Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ସିଟି ଇକୋନୋମିକ୍ ରିଜିଅନକୁ ରାଜ୍ୟସ୍ତରୀୟ ପ୍ରକଳ୍ପ ମନିଟରିଂ କମିଟିର ଅନୁମୋଦନ

ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ସିଟି ଇକୋନୋମିକ୍ ରିଜିଅନକୁ ରାଜ୍ୟସ୍ତରୀୟ ପ୍ରକଳ୍ପ ମନିଟରିଂ କମିଟିର ଅନୁମୋଦନ

ଭୁବନେଶ୍ୱର, ୩ ।୮: ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ସିଟି ଇକୋନୋମିକ୍ ରିଜିଅନ୍ (ବିକେପିପିଇଆର୍) ବିକାଶ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ପ୍ରକଳ୍ପ ପ୍ରସ୍ତାବ ରିପୋର୍ଟ (ପିପିଆର୍) କୁ ରାଜ୍ୟସ୍ତରୀୟ ପ୍ରକଳ୍ପ ମନିଟରିଂ କମିଟିରେ ଅନୁମୋଦନ କରାଯାଇଛି।

ରାଜ୍ୟସ୍ତରୀୟ ପ୍ରକଳ୍ପ ମନିଟରିଂ କମିଟି (ଏସ୍ଏଲପିଏମସି) ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ହୋଇଯାଇଛି ।

ବାହ୍ୟ ସହାୟତାପ୍ରାପ୍ତ ପ୍ରକଳ୍ପ (ଇଏପି) ଅଧୀନରେ ଏହି ପ୍ରକଳ୍ପକୁ ଆଗକୁ ନେବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା।

କେନ୍ଦ୍ର ସରକାରଙ୍କ ସିଟି ଇକୋନୋମିକ୍ ରିଜିଅନ୍ (ସିଇଆର) ଯୋଜନାର ପ୍ରଥମ ପର୍ଯ୍ୟାୟରେ ଦେଶର ଚାରିଟି ପାଇଲଟ୍ ଅର୍ଥନୈତିକ ଅଞ୍ଚଳ ମଧ୍ୟରେ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଇକୋନୋମିକ୍ ରିଜିଅନ୍ (ବିକେପିପିଇଆର୍) କୁ ସାମିଲ କରାଯାଇଛି। ଏହି ଅଞ୍ଚଳ ପାଇଁ ୫,୦୦୦ କୋଟି ଟଙ୍କାର ପ୍ରାରମ୍ଭିକ ପ୍ରକଳ୍ପ ସହାୟତା ପ୍ରସ୍ତାବିତ ହୋଇଛି। ଏଥିରୁ ୭୦ ପ୍ରତିଶତ (୩,୫୦୦ କୋଟି ଟଙ୍କା) ଏସୀୟ ବିକାଶ ବ୍ୟାଙ୍କ (ଏଡିବି) ଋଣ ମାଧ୍ୟମରେ ଏବଂ ୩୦ ପ୍ରତିଶତ (୧,୫୦୦ କୋଟି ଟଙ୍କା) କେନ୍ଦ୍ର ସରକାରଙ୍କ ସିଇଆର ଯୋଜନା ଅଧୀନରେ ଉପଲବ୍ଧ ହେବ।

ଏହି ପ୍ରକଳ୍ପର ମୂଳ ଉଦ୍ଦେଶ୍ୟ ହେଉଛି ଭୁବନେଶ୍ୱର, କଟକ, ପୁରୀ ଓ ପାରାଦୀପକୁ ଏକ ସମନ୍ୱିତ ଅର୍ଥନୈତିକ ଅଞ୍ଚଳ ଭାବେ ବିକଶିତ କରି ବିନିଯୋଗ, ଶିଳ୍ପ, ପର୍ଯ୍ୟଟନ, ଲଜିଷ୍ଟିକ୍ସ, ବନ୍ଦରଭିତ୍ତିକ ଶିଳ୍ପ, ଜ୍ଞାନଭିତ୍ତିକ ଅର୍ଥନୀତି ଏବଂ ନିଯୁକ୍ତି ସୃଷ୍ଟିକୁ ତ୍ୱରାନ୍ୱିତ କରିବା। ପ୍ରକଳ୍ପଟି ଓଡ଼ିଶା ଭିଜନ-୨୦୩୬ ଓ ୨୦୪୭ ଲକ୍ଷ୍ୟ ପୂରଣ ପାଇଁ ଏକ ପ୍ରମୁଖ ପଦକ୍ଷେପ ବୋଲି ଶ୍ରୀମତୀ ଗର୍ଗ ପ୍ରକାଶ କରିଥିଲେ। ପ୍ରସ୍ତାବିତ ବିକେପିପିଇଆର୍ ଅଞ୍ଚଳରେ ଖୋର୍ଦ୍ଧା, କଟକ, ପୁରୀ ଓ ଜଗତସିଂହପୁର ଜିଲ୍ଲାର ୧୯ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲ୍ବି) ସାମିଲ ହୋଇଛି ।

ପ୍ରକଳ୍ପ ଅଧୀନରେ ସମନ୍ୱିତ ଆଞ୍ଚଳିକ ପରିବହନ ବ୍ୟବସ୍ଥା (ରିଜିଓନାଲ ମୋବିଲିଟି), ସ୍ମାର୍ଟ ଓ ଜଳବାୟୁ ଅନୁକୂଳ ସହରୀ ଭିତ୍ତିଭୂମି, ସାଧାରଣ ପରିବହନ ବ୍ୟବସ୍ଥାର ବିସ୍ତାର, ମଲ୍ଟିମୋଡାଲ ହବ୍, କର୍ମଜୀବୀଙ୍କ ପାଇଁ ଆବାସ, ଭୁବନେଶ୍ୱର ନୂତନ ସହର, ସହର ପୁନର୍ବିକାଶ, ନଦୀତଟ ଓ ଜଳାଶୟ ବିକାଶ, ବନ୍ଦର ଭିତ୍ତିକ ଶିଳ୍ପ, ଜ୍ଞାନ ଓ ସ୍ୱାସ୍ଥ୍ୟ ହବ୍ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ରହିଛି।

ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ ପରେ ଏହାକୁ ଅର୍ଥ ମନ୍ତ୍ରଣାଳୟର ଡିପାର୍ଟମେଣ୍ଟ ଅଫ୍ ଇକୋନୋମିକ୍ ଆଫେୟାର୍ସ (ଡିଇଏ) ପୋର୍ଟାଲରେ ଅପଲୋଡ୍ କରାଯାଇ ପରବର୍ତ୍ତୀ ମୂଲ୍ୟାଙ୍କନ ଓ ଅନୁମୋଦନ ପ୍ରକ୍ରିୟା ଆରମ୍ଭ କରାଯିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା ।

ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ, ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଊଷା ପାଢ଼ୀ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ରଙ୍କ, ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଆହୁରି ପଢନ୍ତୁ : ଓୟୁଏଟି ପିଜି ଛାତ୍ରଛାତ୍ରୀଙ୍କୁ ମାସକୁ ମିଳିବ ୧୦ ହଜାର ଟଙ୍କା ଓ ପିଏଚଡି ଗବେଷକଙ୍କୁ ମିଳିବ ୧୫ ହଜାର ଟଙ୍କା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia