରି ଶୂନ ଡିଗ୍ରୀ ସେଲସିୟସ୍ କିମ୍ବା ତା'ଠାରୁ କମ୍ ତାପମାତ୍ରାରେ ଜମା ରହିଥାଏ। ଏହା ଦୁର୍ବଳ ହେଲେ ଉଚ୍ଚ ପର୍ବତାଞ୍ଚଳରୁ ପାଣି ସହ ମାଟି ଓ ପଥର ମଧ୍ୟ ଦ୍ରୁତ ଗତିରେ ନଦୀକୁ ଆସିଥାଏ। ଫଳରେ ଫ୍ଲାସ୍ ଫ୍ଲଡ୍ ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ।

୨. ହିମସ୍ଖଳନ କିମ୍ବା ହିମବାହ ହ୍ରଦ ଫାଟିବା:

ନେପାଳରେ ହୋଇଥିବା ବନ୍ୟାର ଏକ ପ୍ରମୁଖ କାରଣ ହିମସ୍ଖଳନ କିମ୍ବା ହିମବାହ ହ୍ରଦ ଫାଟିଯିବା ହୋଇପାରେ। ତିବ୍ବତର ଉଚ୍ଚ ପର୍ବତାଞ୍ଚଳରେ ପ୍ରାକୃତିକ ଭାବେ ସୃଷ୍ଟି ହେଉଥିବା ହିମବାହ ହ୍ରଦଗୁଡ଼ିକ ଅସ୍ଥିର ହୋଇଥାଏ। ଭୂକମ୍ପ କିମ୍ବା ଅନ୍ୟ କୌଣସି ପ୍ରାକୃତିକ କାରଣରୁ ଏହି ହ୍ରଦ ହଠାତ୍ ଫାଟିଗଲେ ଲକ୍ଷ ଲକ୍ଷ ଗ୍ୟାଲନ୍ ପାଣି ଏକାଥରକେ ତଳକୁ ପ୍ରବାହିତ ହୋଇପାରେ। ଏହାକୁ ଗ୍ଲେସିଆଲ୍ ଲେକ୍ ଆଉଟବର୍ଷ୍ଟ ଫ୍ଲଡ୍ କୁହାଯାଏ।

୩. ବରଫ ଦ୍ରୁତଗତିରେ ତରଳିବା ଓ ହିମସ୍ଖଳନ:

ବରଫ ଦ୍ରୁତ ଗତିରେ ତରଳିବା କିମ୍ବା ବଡ଼ ଧରଣର ହିମସ୍ଖଳନ ଯୋଗୁଁ ମଧ୍ୟ ନଦୀର ଜଳସ୍ତର ହଠାତ୍ ବଢ଼ିଥାଇପାରେ। ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଅଧିକାରୀମାନେ ଉଚ୍ଚ ପର୍ବତ ଶିଖରରୁ ବରଫ ତରଳିବା ଏବଂ ବରଫର ବଡ଼ ଅଂଶ ଭାଙ୍ଗି ଭୋଟେ କୋଶୀ ନଦୀର ଉପର ଅଞ୍ଚଳକୁ ଖସିପଡ଼ିଥିବା ଦେଖିଥିବା କହିଛନ୍ତି। ତେବେ ଏହା ଅତ୍ୟଧିକ ତାପମାତ୍ରା ଯୋଗୁଁ ହୋଇଛି କି ଅନ୍ୟ କୌଣସି କାରଣରୁ, ତାହା ଏବେ ବି ତଦନ୍ତର ବିଷୟ।

୪. ନଦୀ ପଥରେ ଭୂସ୍ଖଳନ ଯୋଗୁଁ ପ୍ରାକୃତିକ ବନ୍ଧ:

ତିବ୍ବତ ଅଞ୍ଚଳରେ ଭୂକମ୍ପ ଏକ ସାଧାରଣ ଘଟଣା। ଭୂକମ୍ପ ଯୋଗୁଁ ପାହାଡ଼ର ମାଟି ଓ ପଥର ନଦୀ ମଧ୍ୟକୁ ଖସିପଡ଼ିଲେ ନଦୀର ପ୍ରବାହ ଅଟକିଯାଇପାରେ। ଏହା ପଛରେ ବିପୁଳ ପାଣି ଜମା ହୋଇ ଏକ ଅସ୍ଥାୟୀ ପ୍ରାକୃତିକ ହ୍ରଦ ସୃଷ୍ଟି ହୋଇପାରେ। ପାଣିର ଚାପ ବଢ଼ିବା ପରେ ଏହି ମାଟି-ପଥରର ପ୍ରାକୃତିକ ବନ୍ଧ ହଠାତ୍ ଭାଙ୍ଗିଗଲେ ତଳମୁହାଁ ଅଞ୍ଚଳକୁ ଅତ୍ୟଧିକ ବେଗରେ ପାଣି ମାଡ଼ି ଆସିପାରେ।

୫. ତିବ୍ବତର ପଠାରରେ ପ୍ରବଳ ବର୍ଷା:

ତିବ୍ବତର ପଠାର ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲେ ମଧ୍ୟ ନଦୀର ଜଳସ୍ତର ହଠାତ୍ ବଢ଼ିପାରେ। ଏପରି ଅଞ୍ଚଳରେ ବାଦଲ ଫଟା ବର୍ଷାର ଆଶଙ୍କା ମଧ୍ୟ ରହିଥାଏ। ତେବେ ନେପାଳର ଅଧିକାରୀମାନେ ତିବ୍ବତ ସୀମା ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବା ଆଶଙ୍କାକୁ ଖଣ୍ଡନ କରିଛନ୍ତି। ତେଣୁ ବନ୍ୟାର ପ୍ରକୃତ କାରଣ ନେଇ ତଦନ୍ତ ଜାରି ରହିଛି।

ଭୂକମ୍ପ ଓ ହିମସ୍ଖଳନ ନେଇ କ'ଣ କହିଲେ ନେପାଳ ବୈଦେଶିକ ମନ୍ତ୍ରୀ?

ନେପାଳର ବୈଦେଶିକ ମନ୍ତ୍ରୀ ଶିଶିର ଖନାଲ କହିଛନ୍ତି ଯେ ପ୍ରାଥମିକ ରିପୋର୍ଟ ଅନୁଯାୟୀ ଭୂକମ୍ପ ଯୋଗୁଁ ହିମସ୍ଖଳନ ହୋଇଥାଇପାରେ। ଏହାର ପ୍ରଭାବରେ ଭୋଟେ କୋଶୀ ନଦୀ ଅବବାହିକାରେ ହଠାତ୍ ବନ୍ୟା ଆସିଥିବା ଆଶଙ୍କା କରାଯାଉଛି। ଅଧିକାରୀମାନେ ରସୁଆ ଜିଲ୍ଲାର ସ୍ୟାପ୍ରୁ ବେସୀ ଓ ତିମୁରେ ଅଞ୍ଚଳରେ ହଠାତ୍ ବନ୍ୟା ଆସିଥିବା ସ୍ପଷ୍ଟ କରିଛନ୍ତି। ଏହି ଅଞ୍ଚଳରୁ ଆସିଥିବା ଭିଡିଓରେ ମଧ୍ୟ ଉପତ୍ୟକା ଦେଇ ଅତ୍ୟନ୍ତ ବେଗରେ ବନ୍ୟା ପାଣି ପ୍ରବାହିତ ହେଉଥିବା ଦେଖାଯାଇଛି।

​​​​​​​ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: Bangladesh Family Murder Case: ବାଂଲାଦେଶ ହିନ୍ଦୁ ପରିବାର ହତ୍ୟା ମାମଲା; ପୁଲିସ୍‌ ଥିଓରୀକୁ ନେଇ ପ୍ରଶ୍ନ, ହତ୍ୟାର ସମୟକୁ ନେଇ ସସପେନ୍ସ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia