Sunday, 24 Jan, 10.31 am ପ୍ରମେୟ

ହୋମ
ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‌: ୨୭ରେ ଚେନ୍ନାଇରେ ଏକାଠି ହେବେ ଭାରତୀୟ ଖେଳାଳି, ଉଭୟ ଦଳ ଜୈବ ସୁରକ୍ଷା ବଳୟରେ ରହିବେ

ନୂଆଦିଲ୍ଲୀ, ୨୪/୦୧: ଆସନ୍ତା ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ୍‌ ପାଇଁ ଘୋଷିତ ଭାରତୀୟ ଦଳ ୨୭ ତାରିଖରେ ଚେନ୍ନାଇରେ ଏକାଠି ହେବେ । ଏହାପରେ ସେମାନେ ଜୈବ ସୁରକ୍ଷା ବଳୟରେ ପ୍ରବେଶ କରି ୭ଦିନ ସଙ୍ଗରୋଧରେ ରହିବେ। ଏହି ସମୟରେ ଟିମ୍‌ ମ୍ୟାନେଜମେଣ୍ଟ ପକ୍ଷରୁ ଇଂଲଣ୍ଡ ବିପକ୍ଷ ସିରିଜ୍‌ ପାଇଁ ରଣନୀତି ପ୍ରସ୍ତୁତ କରାଯିବ। ଭାରତୀୟ ଦଳ ସହ ଭ୍ରମଣକାରୀ ଇଂଲଣ୍ଡ ମଧ୍ୟ ଏହି ଦିନ ଜୈବ ସୁରକ୍ଷା ବଳରେ ପ୍ରବେଶ କରିବ। ଘରୋଇ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ୨୬ ତାରିଖରେ ଶେଷ ହେବା ପରେ ଦଳ ଭାରତରେ ପହଞ୍ଚିବ।

ଅଷ୍ଟ୍ରେଲିଆ ଗସ୍ତରୁ ବାହୁଡ଼ିବା ପରେ ଏବେ ଭାରତୀୟ ଖେଳାଳିମାନେ ଘରେ ସମୟ ବିତାଉଛନ୍ତି । ତେଣୁ ଖେଳାଳିମାନେ ପୃଥକ ଭାବେ ଚେନ୍ନାଇରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଉଭୟ ଦଳ ପାଇଁ ଜୈବ ସୁରକ୍ଷା ବଳୟ ପ୍ରସ୍ତୁତ କରାଯାଇଛି। ଚେନ୍ନାଇ ସ୍ଥିତ ଲୀଲା ପ୍ୟାଲେସରେ ଉଭୟ ଦଳକୁ ରଖାଯିବାର ବ୍ୟବସ୍ଥା ହୋଇଛି । ଇଂଲଣ୍ଡର ଷ୍ଟାର୍‌ ଖେଳାଳି ବେନ୍‌ ଷ୍ଟୋକ୍ସ, ଜୋଫ୍ରା ଆର୍ଚର ଓ ରୋରୀ ବର୍ଣ୍ଣସ ଇଂଲଣ୍ଡରୁ ସିଧା ଭାରତରେ ପହଞ୍ଚିବେ । ଏହି ୩ ଖେଳାଳି ଶ୍ରୀଲଙ୍କା ଗସ୍ତରେ ଥିବା ଇଂଲଣ୍ଡ ଦଳରୁ ବାଦ୍‌ ପଡ଼ିଥିଲେ। ଆସନ୍ତା ଫେବ୍ରୁଆରୀ ୫ ତାରିଖରୁ ଟେଷ୍ଟ ସିରିଜ୍‌ ଆରମ୍ଭ ହେବ । ଚେନ୍ନାଇରେ ପ୍ରଥମ ୨ଟି ଏବଂ ଅହମ୍ମଦାବାଦରେ ଶେଷ ୨ଟି ମ୍ୟାଚ୍‌ ଖେଳାଯିବ ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Prameya Odia
Top