ଭୁବନେଶ୍ୱର : ଭୁବନେଶ୍ୱରରେ ୧୩ତମ ବ୍ରିକ୍ସ ଶିକ୍ଷା ମନ୍ତ୍ରୀ ସମ୍ମିଳନୀ ଏବଂ ୩ୟ ବ୍ରିକ୍ସ ବରିଷ୍ଠ ଅଧିକାରୀ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି। ଏହା ଭାରତର ୨୦୨୬ ବ୍ରିକ୍ସ (BRICS) ଅଧ୍ୟକ୍ଷତାରେ, ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଅଗଷ୍ଟ ୫ ରୁ ୭, ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ବୈଠକ ଗୁଡ଼ିକରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ଶିକ୍ଷା ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ପ୍ରତିନିଧିମାନେ ଏକତ୍ର ହେବା ସହ , ପାରସ୍ପରିକ ସହଯୋଗ ସଂପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ଆଲୋଚନା କରିବେ।
ଯେଉଁଥିରେ ନିମ୍ନଲିଖିତ ପ୍ରାଥମିକତା ଗୁଡ଼ିକ ସାମିଲ ରହିଛି :
ଭାରତର ବ୍ରିକ୍ସ ଅଧ୍ୟକ୍ଷତା 'ରେଜିଲିଏନ୍ସ, ଇନୋଭେସନ୍, କୋଅପରେସନ୍ ଏବଂ ସଷ୍ଟେନେବିଲିଟି' ଥିମ୍ ଦ୍ୱାରା ପରିଚାଳିତ, ଯାହା ରିଓ ଡି ଜେନେରୋ ଠାରେ ଅନୁଷ୍ଠିତ ୨୦୨୫ ବ୍ରିକ୍ସ ଶିଖର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରକାଶିତ ଜନ-କେନ୍ଦ୍ରିକ ଏବଂ ମାନବତା-ପ୍ରଥମ ଦୃଷ୍ଟିକୋଣକୁ ପ୍ରତିଫଳିତ କରେ।
ଏହି ୧୩ତମ ଶିକ୍ଷା ମନ୍ତ୍ରୀ ସମ୍ମିଳନୀ ଏବଂ ୩ୟ ବରିଷ୍ଠ ଅଧିକାରୀ ସମ୍ମିଳନୀ, ଭାରତର ଅଧ୍ୟକ୍ଷତା ସମୟରେ ବ୍ରିକ୍ସ ଶିକ୍ଷା ଟ୍ରାକ୍ ଅଧୀନରେ ଅନୁଷ୍ଠିତ ପୂର୍ବ ବୈଠକ ଗୁଡ଼ିକର ସଫଳତା ଉପରେ ଆଧାରିତ। ପ୍ରଥମ ଓ ଦ୍ୱିତୀୟ ବ୍ରିକ୍ସ ବରିଷ୍ଠ ଅଧିକାରୀ ସମ୍ମିଳନୀ ଯଥାକ୍ରମେ ୭ ଏବଂ ୨୮ ଏପ୍ରିଲ ୨୦୨୬ ରେ ଅନୁଷ୍ଠିତ ହୋଇ ଥିଲା, ଯାହା ପରେ ଜୁଲାଇ ୨୦-୨୧, ୨୦୨୬ରେ ବ୍ରିକ୍ସ ନେଟୱାର୍କ ୟୁନିଭର୍ସିଟି କନଫରେନ୍ସ ଏବଂ ଇଣ୍ଟରନ୍ୟାସନାଲ ଗଭର୍ଣ୍ଣିଂ ବୋର୍ଡ ବୈଠକ ଆୟୋଜିତ ହୋଇଥିଲା। ଏହି ପୂର୍ବପ୍ରସ୍ତୁତି ଆଲୋଚନାଗୁଡ଼ିକ ପ୍ରାଥମିକ କ୍ଷେତ୍ରଗୁଡ଼ିକ ଉପରେ ସହମତି ସୃଷ୍ଟି କରିବାରେ ଏବଂ ମନ୍ତ୍ରୀ ସ୍ତରୀୟ ବୈଠକ ପାଇଁ ପ୍ରସ୍ତାବିତ ଫଳାଫଳ ନିର୍ଦ୍ଧାରଣ କରିବାରେ ସାହାଯ୍ୟ କରିଛି।
୧୩ତମ ଶିକ୍ଷା ମନ୍ତ୍ରୀ ସମ୍ମିଳନୀ ପୂର୍ବରୁ, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ନେତୃତ୍ୱରେ ଅଗଷ୍ଟ ୩-୪, ୨୦୨୬ ରେ ନୂଆଦିଲ୍ଲୀ ଠାରେ ବ୍ରିକ୍ସ TVET ସିମ୍ପୋଜିୟମ୍ ଏବଂ ବ୍ରିକ୍ସ TVET କୋଅପରେସନ୍ ଆଲାଇନ୍ସର ଜଏଣ୍ଟ ମ୍ୟାନେଜମେଣ୍ଟ କମିଟି (JMC) ବୈଠକ ମଧ୍ୟ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକ ଗୁଡ଼ିକର ଲକ୍ଷ୍ୟ ହେଉଛି ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ବୈଷୟିକ ଓ ବୃତ୍ତିଗତ ଶିକ୍ଷା, ତାଲିମ, ଦକ୍ଷତା ବିକାଶ ଏବଂ କାର୍ଯ୍ୟପନ୍ଥାର ପ୍ରସ୍ତୁତି କ୍ଷେତ୍ରରେ ସହଯୋଗକୁ ଆହୁରି ସୁଦୃଢ଼ କରିବା ଏବଂ ପ୍ରାଥମିକତା ବିଷୟଗୁଡ଼ିକରେ ଗବେଷଣା ଓ ସର୍ବୋତ୍ତମ ପଦ୍ଧତିର ଆଦାନପ୍ରଦାନ କରିବା।
ଏହି ଭଳି ଉଚ୍ଚସ୍ତରୀୟ ସରକାରୀ ଆଲୋଚନା ସହିତ, ଭାରତର ବ୍ରିକ୍ସ ଅଧ୍ୟକ୍ଷତା ଯୁବ ଭାଗିଦାରୀ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ଉପରେ ବିଶେଷ ଗୁରୁତ୍ୱ ଦେଉଛି। ଏହି ଉଦ୍ଦେଶ୍ୟରେ, ସାରା ଭାରତରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ମନ୍ତ୍ରୀ ସ୍ତରୀୟ ବୈଠକଗୁଡ଼ିକର ଆନୁଷଙ୍ଗିକ କାର୍ଯ୍ୟକ୍ରମ ଭାବରେ 'ମଡେଲ୍ ବ୍ରିକ୍ସ' (Model BRICS) ନାମକ ଏକ ଛାତ୍ର-କେନ୍ଦ୍ରିକ ପଦକ୍ଷେପ ପରିକଳ୍ପନା କରାଯାଇଛି। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଯୁବ ନାଗରିକମାନଙ୍କୁ ବ୍ରିକ୍ସ ପ୍ରକ୍ରିୟା ସହିତ ପରିଚିତ କରାଇବା ଏବଂ କୂଟନୀତି, ବହୁପାକ୍ଷିକ ସହଯୋଗ ଓ ସହମତି ସୃଷ୍ଟି ବିଷୟରେ ସେମାନଙ୍କର ବୁଝାମଣାକୁ ମଜବୁତ୍ କରିବା।
ଆହୁରି ମଧ୍ୟ ପଢନ୍ତୁ - New vehicle rules 2028 : ଗାଡ଼ିରେ V2V ସିଷ୍ଟମ ରହିବ ବାଧ୍ୟତାମୂଳକ , ସଡ଼କରେ ଚାଲୁଥିବା ପ୍ରତ୍ୟେକ ଗାଡିର ମିଳିବ ଡିଟେଲ୍ସ

