Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଭାରତୀୟ ଫାଇଟର ଜେଟ୍ ଇଞ୍ଜିନ୍ ପାଇଁ ଫ୍ରାନ୍ସ-ବ୍ରିଟେନ୍ ମଧ୍ୟରେ ଟକ୍କର, 'ଆତ୍ମନିର୍ଭର ଭାରତ' ଉପରେ ବଡ଼ ବାଜି

ଭାରତୀୟ ଫାଇଟର ଜେଟ୍ ଇଞ୍ଜିନ୍ ପାଇଁ ଫ୍ରାନ୍ସ-ବ୍ରିଟେନ୍ ମଧ୍ୟରେ ଟକ୍କର, 'ଆତ୍ମନିର୍ଭର ଭାରତ' ଉପରେ ବଡ଼ ବାଜି

ନୂଆଦିଲ୍ଲୀ,୨୬/୦୮: ଭାରତର ବହୁ ପ୍ରତୀକ୍ଷିତ ଫାଇଟର ଜେଟ୍ ପ୍ରକଳ୍ପ AMCA (Advanced Medium Combat Aircraft) ପାଇଁ ଇଞ୍ଜିନ୍ ଯୋଗାଣକୁ ନେଇ ଫ୍ରାନ୍ସ ଓ ବ୍ରିଟେନ୍ ମଧ୍ୟରେ ପ୍ରତିଯୋଗିତା ଜୋରଦାର ହୋଇଛି। ଗୋଟିଏ ପଟେ ବ୍ରିଟେନର ପ୍ରମୁଖ କମ୍ପାନୀ ରଲ୍ସ ରୟସ୍ (Rolls-Royce), ଅନ୍ୟପଟେ ଫ୍ରାନ୍ସର ସାଫ୍ରନ (Safran) ଭାରତ ସହ ଫାଇଟର ଜେଟ୍ ଇଞ୍ଜିନ୍ ବିକଶିତ କରିବାକୁ ଆଗ୍ରହ ଦେଖାଉଛନ୍ତି।

ଦୁଇ କମ୍ପାନୀ ହିଁ ଭାରତର 'ଆତ୍ମନିର୍ଭର ଭାରତ' ଅଭିଯାନକୁ ଗୁରୁତ୍ୱ ଦେଇ ଦେଶରେ ଇଞ୍ଜିନ୍ ନିର୍ମାଣ ସହ ଟେକ୍ନୋଲୋଜି ଟ୍ରାନ୍ସଫର୍ ର ପ୍ରସ୍ତାବ ଦେଉଛନ୍ତି। ତେଣୁ ଏବେ ପ୍ରଶ୍ନ ଉଠିଛି, ଏଏମସିଏର ଇଞ୍ଜିନ୍ ରେସ୍ରେ କିଏ ବାଜି ମାରିବ?

ଦୌଡ଼ରେ ରଲ୍ସ ରୟସ୍ ବନାମ ସାଫ୍ରନ୍:

ନିକଟରେ ବ୍ରିଟେନର ରଲ୍ସ ରୟସ୍, ଭାରତର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସହ ଏଏମସିଏ ପାଇଁ ଇଞ୍ଜିନ୍ ବିକଶିତ ଓ ନିର୍ମାଣ କରିବା ନେଇ ସହଭାଗିତା ଘୋଷଣା କରିଛି। ଅନ୍ୟପଟେ ଫ୍ରାନ୍ସର ସାଫ୍ରନ ପୂର୍ବରୁ ଭାରତର ଗ୍ୟାସ୍ ଟ୍ରିବ୍ୟୁନ ରିସର୍ଚ୍ଚ ଏଷ୍ଟାବ୍ଳିସମେଣ୍ଟ (GTRE) ସହ ମିଶି ପରବର୍ତ୍ତୀ ପିଢ଼ିର ଫାଇଟର ଇଞ୍ଜିନ୍ ବିକଶିତ କରିବା ପାଇଁ ଆଗ୍ରହ ପ୍ରକାଶ କରିଛି। ଦୁଇ ଦେଶର କମ୍ପାନୀ ପକ୍ଷରୁ ଭାରତକୁ ଟେକ୍ନୋଲୋଜି ଟ୍ରାନ୍ସଫର୍ ର ପ୍ରସ୍ତାବ ଦିଆଯାଉଛି। ବ୍ରିଟେନ୍ ପକ୍ଷରୁ ୧୦୦ ପ୍ରତିଶତ ଟେକ୍ନୋଲୋଜି ଟ୍ରାନ୍ସଫର୍ ର ଅଫର୍ ଦିଆଯାଉଥିବା ଦାବି କରାଯାଇଛି।

