ବର୍ଷା ହେଉ କି ଶୀତ ଦିନ, ଢେଙ୍କାନାଳିଆଙ୍କ ପସନ୍ଦ ବିରି ବରା । ଏହି 'ବିରି ବରା' କେବଳ ଏକ ଖାଦ୍ୟ ହୋଇନାହଁ, ଢେଙ୍କାନାଳର ଅନ୍ୟତମ ପରିଚୟ ପାଲଟିଛି । ଏହା ପଛରେ ଦେଢ଼ ଶହ ବର୍ଷର ଇତିହାସ ରହିଛି । ଅନ୍ୟ ଦିବସ ପାଳନ ଭଳି ୨୦୨୩ରୁ ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ପକ୍ଷରୁ ପାଳନ କରାଯାଉଛି 'ବରା ଦିବସ' ।
ବରାକୁ ନେଇ ଢେଙ୍କାନାଳବାସୀଙ୍କ ମଧ୍ୟରେ ଆହୁରି ଉତ୍ସାହ ବଢ଼ାଇବା ଓ ଏହାର ପ୍ରଚାର ପ୍ରସାର ଦିଗରେ ଗୁରୁତ୍ୱ ଦିଆଯାଇଥିବା ବେଳେ ଜିଆଇ ମାନ୍ୟତା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।
ଢେଙ୍କାନାଳ, ୦୭/୦୪ : ବିରି ବରା ପାଇଁ ଢେଙ୍କାନାଳର ପ୍ରସିଦ୍ଧି ରହିଛି । ଢେଙ୍କାନାଳ ଆସୁଥିବା ଲୋକେ ବରା ଖାଇବାକୁ ଭୁଲନ୍ତି ନାହିଁ । ବରା ଦିବସ ପାଳନ ପରେ ଏହାର ପ୍ରଚାର, ପ୍ରସାର ଆହୁରି ବଢ଼ିଛି । ଜିଆଇ ମାନ୍ୟତା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ତେବେ ବରାର ଗୁଣବତ୍ତାକୁ ନେଇ ଶଙ୍କା ସୃଷ୍ଟି ହୋଇଛି । କିଛି ଦୋକାନୀଙ୍କୁ ଛାଡିଦେଲେ ଅନେକ ଗୁଣବତ୍ତା ପ୍ରତି ଗୁରୁତ୍ୱ ଦେଉନାହାନ୍ତି । ପର୍ଯ୍ୟଟକ ମଧ୍ୟ ଅସନ୍ତୁଷ୍ଟ ହେଉଛନ୍ତି । ପୂର୍ବ ଗରିମାକୁ ନେଇ ଗର୍ବ କରୁଥିବା ବେଳେ ଗୁଣବତ୍ତାକୁ କିଭଳି ବଜାୟ ରହିବ ସେ ନେଇ ଯତ୍ନବାନ ହେବା ନେଇ ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି ।
ଢେଙ୍କାନାଳରେ ପ୍ରାୟ ୨ ଶହରୁ ଅଧିକ ବରା ଦୋକାନ ରହିଛି । ସେଗୁଡ଼ିକ ମଧ୍ୟରୁ ପ୍ରାୟ ୧୫ରୁ ୨୦ଟି ପ୍ରମୁଖ ଦୋକାନ । ଯେଉଁଠି ସକାଳରୁ ରାତି ପର୍ଯ୍ୟନ୍ତ ବରା ମିଳିଥାଏ । ସେଭଳି ଦୋକାନରେ ପ୍ରତିଦିନ ପ୍ରାୟ ଅଧ କୁଇଣ୍ଟାଲ ବିରି, ଚାଉଳରେ ବରା ପ୍ରସ୍ତୁତ ହୋଇ ବିକ୍ରି ହୋଇଥାଏ । ଅନେକ ଦୋକାନ ମାତ୍ର ୨ ଚାରି ଘଣ୍ଟା ଖୋଲି ଥିଲେ ବି ସେମାନଙ୍କର ପରିଚୟ ରହିଛି, ଚାହିଦା ଥିବାରୁ ଜାଣିବାଶୁଣିବା ଗ୍ରାହକ ଠିକଣା ସମୟରେ ଭିଡ଼ କରିଥାନ୍ତି । ଏହାଛଡା ସହର ଅନେକ ଗଳିକନ୍ଦି, ବଜାର ଅଞ୍ଚଳରେ ଛୋଟ ଦୋକାନ, ଠୋଲାରେ ବି ବରା ମିଳିଥାଏ । ସେମାନେ ମଧ୍ୟ ବେଶ୍ ସ୍ୱାଦିଷ୍ଠ ବରା ପରଷି ଦେଇଥାନ୍ତି ।
ପୁରୁଣା ଦୋକାନୀଙ୍କ କହିବା ଅନୁସାରେ ବରା ବେପାର ଅଣାଏରୁ ଆରମ୍ଭ ହୋଇ ଏବେ ୧୦ ଟଙ୍କାରେ ପହଞ୍ଚିଲାଣି । ଢେଙ୍କାନାଳବାସୀଙ୍କ ସମେତ ପର୍ଯ୍ୟଟକ କିମ୍ବା କୌଣସି କାମରେ ଢେଙ୍କାନାଳ ଆସୁଥିବା ଲୋକେ ବରା ଖାଇଥାନ୍ତି । ଫଳରେ ବ୍ୟବସାୟ ଭଲ ହୋଇଥାଏ । ମାତ୍ର ସ୍ଥଳ ବିଶେଷରେ ବରାର ମାନ ଓ ସ୍ୱାଦରେ ଫରକ୍ ରହୁଥିବାରୁ ଗ୍ରାହକଙ୍କ ଅସନ୍ତୋଷ ପ୍ରକାଶ କରିଥାନ୍ତି । ବରାର ବିଭିନ୍ନ ଉପାଦାନରେ ଭାଗମାପ ରହୁନି କି ଉପଯୁକ୍ତ ମାନର ତେଲ ବ୍ୟବହାର କରାଯାଉନି । ଢେଙ୍କାନାଳ ବରାରେ ସୁଜିର ବ୍ୟବହାର ନଥିବା ସ୍ଥଳେ ଏବେ ଅଧିକ ସୁଜି ଦେଇ ବରା କରାଯାଉଛି । ବରା ଦିବସରେ ଐତିହ୍ୟକୁ ମନେ ପକାଉଥିବାରୁ ଗୁଣବତ୍ତା କିଭଳି ବଢିପାରିବ ସେଥିପ୍ରତି ଗୁରୁତ୍ୱ ଦେବାକୁ ଦାବି ହୋଇଛି । ଜିଲ୍ଲା ପ୍ରଶାସନ ଜିଆଇ ମାନ୍ୟତା ପାଇଁ ଉଦ୍ୟମ କରିବା ସହ ବରା ଦିବସ ପାଳନ କରୁଛି । ଏଣୁ ଗୁଣବତ୍ତା କିଭଳି ବଜାୟ ରହିପାରିବ ସେଥିପ୍ରତି ଦୃଷ୍ଟି ଦେବାର ସମୟ ଆସିଛି ।
ଏହି ଖବରଟିକୁ ପଢନ୍ତୁ- ଆକ୍ସନ ମୋଡ୍ରେ ଭଦ୍ରକ ପୁଲିସ : ୮ ଗୋ-ମାଫିଆଙ୍କ ଘରେ ବଡ଼ ଧରଣର ରେଡ୍, ୬ ଗିରଫ ୨୦ ଲକ୍ଷ ଜବତ

