ନବରଙ୍ଗପୁର, ୦୧/୦୯: ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ଛାଡ଼ି ଜନବସତି ମୁହାଁ ହେଉଛନ୍ତି ଭାଲୁ। ଏଭଳି ଏକ ଘଟଣା ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ୍ର କୁକୁଡ଼ାବାଇ ଗାଁରେ ଦେଖିବାକୁ ମିଳିଛି। ରାତି ଅଧରେ ଖାଦ୍ୟ ଖୋଜୁଖୋଜୁ ଏକ ଭାଲୁ ଗାଁର ରାଧାକୃଷ୍ଣ ମନ୍ଦିର ଭିତରକୁ ପଶି ଆସିଥିଲା। ମନ୍ଦିର ଭିତରେ କିଛି ସମୟ ଧରି ଖାଦ୍ୟ ଖୋଜିବା ପରେ ସେଠାରେ ରଖାଯାଇଥିବା ଘିଅର ଏକ ଡବା ନେଇ ଭାଲୁଟି ବାହାରକୁ ଚାଲିଯାଇଥିଲା।
Crime News : ମା'କୁ ମାରି ପ୍ଲାଷ୍ଟର କରିଦେବା ଘଟଣା, ୭ ଦିନ ପରେ ମିଳିଲା ପରିଚୟ, ଗିରଫ ଭୟରେ ମଦନ ଫେରାର
ଭାଲୁଟି ମନ୍ଦିର ଭିତରେ ପଶିଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ। କିଛି ଲୋକ ଦୂରରୁ ଭାଲୁର ଗତିବିଧିକୁ ମୋବାଇଲ୍ରେ ଭିଡିଓ କରିଥିଲେ। ଏହି ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ରାତି ସମୟରେ ଭାଲୁ ଗାଁ ଭିତରକୁ ପଶି ଆସୁଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଚିନ୍ତା ବଢ଼ିଛି। ଭାଲୁର ଗତିବିଧି ଉପରେ ନଜର ରଖିବା ସହ ଗାଁ ଅଞ୍ଚଳରେ ଏଭଳି ଘଟଣା ଯେପରି ନ ଘଟେ, ସେଥିପାଇଁ ବନ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।