କାହିଁକି ନିଜକୁ ଶ୍ରେଷ୍ଠ କହୁଛି ବ୍ରିଟେନ୍?

ବ୍ରିଟିଶ୍ ପକ୍ଷର ଯୁକ୍ତି ହେଉଛି, ପଞ୍ଚମ ପିଢ଼ିର ଫାଇଟର ଜେଟ୍ ବିକାଶରେ ବ୍ରିଟେନର ଅଭିଜ୍ଞତା ରହିଛି। ଫ୍ରାନ୍ସ ପାଖରେ ନିଜସ୍ୱ ପଞ୍ଚମ ପିଢ଼ିର ଫାଇଟର ଜେଟ୍ ନଥିବା ମଧ୍ୟ ବ୍ରିଟିଶ୍ କମ୍ପାନୀ ଯୁକ୍ତି ଦର୍ଶାଇଛି। ତେବେ ସାଫ୍ରନ୍ ମଧ୍ୟ ଭାରତ ପାଇଁ ନୂଆ ନୁହେଁ। ଏହି କମ୍ପାନୀର ଇଞ୍ଜିନ୍ ଭାରତୀୟ ବାୟୁସେନାର କିଛି ଫାଇଟର ଜେଟ୍ରେ ପୂର୍ବରୁ ବ୍ୟବହୃତ ହେଉଛି। ତେଣୁ ଭାରତ ସହ ଏହାର ପୂର୍ବ ଅଭିଜ୍ଞତା ମଧ୍ୟ ଏକ ବଡ଼ ପ୍ଲସ୍ ପଏଣ୍ଟ ହୋଇପାରେ।

ସାଫ୍ରନ ସହ ଆଲୋଚନା କରିଥିଲା ଭାରତ:

ଫ୍ରାନ୍ସର ସାଫ୍ରନ ସହ ଭାରତର ଫାଇଟର ଜେଟ୍ ଇଞ୍ଜିନ୍କୁ ନେଇ ଆଲୋଚନା ପୂର୍ବରୁ ଚାଲିଆସୁଛି। ଗତବର୍ଷ ଏକ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଭାରତରେ ଫାଇଟର ଜେଟ୍ ଇଞ୍ଜିନ୍ ନିର୍ମାଣ ଦିଗରେ ସାଫ୍ରନ ସହ କାମ କରିବା ବିଷୟରେ କହିଥିଲେ। ତେବେ ଏହି ଆଲୋଚନା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ଚୁକ୍ତିର ରୂପ ନେଇନଥିବା ବେଳେ ରଲ୍ସ ରୟସ ମଧ୍ୟ ଏହି ଦୌଡ଼ରେ ସାମିଲ ହୋଇଛି।

କ'ଣ ଏହି ଏଏମସିଏ?

