ନୂଆଦିଲ୍ଲୀ ୦୨/୦୪: ସାଧାରଣତଃ ମହିଳାମାନେ ହ୍ୟାଣ୍ଡବ୍ୟାଗ୍ ଧରିବାକୁ ପସନ୍ଦ କରନ୍ତି। ଏଥିରେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ନିଜର ଅତ୍ୟାବଶ୍ୟକୀୟ ଜିନିଷ ରଖିଥାନ୍ତି। ରଙ୍ଗ, ଡିଜାଇନ, ଆକାର ଏବଂ ମୂଲ୍ୟ ଅନୁସାରେ ବିଭିନ୍ନ ଡିଜାଇନର ହ୍ୟାଣ୍ଡବ୍ୟାଗ୍ ରହିଛି। ସେହିପରି କିଛି ମହିଳା ଦାମୀ ପର୍ସ ଧରିବାକୁ ପସନ୍ଦ କରନ୍ତି।
ଯାହା ସେମାନଙ୍କ ଆଭିଜାତ୍ୟ ଏବଂ ଷ୍ଟାଇଲକୁ ଦର୍ଶାଇଥାଏ। ତେବେ ଏପରି କିଛି ହ୍ୟାଣ୍ଡବ୍ୟାଗ୍ ରହିଛି ଯାହା କିଣିବା ସାଧାରଣ ଲୋକ ପକ୍ଷେ ସମ୍ଭବ ନୁହେଁ। ଚାଲନ୍ତୁ ଜାଣିବା ପ୍ରସିଦ୍ଧି ଲାଭ କରିଥିବା ସେଭଳି କିଛି ବ୍ୟାଗ୍ ବିଷୟରେ…

ମୌୱାଦ ୧୦୦୧ ନାଇଟ୍ସ ଡାଇମଣ୍ଡ ପର୍ସ :
ଏହା ବିଶ୍ୱର ସବୁଠୁ ଦାମୀ ଏବଂ ବିଳାସମୟ ବ୍ୟାଗ୍ ତାଲିକାରେ ସବୁଠୁ ଉପରେ ରହିଛି। ଏହାକୁ ମୌୱାଦ ଜୁଏଲର୍ସ ନିର୍ମାଣ କରିଛି। ଏଥିରେ ୪୫୧୭ ହୀରା ଖଚିତ ରହିଛି। ଏହାକୁ ୧୦ ଜଣ କାରିଗର ଏକତ୍ର ହୋଇ ୮,୮୦୦ ଘଣ୍ଟାରେ ପ୍ରସ୍ତୁତ କରିଥିଲେ। ୨୦୧୧ ମସିହାରେ ଏହା ବିଶ୍ୱର ସବୁଠୁ ଦାମୀ ହ୍ୟାଣ୍ଡବ୍ୟାଗ୍ ଭାବେ ଗିନିଜ ରେକର୍ଡ କରିଥିଲା। ଏହାର ଦାମ୍ ୩୩ କୋଟିରୁ ଅଧିକ।

ବୋରିନି ମିଲାନେସୀ :
ବୋରିନି ମିଲାନେସୀ ଦାମୀ ବ୍ୟାଗ୍ ମଧ୍ୟରୁ ଗୋଟିଏ। ଇଟାଲୀ ଲଗ୍ଜୁରୀ ବ୍ରାଣ୍ଡ ଦ୍ୱାରା ନିର୍ମିତ ଏହି ବ୍ୟାଗର ମୂଲ୍ୟ ୫୩ କୋଟି ରିହିଛି। ନୀଳରଙ୍ଗର ଏହି ବ୍ୟାଗରେ ହୀରା ଖଚିତ ହୋଇଛି। ଏଥିରେ ୧୦ଟି ସୁନା ପ୍ରଜାପତି ରହିଛି। ଏହା ବ୍ୟାଗର ସୌନ୍ଦର୍ଯ୍ୟକୁ ଦ୍ୱିଗଣା ବଢାଇ ଦେଇଥିଲା। ଏହି ବ୍ୟାଗ୍କୁ ପ୍ରସ୍ତୁତ କରିବାକୁ ୧୦୦୦ ଘଣ୍ଟା ସମୟ ଲାଗିଥିଲା। ଏହା ସାମୁଦ୍ରିକ ପ୍ରଦୂଷଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ତିଆରି ହୋଇଥିଲା।

ହର୍ମିସ୍ ସେକ୍ ବିଜୌ ବିର୍କିନ୍ ବ୍ୟାଗ୍ :
ଏହା ବିଶ୍ୱର ଦାମୀ ହ୍ୟାଣ୍ଡବ୍ୟାଗ୍ ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛି। ୧୮ କ୍ୟାରେଟ୍ ରୋଜ୍ ଗୋଲ୍ଡରେ ନିର୍ମିତ ଏହି ବ୍ୟାଗରେ ୨୭୧୨ଟି ହୀରା ଖଚିତ ହୋଇଛି। ଏହି ବ୍ୟାଗକୁ ଜଣେ ଚାହିଁଲେ ବ୍ରେସଲେଟ ଭଳି ପିନ୍ଧି ମଧ୍ୟ ପରିବେ। ଏଭଳି ମାତ୍ର ତିନୋଟି ବ୍ୟାଗ୍ ତିଆରି କରାଯାଇଛି। ଏହାର ଦାମ୍ ଭାରତୀୟ ମୁଦ୍ରାରେ ୧୬ରୁ ୧୭ କୋଟି ହେବ। ଏହାକୁ ଡିଜାଇନର ପିୟରେ ହାର୍ଡ ନିର୍ମାଣ କରିଥିଲେ।

କ୍ଲିଓପେଟ୍ରା କ୍ଲଚ୍ :
ଲାନା ମାର୍କ୍ସ ଦ୍ୱାରା ଡିଜାଇନ୍ କ୍ଲିଓପେଟ୍ରା ବିଳାସମୟ କ୍ଲଚ୍ ମଧ୍ୟରୁ ଗୋଟିଏ। ଏହା ୧୯୬୩ ମସିହାରେ ଐତିହାସିକ ଫିଲ୍ମ କ୍ଲିଓପେଟ୍ରାରୁ ପ୍ରେରିତ । ଏହାର ପ୍ରତିଟି ଅଂଶ ଖୁବ ନିଖୁଣ ଭାବେ ନିର୍ମିତ। ଏହାର ମୂଲ୍ୟ ୨.୯୮ କୋଟି ରହିଛି। ଏହାକୁ ଆଞ୍ଜେଲିନା ଜୋଲି, ଚାର୍ଲୀଜ୍ ଥେରାନ ଭଳି ପ୍ରସିଦ୍ଧି ଲାଭ କରିଥିବା ଅଭିନେତ୍ରୀମାନେ ଓସ୍କାର ରେଡ୍ କାର୍ପେଟରେ ବ୍ୟବହାର କରିଥିଲେ। ଏହା ଆମେରିକୀୟ କୁମ୍ଭୀର ଚର୍ମରେ ତିଆରି ହୋଇଥିବାବେଳେ ଏଥିରେ ୪୦ କ୍ୟାରେଟର ୧୬୦୦ ହୀରା ଖଚିତ ରହିଛି।
ଆହୁରି ପଢ଼ନ୍ତୁ...ବିପରୀତ ନୁହେଁ, ସମ୍ପର୍କକୁ ବାନ୍ଧି ରଖେ ସମାନ ସ୍ୱଭାବ : ଜାଣନ୍ତୁ କ'ଣ କହୁଛି ରିସର୍ଚ୍ଚ

