Tuesday, 11 Aug, 8.46 am ପ୍ରମେୟ

ହୋମ
ବିଶ୍ୱର ପ୍ରଥମ କରୋନା ଟିକା ଆଣିବ ଋଷ, ୧୨ରେ ହେବ ବଡ଼ ଘୋଷଣା

Image Courtesy : New generation cure

ମସ୍କୋ ୧୧/୦୮: କରୋନା ଭୂତାଣୁ ସଂକ୍ରମଣରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ବିଶ୍ୱଯାକର ବୈଜ୍ଞାନିକମାନେ ଟିକା ବିକାଶରେ ଲାଗିଥିବା ବେଳେ ବିଶ୍ୱର ପ୍ରଥମ କରୋନା ଟିକା ଆଣିବାକୁ ଯାଉଛି ରୁଷ । ଚଳିତମାସ ୧୨ ତାରିଖରେ ରୁଷ ଏହି ଟିକାର ପଞ୍ଜିକରଣ କରାଇବ । ରୁଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇଛି । ଅନ୍ୟପକ୍ଷରେ ଏହି ଟିକା ଉପରେ କିଛି ବିଶେଷଜ୍ଞ ପ୍ରଶ୍ନ ଉଠାଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) କହିଛି ଯେ ରୁଷ ଟିକା ସହ ଜଡ଼ିତ କୌଣସି ସରକାରୀ ତଥ୍ୟ ଏ ପର୍ଯ୍ୟନ୍ତ ଦିଆଯାଇ ନାହିଁ । ତେଣୁ ଏହାର ସୁରକ୍ଷା ଉପରେ ଡବ୍ଲ୍ୟୁଏଚ୍‌ଓ ପ୍ରଶ୍ନ ଉଠାଇପାରେ ବୋଲି ଆଶଙ୍କା କରାଯାଉଛି ।

ମିଳିଥିବା ସୂଚନା ମୁତାବକ ରୁଷ ଟିକା ହେଉଛି ଏକ ଆଡେନୋଭାଇରସ ଭିତ୍ତିକ ଭାଇରାଲ୍‌ ଭେକ୍ଟର ଟିକା । ଏଥିରେ କରୋନା ଭୂତାଣୁର ସ୍ପାଇକ୍‌ ପ୍ରୋଟିକ୍‌କୁ ସାମିଲ କରାଯାଇଛି, ଯଦ୍ଦ୍ୱାରା ଏହା ଶରୀରରେ ପ୍ରତିରୋଧକ ପ୍ରତିକ୍ରିୟା ସୃଷ୍ଟି କରିପାରିବ । ଟିକାକୁ ପ୍ରସ୍ତୁତ କରିଥିବା ରୁଷର ଗାମଲେୟା ନ୍ୟାସନାଲ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଆଲେକ୍‌ଜାଣ୍ଡର ଗିଣ୍ଟସବର୍ଗ କହିଛନ୍ତି, ଟିକାରେ କରୋନା ଭୂତାଣୁର କିଛି ଅଣୁ ବ୍ୟବହାର କରାଯାଇଛି । କିନ୍ତୁ ଲୋକଙ୍କ ଶରୀର ପ୍ରତି ଏହା କ୍ଷତି ପହଞ୍ଚାଇ ପାରିବ ନାହିଁ । କାରଣ ଏହା ଶରୀର ମଧ୍ୟରେ ବହୁଗୁଣିତ ହେବନାହିଁ ।

ଅନ୍ୟପକ୍ଷରେ ଆମେରିକାର ଦଳେ ଗବେଷକ 'ନୂଆ ପିଢ଼ି'ର ଚିକିତ୍ସା ପଦ୍ଧତି ବାହାର କରିବା ପାଇଁ ଜୋରଦାର ଚେଷ୍ଟା ଚଳାଇଛନ୍ତି । ସେମାନେ ଦାବି କରିଛନ୍ତି ଯେ ଏହି ନୂଆ ପିଢ଼ିର ଅନୁସନ୍ଧାନ ଉଭୟ ଟିକା ଓ ଔଷଧ ଭଳି କାମ ଦେବ। ଅର୍ଥାତ୍‌ ସଂକ୍ରମଣ ହୋଇଥିଲେ, ଏହା ରୋଗୀଙ୍କୁ ସୁସ୍ଥ ହେବାରେ ସହାୟତା କରିବ ଏବଂ ସୁସ୍ଥ ଲୋକଙ୍କୁ କରୋନା କବଳରୁ ସୁରକ୍ଷା ଯୋଗାଇବ । ଯଦି ଏହି ଥେରାପି ମଣିଷଙ୍କ ଉପରେ ସଫଳ ହୁଏ, ତେବେ ୨୦୨୧ ବର୍ଷ ଆରମ୍ଭ ବେଳକୁ ଏହାର ପ୍ରସ୍ତୁତି ଶେଷ ହେବ । ଏହି ଥେରାପି ଉପଲବ୍ଧ ହେବା ପରେ ଲୋକଙ୍କୁ ଆଉ ସାମାଜିକ ଦୂରତା ରକ୍ଷା କରିବାକୁ ପଡ଼ିବ ନାହିଁ । ସେମାନେ ପୂର୍ବ ଭଳି ସ୍ୱାଧୀନ ଭାବେ ବୁଲାବୁଲି କରିପାରିବେ । ଏହି ସାର୍ସ-ଅବରୋଧ (ସାର୍ସ-ବ୍ଲକ୍‌) ଥେରାପିକୁ ଆମେରିକାରେ ବିକାଶ କରାଯାଉଛି ।

ବ୍ରିଟେନର ନିବେଶକମାନେ ଏଥିପାଇଁ ପାଣ୍ଠି ଯୋଗାଉଛନ୍ତି । ଏହାକୁ କରୋନା ଭୂତାଣୁ ଉପରେ ଆଧାରିତ ସିନ୍ଥେଟିକ ପ୍ରୋଟିନ ସିକ୍ୱେନ୍ସ ଦ୍ୱାରା ତିଆରି କରାଯାଇଛି । ଏହା ଏକ କର୍କ ଭଳି କାମ କରୁଛି ଏବଂ ଭୂତାଣୁକୁ ଶରୀରର ଭୂତାଣୁ ରିସେପ୍ଟର ସେଲ୍‌ (ଏସିଇ-୨ ରିସେପ୍ଟର)ରେ ପ୍ରବେଶ ହେବାକୁ ରୋକୁଛି । ଏହି ଚିକିତ୍ସା କେବଳ ଶରୀର ମଧ୍ୟକୁ ଭୂତାଣୁ ପ୍ରବେଶକୁ ରୋକିବ ନାହିଁ, ବରଂ ଏହାକୁ ଚିହ୍ନିପାରିବ ଏବଂ ଏହା ବିରୋଧରେ ଲଢ଼ିବା ପାଇଁ ଶରୀରର ପ୍ରତିରୋଧକ ବ୍ୟବସ୍ଥାକୁ ପ୍ରସ୍ତୁତ କରିବ ।

ଏହା ଉପରେ ୟୁନିଭର୍ସିଟି ଅଫ୍‌ କାଲିଫର୍ଣ୍ଣିଆର ବିଶେଷଜ୍ଞମାନେ ଅଧ୍ୟୟନ କରୁଛନ୍ତି । ଏହାର ପ୍ରାରମ୍ଭିକ ଫଳାଫଳ ରିପୋର୍ଟ ଶୁକ୍ରବାର 'ବାୟୋଆର୍କାଇଭ' ପତ୍ରିକାରେ ଛପିଥିଲା । ଏ ପର୍ଯ୍ୟନ୍ତ ଜଣାପଡ଼ି ଯାଇଛି ଯେ ଏହା ୯୫-୧୦୦% ପର୍ଯ୍ୟନ୍ତ ଭୂତାଣୁକୁ ଶରୀର ମଧ୍ୟରେ ପ୍ରବେଶକୁ ରୋକିପାରିବ । ଏହା ଉପଲବ୍ଧ ହେବା ପରେ ଟିକାର ଆବଶ୍ୟକତା ଆଉ ପଡ଼ିବ ନାହିଁ । ବାରମ୍ବାର ଇଞ୍ଜେକ୍‌ସନ ନେବାକୁ ପଡ଼ିବ ନାହିଁ ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Prameya Odia
Top