ଏଏମସିଏ (AMCA) ଅର୍ଥାତ୍ Advanced Medium Combat Aircraft ହେଉଛି ଭାରତରେ ବିକଶିତ ହେଉଥିବା ଏକ ଟ୍ୱିନ୍-ଇଞ୍ଜିନ୍, ଷ୍ଟେଲ୍ଥ୍ ଓ ମଲ୍ଟିରୋଲ୍ ଫାଇଟର ଜେଟ୍। ଏହାର ଲକ୍ଷ୍ୟ ହେଉଛି ଭାରତକୁ ସେହି ଦେଶଗୁଡ଼ିକର ତାଲିକାରେ ସାମିଲ କରିବା, ଯେଉଁମାନେ ଅତ୍ୟାଧୁନିକ ଷ୍ଟେଲ୍ଥ୍ କମ୍ବାଟ୍ ଏୟାରକ୍ରାଫ୍ଟ ନିଜ ଦେଶରେ ଡିଜାଇନ୍ ଓ ବିକଶିତ କରିପାରନ୍ତି। ଏଏମସିଏକୁ ଭାରତର ପ୍ରଥମ ପଞ୍ଚମ ପିଢ଼ିର ଫାଇଟର ଜେଟ୍ ପ୍ରକଳ୍ପ ଭାବେ ଦେଖାଯାଉଛି। ବର୍ତ୍ତମାନ ଭାରତୀୟ ବାୟୁସେନା ପାଖରେ ମୁଖ୍ୟତଃ ଚତୁର୍ଥ ଓ ୪.୫ ପିଢ଼ିର ଯୁଦ୍ଧବିମାନ ରହିଛି।

କାବେରୀ ଇଞ୍ଜିନ୍ ପରେ ନୂଆ ରଣନୀତି

ଭାରତ ଦଶନ୍ଧି ଧରି ଫାଇଟର ଜେଟ୍ ଇଞ୍ଜିନ୍ ପାଇଁ ବିଦେଶୀ ଟେକ୍ନୋଲୋଜି ଉପରେ ନିର୍ଭରଶୀଳ ରହିଛି। ସ୍ୱଦେଶୀ କାବେରୀ ଇଞ୍ଜିନ୍ ପ୍ରୋଗ୍ରାମ୍ ଆଶା ଅନୁସାରେ ସଫଳ ନହେବା ପରେ ଭାରତ ବିଦେଶୀ କମ୍ପାନୀ ସହ ମିଳିତ ଭାବେ ପରବର୍ତ୍ତୀ ପିଢ଼ିର ଇଞ୍ଜିନ୍ ବିକଶିତ କରିବା ଦିଗରେ ଆଗକୁ ବଢ଼ୁଛି। ଏବେ ଭାରତର ଲକ୍ଷ୍ୟ କେବଳ 'ମେକ୍ ଇନ୍ ଇଣ୍ଡିଆ' ନୁହେଁ, ବରଂ ଏହାଠାରୁ ଆଗକୁ ବଢ଼ି 'ଡିଜାଇନ ଇନ୍ ଇଣ୍ଡିଆ' ଓ 'ଡେଭଲପ ଇନ୍ ଇଣ୍ଡିଆ' ଉପରେ ଜୋର ଦିଆଯାଉଛି।

ଭାରତ ପାଇଁ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ ଏହି ଇଞ୍ଜିନ୍?

ଏଏମସିଏର ଇଞ୍ଜିନ୍ କିଏ ଯୋଗାଇବ, ଏହା କେବଳ ଏକ ବାଣିଜ୍ୟିକ ନିଷ୍ପତ୍ତି ନୁହେଁ। ଏହା ଭାରତର ପ୍ରତିରକ୍ଷା ଆତ୍ମନିର୍ଭରତା ଓ ରଣନୈତିକ ସ୍ୱାଧୀନତା ସହ ଜଡ଼ିତ। ତେଣୁ ଅସଲ ପ୍ରତିଯୋଗିତା କେବଳ ଫ୍ରାନ୍ସ ବନାମ ବ୍ରିଟେନ୍ ନୁହେଁ। ଭାରତକୁ କିଏ ଅଧିକ ଟେକ୍ନୋଲୋଜି, ଦକ୍ଷତା ଓ ଭବିଷ୍ୟତରେ ନିଜସ୍ୱ ଇଞ୍ଜିନ୍ ବିକାଶ କରିବାର କ୍ଷମତା ଦେଇପାରିବ, ତାହା ମଧ୍ୟ ଏକ ବଡ଼ ପ୍ରଶ୍ନ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia